ମକ୍କାରେ ଅଘଟଣ, ଟଳି ପଡ଼ିଲେ ୧୪ ହଜ୍‌ ଯାତ୍ରୀ

ଅନ୍ୟ ୧୭ ଜଣ ହଜ୍‌ ଯାତ୍ରୀ ନିଖୋଜ ହୋଇଛନ୍ତି। ସେମାନଙ୍କ ସନ୍ଧାନ ଜାରି ରହିଛି।

ମକ୍କାରେ ଅଘଟଣ, ଟଳି ପଡ଼ିଲେ ୧୪ ହଜ୍‌ ଯାତ୍ରୀ

ସାଉଦି ଅରବର ପବିତ୍ର ମକ୍କା ମଦିନାରେ ଅଘଟଣ। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଜୋର୍ଡାନ ନାଗରିକ ବୋଲି ସୂଚନା ମିଳିଛି। ଏଥିସହ ୧୭ରୁ ଅଧିକ ଯାତ୍ରୀ ନିଖୋଜ ହୋଇଥିବା ଜଣାପଡିଛି।

ଜୋର୍ଡାନ କହିଛି ଯେ, ହଜ୍‌ର ରୀତିନୀତି କରିବା ସମୟରେ ଅତ୍ୟଧିକ ଗରମ ହେତୁ ୧୪ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୭ ଜଣ ନିଖୋଜ ହୋଇଛନ୍ତି। ନ୍ୟୁଜେନ୍ସି ଏଜେନ୍ସି ଶିନ୍‌ହୁଆ ଅନୁଯାୟୀ ମୃତ ନାଗରିକଙ୍କୁ ଜୋର୍ଡାନ ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି। ସେମାନଙ୍କୁ କବର ଦିଆଯିବ। ପରିବାରର ଅନୁରୋଧରେ ସେମାନଙ୍କୁ ଘରକୁ ଅଣାଯିବ। ଏଥିପାଇଁ ସାଉଦି ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ଏଥିସହ ନିଖୋଜ ଯାତ୍ରୀଙ୍କ ସନ୍ଧାନ ଜାରି ରହିଥିବା ଜୋର୍ଡାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ସୁଫିୟାନ୍ କୁଦାହ କହିଛନ୍ତି।

ଏଏଫ୍‌ପି ରିପୋର୍ଟ ମୁତାବକ, ହଜ୍‌ ଯାତ୍ରୀମାନଙ୍କ ମୃତ୍ୟୁକୁ ନେଇ ଇରାନ୍‌ ରେଡ୍‌ କ୍ରିସେଣ୍ଟ କହିଛି, ଚଳିତ ବର୍ଷ ମକ୍କା ଏବଂ ମଦିନାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଇରାନ ନାଗରିକଙ୍କ ମୃତ୍ୟୁ ହୋଇଛି। ତଥାପି, ଯାତ୍ରୀଙ୍କ ମୃତ୍ୟୁ ପଛରେ ଥିବା କାରଣ କ'ଣ ତାହା କୁହାଯାଇ ନାହିଁ।

ସେପଟେ ସାଉଦି ଆରବ ପକ୍ଷରୁ ଏନେଇ କୌଣସି ବୟାନ ଜାରି କରାଯାଇ ନାହିଁ। ତେବେ ସାଉଦି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମହମ୍ମଦ ଅଲ ଅବଦୁଲାଲି କହିଛନ୍ତି ଯେ ରବିବାର ଦିନ ୨,୭୬୦ ହଜ୍‌ ଯାତ୍ରୀ ସନ୍‌ଷ୍ଟ୍ରୋକ୍ ଓ ହିଟ୍‌ ଓ୍ୱେଭ୍‌ର ଶିକାର ହୋଇଛନ୍ତି। ମକ୍କାର ତାପମାତ୍ରା ୪୭ ଡିଗ୍ରୀ ସେଲସିୟସ୍ ପହଞ୍ଚିଛି।

ଏବେ ସାଉଦି ଆରବର ପବିତ୍ର ସ୍ଥଳ ମକ୍କାରେ ହଜ୍‌ ଯାତ୍ରୀଙ୍କ ଭିଡ ଜମିଛି। ପ୍ରାୟ ୧ ଲକ୍ଷ ୭୫ ହଜାରରୁ ଅଧିକ ଲୋକ ହଜ୍‌ ଯାତ୍ରା କରିଛନ୍ତି।