ମଦ ପିଇ ମର୍ସିଡିଜ ବେଞ୍ଜ ଚଳାଉଥିଲେ, ଯୁବତୀଙ୍କ ଉପରେ ଚଢ଼ାଇ ଦେଲେ

ଘଟଣା ପରେ ଧନୁଶ ଘଟଣାସ୍ଥଳକୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ଲୋକମାନେ ତାଙ୍କୁ କାବୁ କରିବା ସହ ପ୍ରବଳ ପିଟିଥିଲେ।

ମଦ ପିଇ ମର୍ସିଡିଜ ବେଞ୍ଜ ଚଳାଉଥିଲେ, ଯୁବତୀଙ୍କ ଉପରେ ଚଢ଼ାଇ ଦେଲେ

ବେଙ୍ଗାଲୁରୁର କେଙ୍ଗେରି ଠାରେ ଘଟିଛି ବଡ଼ ଅଘଟଣ। ମଦ ପିଇ ମର୍ସିଡିଜ ବେଞ୍ଜ ଚଳାଉଥିବା ଜଣେ ୨୦ ବର୍ଷୀୟ ଯୁବକ ଘଟାଇଛନ୍ତି ଅଭାବନୀୟ କାଣ୍ତ। ସେ ନିଶାସକ୍ତ ଅବସ୍ଥାରେ ରାସ୍ତା ଅତିକ୍ରମ କରୁଥିବା ଜଣେ ୩୦ ବର୍ଷୀୟ ଯୁବତୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଛନ୍ତି।

ଶନିବାର ସନ୍ଧ୍ୟାରେ ଘଟଣା ଘଟିଥିବା ବେଳେ କାର୍‌ ଧକ୍କାରେ ୩୦ ବର୍ଷୀୟ ସନ୍ଧ୍ୟାଙ୍କ ମୃତ୍ୟୁ ଘଟିଛି। ପୁଲିସ୍‌ ଏହି ଘଟଣାରେ ୨୦ ବର୍ଷୀୟ ଧନୁଶଙ୍କୁ ଗିରଫ କରିଛି। ଏହାପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଧନୁଶ ହେଉଛନ୍ତି ଘରୋଇ ବସ ଏଲଭି ଟ୍ରାଭେଲ୍ସର ମାଲିକ ପରମେଶ୍ୱରଙ୍କ ପୁଅ। ବାପାଙ୍କ ପାଖରେ ପ୍ରବଳ ଟଙ୍କା ଥିବାରୁ ୨୦ ବର୍ଷୀୟ ପୁଅ ଧନୁଶ ମର୍ସିଡିଜ ବେଞ୍ଜ ଭଳି ଦାମୀ ଗାଡ଼ି ଧରିବା ସହ ମଦ ପିଇ ଏହାକୁ ଚଳାଉଥିଲେ। ସେ ନିଶାସକ୍ତ ଅବସ୍ଥାରେ କେବଳ ସନ୍ଧ୍ୟାଙ୍କ ଉପରେ ଗାଡ଼ି ଚଢ଼ାଇ ନାହାନ୍ତି, ବରଂ ସୟିଦ ଅର୍ବାଜ ନାମକ ଜଣେ ବାଇକରଙ୍କୁ ମଧ୍ୟ ଧକ୍କା ଦେଇଛନ୍ତି।

ପୁଲିସ୍‌ର କହିବା କଥା ପୂରା ଘଟଣା କେଙ୍ଗେରି ଟ୍ରାଫିକ ଟ୍ରାଞ୍ଜିଟ ମ୍ୟାନେଜମେଣ୍ଟ ସେଣ୍ଟର ନିକଟରେ ଘଟିଥିଲା। ସନ୍ଧ୍ୟା ପ୍ରାୟ ୬.୪୫ ହେବ। ସନ୍ଧ୍ୟା ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍‌ ଧନୁଶ ଦ୍ରୁତଗତିରେ ନିଜ ମର୍ସିଡିଜ ବେଞ୍ଜ ଦ୍ୱାରା ତାଙ୍କୁ ଧକ୍କା ଦେଇଥିଲେ। ତାଙ୍କ ଉପରେ ଗାଡ଼ି ଚଢ଼ାଇ ସେ ବାଇକରେ ଯାଉଥିବା ଅର୍ବାଜଙ୍କୁ ମଧ୍ୟ ଧକ୍କା ଦେଇଥିଲେ। ଏଥିରେ ଅର୍ବାଜ ମଧ୍ୟ ଗୁରୁତର ହୋଇଛନ୍ତି।

ଘଟଣା ପରେ ଧନୁଶ ଘଟଣାସ୍ଥଳକୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ଲୋକମାନେ ତାଙ୍କୁ କାବୁ କରିବା ସହ ପ୍ରବଳ ପିଟିଥିଲେ। ସେ ମଦ ନିଶାରେ ଗାଡ଼ି ଚଳାଉଥିବାରୁ ଲୋକଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଥିଲେ। ସେମାନେ ତାଙ୍କୁ ପିଟିବା ପରେ ପୁଲିସ୍‌ରେ ଜିମା ଦେଇଥିଲେ।

ରକ୍ତାକ୍ତ ଅବସ୍ଥାରେ ଲୋକମାନେ ସନ୍ଧ୍ୟାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ୍‌ ପରିବାର ଲୋକଙ୍କ ଏଫଆଇଆର ରଖିବାକୁ ମନା କରିଥିବା ଅଭିଯୋଗ ହୋଇଛି। ତେବେ ବିବାଦ ପରେ ରବିବାର ଆରଆର ନଗର ପୁଲିସ୍‌ ଷ୍ଟେସନରେ ଏଫଆଇଆର ପଞ୍ଜିକୃତ ହୋଇଛି।

ସନ୍ଧ୍ୟାଙ୍କ ଦାଦା ଉମେଶ କହିଛନ୍ତି, “ଶନିବାର ରାତି ୯.୧୫ରେ ଆମେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲୁ। ପୁଲିସ୍‌ ସନ୍ଧ୍ୟାଙ୍କ ଆଧାର କାର୍ଡ ଦେଖି ଆମକୁ ଯୋଗାଯୋଗ କରିଥିଲା। ସେ ମେଟ୍ରୋ ଟ୍ରେନ ଧରି ସନ୍ଧ୍ୟା ୬.୩୦ରେ କେଙ୍ଗେରି ଠାରେ ପହଞ୍ଚିଥିଲା। ଏଠାରୁ ସେ ତା’ ମାଲିକାରେ ଥିବା ଦୋକାନକୁ ଆସିଥିଲା। ଏହି ସମୟରେ ଏତେ ବଡ଼ ଘଟଣା ଘଟିଛି।”