ମଧ୍ୟପ୍ରାଚ୍ୟରୁ ବିଶ୍ୱଯୁଦ୍ଧର ପଦଧ୍ୱନି, ସତର୍କ ଭାରତ ପ୍ରଭାବୀ ପଦକ୍ଷେପ ନେଉ
ମଧ୍ୟପ୍ରାଚ୍ୟ କ୍ରମଶଃ ଅଶାନ୍ତ ହେବାରେ ଲାଗିଛି। ଇସ୍ରାଏଲ୍-ହମାସ୍ ଯୁଦ୍ଧର ମୀମାଂସା ଏ ପର୍ଯ୍ୟନ୍ତ ହୋଇ ନ ଥିବା ବେଳେ ଇସ୍ରାଏଲ୍ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଛି ଇରାନ୍। ଗତ ୧ ତାରିଖରେ ସିରିଆସ୍ଥିତ ଇରାନ୍ର ସାମରିକ କାର୍ଯ୍ୟାଳୟ ଓ ବାଣିଜ୍ୟିକ ଦୂତାବାସ ଉପରେ ଇସ୍ରାଏଲ୍ ଆକ୍ରମଣର ପ୍ରତିଶୋଧରେ ରକ୍ତମୁଖା ଇରାନ୍ ଗତକାଲି ଇସ୍ରାଏଲ୍ ବିରୋଧରେ ଶତାଧିକ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରିଥିବା ବେଳେ ଆଗକୁ ଆହୁରି ଭୟଙ୍କର ଆକ୍ରମଣ ହେବ ବୋଲି ଚେତାବନୀ ଦେଇଛି। […]

ମଧ୍ୟପ୍ରାଚ୍ୟ କ୍ରମଶଃ ଅଶାନ୍ତ ହେବାରେ ଲାଗିଛି। ଇସ୍ରାଏଲ୍-ହମାସ୍ ଯୁଦ୍ଧର ମୀମାଂସା ଏ ପର୍ଯ୍ୟନ୍ତ ହୋଇ ନ ଥିବା ବେଳେ ଇସ୍ରାଏଲ୍ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଛି ଇରାନ୍। ଗତ ୧ ତାରିଖରେ ସିରିଆସ୍ଥିତ ଇରାନ୍ର ସାମରିକ କାର୍ଯ୍ୟାଳୟ ଓ ବାଣିଜ୍ୟିକ ଦୂତାବାସ ଉପରେ ଇସ୍ରାଏଲ୍ ଆକ୍ରମଣର ପ୍ରତିଶୋଧରେ ରକ୍ତମୁଖା ଇରାନ୍ ଗତକାଲି ଇସ୍ରାଏଲ୍ ବିରୋଧରେ ଶତାଧିକ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରିଥିବା ବେଳେ ଆଗକୁ ଆହୁରି ଭୟଙ୍କର ଆକ୍ରମଣ ହେବ ବୋଲି ଚେତାବନୀ ଦେଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇରାନ୍ ଅଧିକ ଆକ୍ରମଣ କରିପାରେ ବୋଲି ଆମେରିକା ଗୁଇନ୍ଦା ସୂତ୍ରରୁ ମଧ୍ୟ ଖବର ମିଳିଛି। ଇସ୍ରାଏଲ୍ କିମ୍ବା ଇରାନ୍ ନ ଯିବା ପାଇଁ ଭାରତୀୟମାନଙ୍କୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ରୁଷ, ଫ୍ରାନ୍ସ, ବ୍ରିଟେନ୍ ମଧ୍ୟ ଅନୁରୂପ ପରାମର୍ଶ ଦେଇଛନ୍ତି।
ମଧ୍ୟପ୍ରାଚ୍ୟରେ ବହୁଦଶନ୍ଧି ଧରି କୁହୁଳି ଆସୁଥିବା ଧୂଅାଁ ମଝିରେ ମଝିରେ ବାହ୍ୟଶକ୍ତିର ପ୍ରଭାବରେ ଅଗ୍ନିସ୍ପୁଲିଙ୍ଗର ରୂପ ନିଏ। ଏବେ ତାହାର ପୁନରାବୃତ୍ତି ଯାହା ଘଟିଛି। ବର୍ତ୍ତମାନ ଇସ୍ରାଏଲ୍-ଇରାନ୍ ମଧ୍ୟରେ ଯେଉଁ ଯୁଦ୍ଧ ଘନଘଟା ଦେଖାଦେଇଛି ତାହା ଅପ୍ରତ୍ୟାଶିତ ନୁହେଁ, ବରଂ ଏହାର ନିଅାଁ ଗତ ବର୍ଷ ଅକ୍ଟୋବର ୭ ତାରିଖରୁ ଲାଗିଛି, ଯେତେବେଳେ ଇରାନ୍ ସମର୍ଥିତ ଓ ସହାୟତା ପ୍ରାପ୍ତ ପାଲେଷ୍ଟାଇନ୍ର ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଇସ୍ରାଏଲ୍ ଉପରେ ଭୟଙ୍କର ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧରେ ହମାସ୍ ମୂଳପୋଛ ଲକ୍ଷ୍ୟରେ ଇସ୍ରାଏଲ୍ ଯେଉଁ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ସେଥିରେ ଗାଜା ଷ୍ଟ୍ରିପ୍ରେ ଏ ପର୍ଯ୍ୟନ୍ତ ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ୩୨ ହଜାରରୁ ଊର୍ଦ୍ଧ୍ବ ନାଗରିକ ନିହତ ହୋଇଛନ୍ତି। ଇସ୍ରାଏଲ୍ର ଆକ୍ରମଣରୁ ଗାଜାର ଡାକ୍ତରଖାନା ଓ ସ୍କୁଲ୍ ମଧ୍ୟ ବାଦ୍ ପଡ଼ିନାହିଁ। ଆହୁରି ମଧ୍ୟ ସିରିଆରେ ଗୃହଯୁ୍ଦ୍ଧ ପଛରେ ଇସ୍ରାଏଲ୍ର ବନ୍ଧୁ ଆମେରିକାର ହାତ ରହିଥିବା ଅଭିଯୋଗ ହୋଇଛି। ଏହି ପରିସ୍ଥିତି ଇରାନ୍କୁ କ୍ଷୁବ୍ଧ କରିଛି। ଅଧିକନ୍ତୁ ଇସ୍ରାଏଲ୍ର ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ଆମେରିକାର ନିରବ ସମର୍ଥନ ଇରାନ୍କୁ ଆହୁରି ଉଗ୍ର କରିଛି। ତେଣୁ ସିରିଆ ସ୍ଥିତ ଇରାନ୍ ଦୂତାବାସ ଉପରେ ଆକ୍ରମଣ ଅଭିଯୋଗକୁ ଇସ୍ରାଏଲ୍ ଖଣ୍ଡନ କରିଥିଲେ ମଧ୍ୟ ଇସ୍ରାଏଲ୍ ବିରୋଧରେ ଯୁଦ୍ଧ ପାଇଁ ଇରାନ୍ ପ୍ରସ୍ତୁତି ଆରମ୍ଭ କରିସାରିଛି।
ତେବେ ଯୁଦ୍ଧ ଅଧିକ ଉଗ୍ର ହେବା ପୂର୍ବରୁ ସାମରିକ ବିଶାରଦମାନେ ଉଭୟ ଇସ୍ରାଏଲ୍ ଓ ଇରାନ୍ର ଯେଉଁ ସାମରିକ ଶକ୍ତି କଳନା କରିଛନ୍ତି ସେଥିରେ ଆପାତତଃ ଇରାନ୍ ଅଧିକ ଶକ୍ତିଶାଳୀ ମନେ ହେଉଛି। ଇରାନ୍ର ୫ ଲକ୍ଷ ସଦସ୍ୟ ବିଶିଷ୍ଟ ବିରାଟ ସାମରିକ ବାହିନୀ ବ୍ୟତୀତ ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ ଗ୍ରୁପ୍ର ୨ ଲକ୍ଷ ଆପତ୍କାଳୀନ ସଂରକ୍ଷିତ ଓ ସମର୍ପିତ ଆତ୍ମଘାତୀ ଯୋଦ୍ଧା ରହିଛନ୍ତି। ଏମାନେ ଜଳ, ସ୍ଥଳ, ଆକାଶ ସୀମା ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଏବଂ ଯେକୌଣସି ଦେଶରେ ଆତଙ୍କ ସୃଷ୍ଟି କରିବାରେ ସମର୍ଥ। ଇରାନ୍ର ଶାସନ ମୁଖ୍ୟ ଆୟାତୋଲା ଖେମିନିଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ପରିଚାଳିତ ଦୁର୍ଦ୍ଧର୍ଷ କୁଦ୍ ବାହିନୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ନିୟୋଜିତ। ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସଂଖ୍ୟା ଦୃଷ୍ଟିରୁ ମଧ୍ୟପ୍ରାଚ୍ୟରେ ଇରାନ୍ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର। ଅବଶ୍ୟ ଇରାନ୍ର ଗତକାଲିର ଆକ୍ରମଣରେ ଇସ୍ରାଏଲ୍ର ବିଶେଷକିଛି କ୍ଷୟକ୍ଷତି ହୋଇନାହିଁ। କାରଣ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଇରାନ୍ଠାରୁ ଇସ୍ରାଏଲ୍ ବହୁଦୂରରେ ଅବସ୍ଥିତ। ଇସ୍ରାଏଲରେ ଲକ୍ଷ୍ୟଭେଦ କରିବା ପୂର୍ବରୁ ଇରାନ୍ର ମିସାଇଲ୍ଗୁଡ଼ିକ ଜୋର୍ଡାନ୍, ଇରାକ୍ ଆଦି ରାଷ୍ଟ୍ରର ବାୟୁସୀମା ପାରି ହେବାକୁ ପଡ଼ିବ ବୋଲି କୁହାଯାଉଥିଲେ ମଧ୍ୟ ଇତିମଧ୍ୟରେ ଇରାନ୍ ପାଖରେ ଅଣୁଅସ୍ତ୍ରବାହୀ ଯେଉଁ କ୍ଷେପଣାସ୍ତ୍ରମାନ ରହିଛି ତାହା ୧୨୦୦ ମାଇଲ୍ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ମିସାଇଲ୍ ଓ ଡ୍ରୋନ୍ ଶକ୍ତିରେ ବଳୀୟାନ୍ ଇରାନ୍ର ଆଉ ଏକ ଶକ୍ତି ହେଲା ହମାସ୍, ହେଜବୋଲ୍ଲା, ହାଉଥି ଆଦି ଆତଙ୍କବାଦୀ ଗୋଷ୍ଠୀ ଏବେ ଇସ୍ରାଏଲ୍ ବିରୋଧରେ ପ୍ରତ୍ୟକ୍ଷ ଆକ୍ରମଣରେ ସକ୍ରିୟ ଅଛନ୍ତି। ତେଣୁ ଗାଜା ଯୁଦ୍ଧରେ ଇସ୍ରାଏଲ୍ର ସେନାବାହିନୀ ଯେଉଁ ପରାକ୍ରମ ଦେଖାଇଥିଲା ତାହା ଇରାନ ବିପକ୍ଷ ଯୁଦ୍ଧରେ ପୁନରାବୃତ୍ତି ନ ହୋଇପାରେ।
ଅପରପକ୍ଷରେ ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାକୁ ସକ୍ଷମ ଥିବା ଅତ୍ୟାଧୁନିକ ରଣକୌଶଳରେ ଧୂରନ୍ଧର ଇସ୍ରାଏଲ୍କୁ ଆମେରିକା ପ୍ରତ୍ୟକ୍ଷ ସମର୍ଥନ ଦେଇଆସୁଛି। ଏହି ଦୃଷ୍ଟିରୁ ଯଦି ଇସ୍ରାଏଲ୍-ଇରାନ୍ ଯୁଦ୍ଧ ଆହୁରି ଅଧିକ ଉଗ୍ର ହୁଏ ତେବେ ପୃଥିବୀର ମହାଶକ୍ତିମାନେ ଦୁଇଭାଗରେ ବିଭକ୍ତ ହୋଇଯିବାର ଆଶଙ୍କାକୁ ଏଡ଼ାଇ ଦେଉ ହେଉ ନାହିଁ। କାରଣ ଇରାନ୍କୁ ପରୋକ୍ଷ ସମର୍ଥନ ଦେଇ ଆସୁଥିବା ଚୀନ୍, ରୁଷ୍, ଉତ୍ତର କୋରିଆ ଓ ତୁର୍କୀ ଭଳି ଆମେରିକା ବିରୋଧୀ ରାଷ୍ଟ୍ରମାନେ ଇସ୍ରାଏଲ୍ ବିରୋଧରେ ଇରାନ୍କୁ ପ୍ରତ୍ୟକ୍ଷ ସହାୟତା ଦେଇପାରନ୍ତି, ଯାହା ପୁଣି ଏକ ବିଶ୍ୱଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି।
ଯଦି ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ଘନଘଟା ସୃଷ୍ଟି ହୁଏ ସେଥିରେ ସମଗ୍ର ପଶ୍ଚିମ ଏସିଆ ସମେତ ଭାରତ ମଧ୍ୟ ପ୍ରଭାବିତ ହେବ। ତେଣୁ ଏହି ଘଟଣା ପରେ ଭାରତ ମାପିଚୁପି ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି। ଲୋହିତ ସାଗର ଓ ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଇସ୍ରାଏଲ୍ ଓ ଇରାନ୍ ସାମରିକ କାର୍ଯ୍ୟାନୁଷ୍ଠାନରୁ ବିରତ ରହିବାକୁ ଭାରତ ପରାମର୍ଶ ଦେଇଛି। କୂଟନୈତିକ ଓ ବାଣିଜିକ୍ୟକ ଦୃଷ୍ଟିକୋଣରୁ ଇରାନ୍ ସହିତ ଭାରତର ସମ୍ପର୍କ ଭଲ। ବିଶେଷକରି ଚବାହାର ବନ୍ଦର ପ୍ରତିଷ୍ଠା କରି ଭାରତ ଇରାନ୍ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ଆହୁରି ଦୃଢ଼ କରିଛି। ଆମେରିକାର ଇରାନ୍ ବିରୋଧୀ କଟକଣା ପୂର୍ବରୁ ଭାରତର ସର୍ବବୃହତ୍ ଅଶୋଧିତ ତୈଳ ରପ୍ତାନୀକାରୀ ଥିଲା ଇରାନ୍। ସେହିପରି ଉଭୟ ଭାରତ-ଇରାନ୍ ଆତଙ୍କବାଦ ନିରୋଧୀ ଆଭିମୁଖ୍ୟରେ ଏକମତ। ଅପରପକ୍ଷରେ ଆତଙ୍କବାଦ ବିରୋଧରେ ଇସ୍ରାଏଲ୍ କାର୍ଯ୍ୟାନୁଷ୍ଠାନକୁ ଭାରତ ସମର୍ଥନ ଦେଇ ଆସୁଛି ଏବଂ ପ୍ରତିରକ୍ଷା ଉପକରଣ, ସାମରିକ-ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର କ୍ଷେତ୍ରରେ ଦୁଇ ରାଷ୍ଟ୍ର ଚୁକ୍ତିବଦ୍ଧ। ତେଣୁ ଏଭଳି ପରିସ୍ଥିତିରେ ଭାରତ ନିର୍ଦ୍ଦିଷ୍ଟ ଭାବେ କୌଣସି ପକ୍ଷ ନେଇପାରିବ ନାହିଁ। ବରଂ ପଶ୍ଚିମ ଏସିଆରେ ଶାନ୍ତିବାହାଲ ପାଇଁ ଭାରତ ଯେଉଁ ଆହ୍ୱାନ ଦେଇଛି ତାହା ଯଥାର୍ଥ ଓ ସ୍ୱାଗତଯୋଗ୍ୟ।
ତେବେ କେତେକ ଘଟଣାରେ ଭାରତ ଇରାନ୍-ଇସ୍ରାଏଲ୍ ବିବାଦରେ ଅବାଞ୍ଛିତ ଭାବେ ପକ୍ଷଭୁକ୍ତ ହୋଇଯାଇଛି। ଉଦାହରଣସ୍ୱରୂପ ୨୦୧୨ରେ ନୂଆଦିଲ୍ଲୀରେ ଇସ୍ରାଏଲ୍ କୂଟନୀତିଜ୍ଞଙ୍କ ପତ୍ନୀଙ୍କୁ ହତ୍ୟା କରିବା ପଛରେ ଇରାନ୍ର ହାତ ଥିବା ଜଣାପଡ଼ିଥିଲା ଏବଂ ୨୦୨୧ରେ ଇସ୍ରାଏଲ୍-ଇରାନ୍ ରାଷ୍ଟ୍ରଦୂତଙ୍କ ମଧ୍ୟରେ ନୂଆଦିଲ୍ଲୀଠାରେ ହିଁ ମତାନ୍ତର ହୋଇଥିଲା। ଏଭଳି କେତେକ ଘଟଣାରେ ଭାରତର ପକ୍ଷ ଅଯଥାର୍ଥ ଭାବେ ସନ୍ଦେହ ଘେରକୁ ଆସିଯାଇଥିଲା। ତେଣୁ ଭାରତକୁ ଉଭୟ ରାଷ୍ଟ୍ରର ସହିତ ସମତୁଲତା ରକ୍ଷା କରିବା ପାଇଁ ଆହୁରି ସୁଚିନ୍ତିତ ପଦକ୍ଷେପ ନେବା ଉଚିତ ହେବ।
ସାମ୍ପ୍ରତିକ ସ୍ଥିତିରେ ଭାରତ ପାଇଁ ସବୁଠାରୁ ଉଦ୍ବେଗଜନକ ହେଉଛି ମଧ୍ୟପ୍ରାଚ୍ୟରେ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା। ସେହି ଅଞ୍ଚଳରେ ପ୍ରାୟ ୯୦ ଲକ୍ଷ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ହଜାର ଇସାଏଲ୍ରେ ଏବଂ ୧୦ ହଜାର ଇରାନ୍ରେ ବିଭିନ୍ନ କାମଧନ୍ଦାରେ ନିୟୋଜିତ ଅଛନ୍ତି। ତେଣୁ ଯୁଦ୍ଧ ଆରମ୍ଭ ହେଲେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟ ଭାରତ ପାଇଁ ଆହ୍ୱାନ ସୃଷ୍ଟି କରିବ। ବିଶେଷକରି ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତ ପାଇଁ ଏହା ଆହୁରି କଠିନ ହେବ। ଏହାଛଡ଼ା ଏବେ ମଧ୍ୟ ଭାରତର ମୋଟ ତୈଳ ଚାହିଦାର ୮୦% ମଧ୍ୟପ୍ରାଚ୍ୟରୁ ହିଁ ଆସୁଛି। ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହେଲେ ଭାରତର ତୈଳ ଆମଦାନୀ ପ୍ରଭାବିତ ହେବ ଏବଂ ଅର୍ଥନୈତିକ ସଙ୍କଟ ବଢ଼଼ିବ। ତେଣୁ ଯେତେଶୀଘ୍ର ମଧ୍ୟପ୍ରାଚ୍ୟରେ ଶାନ୍ତି ବାହାଲ ହେବ ତାହା ସମଗ୍ର ବିଶ୍ୱ ସମେତ ଭାରତ ପାଇଁ ମଙ୍ଗଳକର ହେବ। ଏବେ ଇସ୍ରାଏଲ୍-ଇରାନ୍ର ଆଭିମୁଖ୍ୟର ବାସ୍ତବତା ଦୃଷ୍ଟିରୁ ଭାରତ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରି ଦୁଇ ପକ୍ଷକୁ ଶାନ୍ତ କରିପାରିବ ନାହିଁ। କିନ୍ତୁ ଆନ୍ତର୍ଜାତିକ କୂଟନୀତି ମହଲରେ ଭାରତ ଏ ଦିଗରେ ସକ୍ରିୟ ପ୍ରୟାସ କରିପାରିବ। ଭାରତ ଆଉ ଏବେ ପୂର୍ବର ବିକାଶଶୀଳ ରାଷ୍ଟ୍ର ହୋଇନାହିଁ। ସାମରିକ, କୂଟନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ବିଶ୍ୱର ଏକ ଅଗ୍ରଣୀ ଓ ସମ୍ମାନାସ୍ପଦ ସ୍ଥାନ ହାସଲ କରିସାରିଛି। ଜି-୨୦ ଅଧ୍ୟକ୍ଷତା କରି ଭାରତ ତାହାର ସ୍ଥିତି ଆହୁରି ଦୃଢ଼ କରିପାରିଛି। କୃଷି, ପରିବେଶ ପରିଚାଳନାରେ ଆଦର୍ଶ ଓ ଉଦାହରଣୀୟ ଯୋଜନାମାନ ଗ୍ରହଣ କରିଛି। ବିଶାଳ ଯୁବଶକ୍ତି ଓ ପ୍ରଚଣ୍ଡ ଜ୍ଞାନକୌଶଳ ଭାରତକୁ ବିଶ୍ୱଗୁରୁ ହେବାର ବାଟ କଢ଼ାଇ ନେଉଛନ୍ତି। ତେଣୁ ଭାରତ ମଧ୍ୟପ୍ରାଚ୍ୟରେ ଶାନ୍ତି ରକ୍ଷା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ।