ମଦ ନିଶାରେ ପୁଅର ସାଙ୍ଗକୁ ଛାତରୁ ଠେଲି ଦେଲେ ବ୍ୟବସାୟୀ

ଘଟଣା ଦିନ ଉଭୟ ଅଭିଯୁକ୍ତ ମଦ ନିଶାରେ ଥିଲେ। ପୂରା ମାମଲାର ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ମଦ ନିଶାରେ ପୁଅର ସାଙ୍ଗକୁ ଛାତରୁ ଠେଲି ଦେଲେ ବ୍ୟବସାୟୀ

ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ପ୍ରି-ଓ୍ୱେଡିଂ ପାର୍ଟି ବେଳେ ହଙ୍ଗାମା। ମଦ ନିଶାରେ ପୁଅର ସାଙ୍ଗକୁ ଛାତରୁ ଠେଲି ଦେଲେ ବ୍ୟବସାୟୀ ବାପା। ଉତ୍ତରପ୍ରଦେଶର ବରେଲିରୁ ଆସିଛି ଏଭଳି କିଛି ମାମଲା। ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି।

ବରେଲିର ରାଜେନ୍ଦ୍ର ନଗରରେ ରହୁଥିବା ସଞ୍ଜୟ ଅଗ୍ରଓ୍ୱାଲ ବ୍ୟାବସାୟୀ ସୁରକ୍ଷା ଫୋରମ୍‌ର ବରିଷ୍ଠ ଉପାଧ୍ୟକ୍ଷ ଅଟନ୍ତି। ତାଙ୍କ ପୁଅ ସାର୍ଥକ ଅଗ୍ରଓ୍ୱାଲ ହେଲ୍‌ଥ ସେକ୍ଟର୍‌ରେ କେମିକାଲ ବ୍ୟବସାୟ କରେ। କୁହାଯାଉଛି ଯେ, ସାର୍ଥକ ଜନକପୁରୀ ବାସିନ୍ଦା ସାଙ୍ଗ ରିଦମ ଅରୋରା ସମେତ ଅନ୍ୟମାନଙ୍କ ସହ ମିଶି ଏପ୍ରିଲ ୨୧ ତାରିଖରେ ଏକ ପାର୍ଟିରେ ଯୋଗ ଦେବା ପାଇଁ ହୋଟେଲକୁ ଯାଇଥିଲେ। ଏହି ସମୟରେ କୌଣସି କଥାକୁ ନେଇ ରିଦମ୍‌ଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଦେଖୁ ଦେଖୁ ଏହି ଝଗଡା ଉଗ୍ର ରୂପ ନେଇଥିଲା। ଏହାପରେ ରିଦମ୍‌ ନିଜ କପଡା ବ୍ୟବସାୟୀ ବାପା ସଞ୍ଜିବ ଅରୋରାଙ୍କୁ ଫୋନ୍‌ କରି ଡାକିଥିଲେ।

ଏହାପରେ ସଞ୍ଜିବ ଅରୋରା ଓ ପୁଅ ରିଦମ ମିଶି ସାର୍ଥକ ଅଗ୍ରଓ୍ୱାଲଙ୍କ ସହ ମାର୍‌ପିଟ୍‌ କରିଥିଲେ। ସାର୍ଥକ ଗୋଡ ଧରି କ୍ଷମା ମାଗିଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ। ପରେ ତାଙ୍କୁ ହୋଟେଲ ଛାତରୁ ୨୫ ଫୁଟ୍‌ ତଳକୁ ଠେଲି ଦେଇଥିବା ପୀଡିତଙ୍କ ବାପା ଅଭିଯୋଗ କରିଛନ୍ତି। ଏଥିରେ ସାର୍ଥକ ଗୁରୁତର ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସାର୍ଥକଙ୍କୁ ବରେଲିର ମେଡିକାଲ କଲେଜରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୀଡିତଙ୍କ ବାପା ସଞ୍ଜୟ ଅଗ୍ରଓ୍ୱାଲ କହିଛନ୍ତି।

ଏହି ପୂରା ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ପୁଲିସ ଦୁଇ ଅଭିଯୁକ୍ତ ଅରୋରା ବାପା-ପୁଅଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣା ଦିନ ଉଭୟ ଅଭିଯୁକ୍ତ ମଦ ନିଶାରେ ଥିଲେ। ପୂରା ମାମଲାର ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।