ଭୋଟ ଦେଲେ ବିଜେପି ନେତାଙ୍କ ନାବାଳକ ପୁଅ, ଭିଡିଓ ଆସିବା ପରେ ବିବାଦ

ବିବାଦ ବଢ଼ୁଥିବା ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଭୋଟ ଦେଲେ ବିଜେପି ନେତାଙ୍କ ନାବାଳକ ପୁଅ, ଭିଡିଓ ଆସିବା ପରେ ବିବାଦ

ମତଦାନ ଗୋଟିଏ ଗୁପ୍ତ ପ୍ରକ୍ରିୟା ହୋଇଥିବା ବେଳେ ୧୮ ବର୍ଷ ବୟସ ନ ହେବା ଯାଏ ଜଣେ ଭୋଟ ଦେଇ ପାରିବେ ନାହିଁ। କିନ୍ତୁ ଏହି ସବୁ ନିୟମର ଖୋଲା ଉଲ୍ଲଙ୍ଘନ କରିଛନ୍ତି ଜଣେ ବିଜେପି ନେତା। ଭୋଟ ବେଳେ ବିଜେପି ନେତା ଜଣଙ୍କ ତାଙ୍କ ନାବାଳକ ପୁଅକୁ ବୁଥ ମଧ୍ୟକୁ ନେଇଥିଲେ।

ଏହାପରେ ନାବାଳକ ଜଣଙ୍କ ଇଭିଏମ ଦବାଇ ଥିଲେ ଓ ଏହାକୁ ବିଜେପି ନେତା ଜଣଙ୍କ ମୋବାଇଲରେ କଏଦ କରିଥିଲେ। ସେ କେଉଁ ଦଳକୁ ଭୋଟ ଦେଲେ, ତା’ର ମଧ୍ୟ ରେକର୍ଡିଂ କରିଥିଲେ। ଘଟଣା ବେଳର ଭିଡିଓକୁ ସେ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ବିବାଦ ଦେଖିବାକୁ ମିଳିଛି।

ମଧ୍ୟପ୍ରଦେଶର ଭୋପାଲ ଅନ୍ତର୍ଗତ ବେରାସିଆରେ ହୋଇଥିବା ମତଦାନ ବେଳେ ଏପରି ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ବିଜେପିର ପଞ୍ଚାୟତ ସଦସ୍ୟ ବିନୟ ମେହର ତାଙ୍କ ନାବାଳକ ପୁଅକୁ ନେଇ ମଙ୍ଗଳବାର ଗୋଟିଏ ପୁଲିଂ ବୁଥକୁ ଯାଇଥିଲେ। ଏହାପରେ ବିନୟ ଇଭିଏମ ପାଖରେ ଭିଡିଓ ରେକର୍ଡିଂ କରିବା ସହ ତାଙ୍କ ବଦଳରେ ନାବାଳକ ପୁଅକୁ ଇଭିଏମ ଦବାଇବାକୁ କହିଥିଲେ।

ସେ ମଧ୍ୟ ଇଭିଏମ ଦବାଇଥିଲେ। ଏହାପରେ ବିଜେପିକୁ ସେ ଭୋଟ ଦେଇଥିବା ଭିଭିପ୍ୟାଟ୍‌ରେ ପ୍ରଦର୍ଶିତ ହୋଇଥିଲା। ଭିଭିପ୍ୟାଟରେ ପଦ୍ମ ଫୁଲ ଚିହ୍ନ ଆସିବା ପରେ ମେହର କହିଥିଲେ ଯେ “ଓକେ। ବର୍ତ୍ତମାନ ପାଇଁ ଏତିକି।”

୧୪ ସେକେଣ୍ଡର ଭିଡିଓ ବିଜେପି ନେତାଙ୍କ ଫେସବୁକ ପେଜରେ ଶେୟାର ହୋଇଛି। ଏହାକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି। ପୁଲିଂ ବୁଥକୁ ମୋବାଇଲ ଫୋନ ନେଇ ରେକର୍ଡିଂ କରିବାକୁ କେମିତି ଅନୁମତି ମିଳିଲା?

ବୁଥ ଭିତକୁ ଜଣେ ନାବାଳକଙ୍କୁ ବାପାଙ୍କ ସହ ଯିବାକୁ କିଏ ଅନୁମତି ଦେଲା? ଏପରି କାଣ୍ଡ ପାଇଁ ବିନୟ ମେହରଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅନେକ ଲୋକ ଦାବି କରିଛନ୍ତି।

ବିବାଦ ବଢ଼ୁଥିବା ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିଂ ବୁଥର ପ୍ରିଜାଇଡିଂ ଅଫିସର ଓ ଘଟଣା ପଛରେ ଥିବା ସବୁ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।