ଭୋଲେ ବାବାଙ୍କ ୧୦୦ କୋଟି ଟଙ୍କାର ସମ୍ପତ୍ତି କାଗଜପତ୍ର ଜବତ

ଉତ୍ତର ପ୍ରଦେଶ ହାଥରସରେ ସତସଙ୍ଗ କରିଥିଲେ ଭୋଲେ ବାବା, ଯେଉଁଠି ଦଳଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି।

ଭୋଲେ ବାବାଙ୍କ ୧୦୦ କୋଟି ଟଙ୍କାର ସମ୍ପତ୍ତି କାଗଜପତ୍ର ଜବତ

ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏକ ସତସଙ୍ଗରେ ଯୋଗଦେବାକୁ ଯାଇ ଏପରି ଶତାଧିକ ଲୋକଙ୍କ ଜୀବନ ଚାଲିଯିବ, କେହି କେବେ କଳ୍ପନା ମଧ୍ୟ କରିନଥିବେ। ଏହି ଅଘଟଣ ପରେ ଏବେ ସତସଙ୍ଗର ଆୟୋଜନ କରିଥିବା ଆତ୍ମଘୋଷିତ ଭୋଲେ ବାବାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି।

ଭୋଲେ ବାବା ତଥା ସୁରଜପାଲ ସିଂହଙ୍କର ୧୦୦ କୋଟି ଟଙ୍କାର ସମ୍ପତ୍ତି ଥିବା ଠାବ କରିଛି ପୁଲିସ। ଏଥିସହ ପୁଲିସ ଭୋଲେ ବାବାଙ୍କର ୨୪ଟି ବିଳାସପୂର୍ଣ୍ଣ ଆଶ୍ରମକୁ ଜବତ କରିବା ସହ କାର୍ ଏବଂ ଏକ ପଞ୍ଚତାରକା ଆଶ୍ରମର କାଗଜପତ୍ର ଜବତ କରିଛି।

ଭୋଲେ ବାବାଙ୍କର ଉତ୍ତର ପ୍ରଦେଶରେ ଅନେକ ଆଶ୍ରମ ଥିବାବେଳେ କାନପୁରର ବିଧନୁ ଅଞ୍ଚଳରେ ଥିବା ୬ ଏକର ଜମିର ଆଶ୍ରମରେ ପଞ୍ଚତାରକା ହୋଟଲ ଭଳି ସୁବିଧା ରହିଛି। କାନପୁର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ଆଶ୍ରମ ଅବସ୍ଥିତ, ଯେଉଁଥିରେ ବାରାଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ଭଳି ବିରାଟକାୟ ଫାଟକ ଏବଂ ତିନୋଟି ଗମ୍ବୁଜ ମଧ୍ୟ ରହିଛି।

ଫାଟକଗୁଡ଼ିକରେ ଅତ୍ୟାଧୁନିକ କାରୁକାର୍ଯ୍ୟ ସାଙ୍ଗକୁ ଅନ୍ୟାନ୍ୟ ଡିଜାଇନ୍ ମଧ୍ୟ ହୋଇଛି। ଆଶ୍ରମର ଫାଟରେ ଦାନ କରିଥିବା ବ୍ୟକ୍ତିଙ୍କ ନାମ ଲେଖା ଯାଇଛି। ଏଥିସହ କେତେ ଟଙ୍କା ଦାନ କରିଛନ୍ତି, ତାହା ମଧ୍ୟ ଉଲ୍ଲେଖ ରହିଛି। ଜଣେ ବ୍ୟକ୍ତି ସର୍ବାଧିକ ଅଢେଇ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ସର୍ବନିମ୍ନ ଦାନ ୧୦ ହଜାର ଟଙ୍କା। ଏହି ଆଶ୍ରମର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। 

ସୂଚନା ଅନୁସାରେ, ଦଳଚକଟାରେ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଭୋଲେ ବାବାଙ୍କ ବିରୁଦ୍ଧରେ ଏତଲା ଦିଆଯାଇ ନାହିଁ।ମୈନପୁରୀ ଆଶ୍ରମ ସମ୍ମୁଖରେ ୫୦ ଜଣ ପୁଲିସ ମୁତୟନ ଅଛନ୍ତି।