ମଣିପୁରରେ ପୁଣି ହିଂସା: DCP ଅଫିସ ଉପରେ ଆକ୍ରମଣ

ଆକ୍ରମଣରେ ଜଣେ ପୁଲିସ୍‌ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଡିସିପି ଅଫିସ ନିକଟରେ ରହିଥିବା ଏକାଧିକ ପୁଲିସ୍‌ ଗାଡ଼ିକୁ ଲୋକମାନେ ଭାଙ୍ଗି ଦେଇଛନ୍ତି।

ମଣିପୁରରେ ପୁଣି ହିଂସା: DCP ଅଫିସ ଉପରେ ଆକ୍ରମଣ

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ମଣିପୁରରେ ଆଜି ପୁଣି ବ୍ୟାପକ ହିଂସା ଦେଖିବାକୁ ମିଳିଛି। କିଛି ଲୋକ ମିଳିତ ଭାବେ ଶୋଭାଯାତ୍ରା କରି କାଙ୍ଗପୋକପିରେ ଥିବା ଡିସିପି ଅଫିସ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ପୁଲିସ୍‌ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଡିସିପି ଅଫିସ ନିକଟରେ ରହିଥିବା ଏକାଧିକ ପୁଲିସ୍‌ ଗାଡ଼ିକୁ ଲୋକମାନେ ଭାଙ୍ଗି ଦେଇଛନ୍ତି।

ପୁଲିସ୍‌ କହିଛି ଯେ ଆଜି ସନ୍ଧ୍ୟାରେ ଶତାଧିକ ଲୋକ ଏକାଠି ହାତରେ ବାଡ଼ି ଓ ଅନ୍ୟାନ୍ୟ ମରଣାସ୍ତ୍ର ଧରି ଡିସିପି ଅଫିସ ଅଭିମୁଖେ ଶୋଭାଯାତ୍ରାରେ ପହଞ୍ଚିଥିଲେ। ସେମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଅଟକାଇବାକୁ ଚେଷ୍ଟା କରିବାରୁ ସଂଘର୍ଷ ଦେଖିବାକୁ ମିଳିଥିଲା। ସେହିପରି ସେମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷାକର୍ମୀମାନେ ମଧ୍ୟ ଲୁହବୁହା ଗ୍ୟାସ ଓ ଲାଠିଚାର୍ଜ କରିଛନ୍ତି।

ଏବେ ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ପାହାଡ଼ ଉପରେ ରହିଥିବା କୁକି ଓ ଆଦିବାସୀ ବହୁଳ କାଙ୍ଗପୋକପିରେ ବେଶ କିଛି ଦିନ ହେବ ଚାପା ଉତ୍ତେଜନା ଲାଗି ରହିଥିଲା। ଆଜି ସେଠାରେ ଉତ୍ତେଜନା ଭୟଙ୍କର ହିଂସାର ରୂପ ନେଇଛି। ଆକ୍ରମଣ ଘଟଣା ପରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ କାଙ୍ଗପୋକପି ଯାଇଥିବା ଜଣାପଡ଼ିଛି।

୨୦୨୪ର ଶେଷ ଦିନରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ରାଜ୍ୟରେ ୨୦୨୩ ମେ’ରୁ ଚାଲିଥିବା ହିଂସା ପାଇଁ ସମସ୍ତଙ୍କୁ କ୍ଷମା ମାଗିଥିଲେ। ଏଥିସହ ୨୦୨୫ରୁ ସମସ୍ତେ ସବୁ କିଛି ଭୁଲି ନୂଆ ଆରମ୍ଭ କରିବାକୁ କହିଥିଲେ। କିନ୍ତୁ ଆଜି ରାଜ୍ୟରେ ଓଲଟା ସ୍ଥିତି ଦେଖିବାକୁ ମିଳିଛି।