ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା ହରାଇ ବସିଛି। ମାଟିରେ ତିଆରି ଜିନିଷଗୁଡିକର ଅତ୍ୟାଧିକ ଗୁଣବତା ଥିଲେ ବି ଏଗୁଡିକର ଚାହିଦା ଦିନକୁଦିନ କମିବାରେ ଲାଗିଛି। ଦିନ ଥିଲା ମାଟି ତିଆରି ସାମଗ୍ରୀର ବଡ ଆଦର ଥିଲା। କୁମ୍ଭକାର ପରିବାର ପିଢି ପରେ ପିଢି ନିଜର କୌଳିକ ବୃତ୍ତିକୁ ପେଶା ଭାବେ ଗ୍ରହଣ କରିଥିଲେ। ଚିକ୍କଣ ମାଟିରେ […] The post ମଉଳିଯାଇଛି କୁଳ ବେଉସାର ନିଶା appeared first on Dharitri Odia News.

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା ହରାଇ ବସିଛି। ମାଟିରେ ତିଆରି ଜିନିଷଗୁଡିକର ଅତ୍ୟାଧିକ ଗୁଣବତା ଥିଲେ ବି ଏଗୁଡିକର ଚାହିଦା ଦିନକୁଦିନ କମିବାରେ ଲାଗିଛି। ଦିନ ଥିଲା ମାଟି ତିଆରି ସାମଗ୍ରୀର ବଡ ଆଦର ଥିଲା। କୁମ୍ଭକାର ପରିବାର ପିଢି ପରେ ପିଢି ନିଜର କୌଳିକ ବୃତ୍ତିକୁ ପେଶା ଭାବେ ଗ୍ରହଣ କରିଥିଲେ। ଚିକ୍କଣ ମାଟିରେ ପ୍ରସ୍ତୁତ ମାଟିହାଣ୍ଡି, ମାଠିଆ, କୁଣ୍ଡ, ଫୁଲକୁଣ୍ଡ, ସରା, କଳସ, ଦୀପ, ପଲମ ଭଳି କେତେ କଣ ସାମଗ୍ରୀ। ଏବେ କିନ୍ତୁ ମାଟି ପାତ୍ରର ଚାହିଦା ପୂରଣ କରୁଛି ପ୍ଲାଷ୍ଟିକ, ଫାଇବର, ଷ୍ଟିଲ। ଏଥିପାଇଁ କୁମ୍ଭକାରଙ୍କ ବେଉସା ବୁଡିଯିବାକୁ ବସିଛି। ଏହାପରେ ବି ବହୁ କୁମ୍ଭକାର ନିଜର କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି। ଦୁଃଖକଷ୍ଟରେ ସେମାନେ ନିଜ ବେଉସାକୁ ଭରସା କରି ବଞ୍ଚାଇଛନ୍ତି। ହେଲେ ସେମାନଙ୍କ ସମସ୍ୟା କେହି ବୁଝୁନାହାନ୍ତି କିମ୍ବା ସହାୟତା ମିଳୁନାହିଁ। କୁମ୍ଭକାର ପରିବାର ମଧ୍ୟରୁ ବହୁ ସଦସ୍ୟ ଏବେ ଅନ୍ୟ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳର ମାଟିଆ, ଗଙ୍ଗାରାମପୁର, ଅଢାଖଣ୍ଡ, ଓଉପଦା, ତୋଟାସାହି, ଡାମରପୁର ଆଦି ଅଞ୍ଚଳରେ ବହୁ କୁମ୍ଭକାର ନିଜ ବୃତ୍ତି ଜାରି ରଖିଛନ୍ତି। ପ୍ରୋତ୍ସାହନ ମିଳୁନି ବୋଲି ଅନେକ ନିଜ ବୃତ୍ତିକୁ ଛାଡି ଅନ୍ୟ କାମଧନ୍ଦା କରୁଛନ୍ତି। ଏଣୁ ଅନେକ କୁମ୍ଭକାର ବଞ୍ଚତ୍ବା ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେଣି।
ଅଢାଖଣ୍ଡ ଗ୍ରାମର ମାନସ ବେହେରା କହିଛନ୍ତି, କାଠ ଦର ମହଙ୍ଗା ହେବାରୁ ହାଣ୍ଡି, ମାଠିଆ ଆଦିର ଗଢା ଖର୍ଚ୍ଚ ବଢିଲା। ପ୍ଲାଷ୍ଟିକ, ସିଲ୍‌ଭର, ଷ୍ଟିଲ୍‌ ବାସନର ବହୁଳ ବ୍ୟବହାର ହେବାରୁ ମାଟି ସାମଗ୍ରୀର ଚାହିଦା କମିଲା। ଫଳରେ ଏହି ବୃତ୍ତି ଏବେ ସଙ୍କଟରେ। ଆମକୁ ଭତ୍ତା ମିଳୁନାହିଁ। ବ୍ୟାଙ୍କରୁ ଋଣ ଆଣି ଶୁଝି ପାରୁନାହୁଁ। ପ୍ରଶାସନ କୌଣସି ସହାୟତା ଦେଉ ନ ଥିବାରୁ ଆମ୍ଭେ ବହୁ ଦୁଃଖ କଷ୍ଟରେ ଚଳୁଛୁ। ଅଢାଖଣ୍ଡ ଗ୍ରାମର ଟୁଲୁ ବେହେରା କହିଛନ୍ତି, ଅନ୍ୟ ଅଞ୍ଚଳ ଭଳି ଆମମାନଙ୍କୁ ତାଲିମ ମିଳିଲେ ମାଟିରୁ ଟେରାକୋଟା ଭଳି ସୌଖୀନ ସାମଗ୍ରୀ ପ୍ରସ୍ତୁତ କରିପାରିବୁ। ୧୦ରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ମାଟି ସାମଗ୍ରୀ ବିକ୍ରି ହେଉଛି। ଏଥିରୁ ସପ୍ତାହରେ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି। ଭାର କିମ୍ବା ଅଟୋରିକ୍ସାରେ ମାଟି ସାମଗ୍ରୀ ବିକ୍ରି କରିବାକୁ ନେବାକୁ ପଡୁଛି। ମେଳାରେ ବିଭିନ୍ନ ସାମଗ୍ରୀ ବିକ୍ରି ନ ହେଲେ କମ୍‌ ଦାମ୍‌ରେ ସେଗୁଡ଼ିକୁ ବିକିବାକୁ ପଡୁଛି। ଏଥିରେ ଆମକୁ କ୍ଷତି ସହିବାକୁ ପଡୁଛି। ଅନ୍ୟପକ୍ଷେ ନେବା ଆଣିବାରେ ବି ବହୁ ସାମଗ୍ରୀ ଭାଙ୍ଗିରୁଜି ଯାଉଛି। ଏପରିସ୍ଥିତି ଆମକୁ ଦୁଃଖ ଦେଇଛି। ଶଙ୍କର ବେହେରା କୁହନ୍ତି, ଆମ ବେଉସା ବୁଡିବାକୁ ବସିଥିବା ବେଳେ ଆମେ ଦୀପ ତିଆରି କଲୁ। ହେଲେ ବଜାରରେ ବାହାର ରାଜ୍ୟରୁ ଆସୁଥିବା ଦୀପକୁ ଲୋକେ ଚଢ଼ା ଦରରେ କିଣୁଛନ୍ତି। କିନ୍ତୁ ଆମ ହାତ ତିଆରି ମାଟିଦୀପ ନେଉନାହାନ୍ତି। ଶରତ ବେହେରା କହିଛନ୍ତି, ବାତ୍ୟା ପରଠୁ ମୋର ଶାଳଘର ଭାଙ୍ଗି ପଡ଼ିଛି। ପାଖରେ ଟଙ୍କା ନ ଥିବାରୁ ମରାମତି କରିପାରୁନି। ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ପୁଣି ମାଟି ପାଇଁ ବିଭିନ୍ନ ସ୍ଥାନ ବୁଲିବାକୁ ପଡ଼ୁଛି। ଏଥିସହ ତିଆରି ହୋଇଥିବା ମାଟି ସାମଗ୍ରୀ ପୋଡ଼ିବା ପାଇଁ କାଠ ଆବଶ୍ୟକ ପଡ଼ୁଥିବା ବେଳେ ସେଥିପାଇଁ ଟଙ୍କା ନାହିଁ। ମାଟିରେ ସାମଗ୍ରୀ ତିଆରି କରି ବିକିଲେ ଠିକ୍‌ ପାରିଶ୍ରମିକ ମିଳି ପାରୁ ନ ଥିବାରୁ ଏହି ବୃତ୍ତି ଛାଡ଼ି ଦେଇଛୁ। ଡାମରପୁର କୁମ୍ଭାରସାହିରେ ୧୧ ପରିବାର ଆଗରୁ ମାଟିରେ ବିଭିନ୍ନ ସାମଗ୍ରୀ କରୁଥିବା ବେଳେ ଏବେ କେହି ତିଆରି କରୁନାହାନ୍ତି। ଗଙ୍ଗାରାମପୁର ଗ୍ରାମର ପହଲା ବେହେରା କହିଛନ୍ତି, ବର୍ଷ ସାରା ପେଟପାଟଣା ପାଇଁ ମାଟିର ସାମଗ୍ରୀ ବିକୁଛି। ଏଥିରୁ ପାଇଁ ପରିବାର ବହୁ କଷ୍ଟରେ ଚଳୁଛୁ। ଏଥିରେ ବି ଗ୍ରାହକଙ୍କ ମୂଲଚାଲ କଷ୍ଟ ଦେଇଥାଏ। ତଥାପି ଗ୍ରାହକଙ୍କ ଖୁସି ପାଇଁ ୧୦୦ ଟଙ୍କିଆ ସାମଗ୍ରୀକୁ ୫୦ରୁ ୬୦ ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି। ଏଥିଲାଗି କୌଳିକ ବୃତ୍ତି ସଙ୍କଟରେ ପଡ଼ିଛି। ସରକାର କୁମ୍ଭକାରମାନଙ୍କୁ କିଛି ସୁବିଧାସୁଯୋଗ ଯୋଗାଇ ନ ଦେଲେ ଏହି କୌଳିକ ବୃତ୍ତି ବୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

The post ମଉଳିଯାଇଛି କୁଳ ବେଉସାର ନିଶା appeared first on Dharitri Odia News.