ମଧ୍ୟପ୍ରାଚ୍ୟରେ ଘନଉଛି ବିବାଦ; ଇସ୍ରାଏଲରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ
ଦୂତାବାସ ପକ୍ଷରୁ ଲେବାନନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଆଡା ଜାରି କରାଯାଇଛି।
ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଅଶାନ୍ତ ହେବାରେ ଲାଗିଛି। ହମାସ ଏବଂ ହିଜବୁଲ ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ ଇରାନ ଏବଂ ଏହାର ସମର୍ଥିତ ଗୋଷ୍ଠୀ ଇସ୍ରାଏଲ ଉପରେ ଡାଇରେକ୍ଟ ଆଟାକ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲେବାନନ ଏବଂ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଛି ଦୂତାବାସ।
ଭାରତୀୟ ଦୂତାବାସ ଇସ୍ରାଏଲରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ କହିବା ସହ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ପାଇଁ ପରାମର୍ଶ ଦେଇଛି। ସେହିପରି ଲେବାନନର ରାଜଧାନୀ ବେରୁଟରେ ଥିବା ଭାରତୀୟ ଦୂତାବାସ, ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି।
ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ପଶ୍ଚିମ ଏସିଆ ଦେଶକୁ ନ ଯିବାକୁ କୁହାଯାଉଛି। ସେହିପରି ଭାରତୀୟଙ୍କୁ ମଧ୍ୟ ଲେବାନନ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଏପଟେ ଏୟାର ଇଣ୍ଡିଆ ଇସ୍ରାଏଲର ତେଲ୍ ଆଭିଭକୁ ବିମାନ ଚଳାଚଳ ସ୍ଥଗିତ ରଖିଛି। ଅଗଷ୍ଟ 8 ପର୍ଯ୍ୟନ୍ତ ତେଲ୍ ଆଭିଭକୁ ଏୟାର ଇଣ୍ଡିଆର କୌଣସି ବିମାନ ଉଡ଼ିବ ନାହିଁ।
ମଧ୍ୟପ୍ରାଚ୍ୟରେ ଏହି ବିବାଦ ହମାସ ଏବଂ ହିଜବୁଲର ସର୍ବୋଚ୍ଚ ନେତାଙ୍କ ହତ୍ୟା ପରେ ସୃଷ୍ଟି ହୋଇଛି। ହିଜବୁଲର ସର୍ବୋଚ୍ଚ ନେତା ଫୁଆଦ ଶୁକରଙ୍କୁ ଲେବାନନରେ ଏୟାର ଷ୍ଟ୍ରାଇକ କରି ହତ୍ୟା କରିଥିଲା ଇସ୍ରାଏଲ। ଏହାର କିଛି ଘଣ୍ଟା ପରେ ହମାସର ସର୍ବୋଚ୍ଚ ନେତା ଇସମାଇନ ହାନିୟାଙ୍କୁ ହତ୍ୟା କରା ଯାଇଥିଲା।
ହାନିୟା ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଉତ୍ସୋବରେ ଯୋଗଦେଇ ଫେରିବା ପରେ ଇରାନ ରାଜଧାନୀ ତେହରନରେ ହିଁ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ଏଥିପାଇଁ ଇସ୍ରାଏଲ ନିଜକୁ ଦାୟୀ କରିନଥିଲେ ମଧ୍ୟ ଇରାନ ଏବଂ ଏହାର ସମର୍ଥିତ ସଂଗଠନଗୁଡିକ ସିଧା ସଳଖ ଇସ୍ରାଏଲ ଉପରେ ଦୋଷ ଲଦିଛନ୍ତି। କିନ୍ତୁ ଇସ୍ରାଏଲ ଏହାକୁ ଖଣ୍ଡନ କରିନାହିଁ।
ଅନ୍ୟପଟେ, ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନି କହିଛନ୍ତି ଆମ ବନ୍ଧୁଙ୍କୁ ହତ୍ୟା କରିବାର ପରିଣାମ ଇସ୍ରାଏଲକୁ ଭୋଗିବାକୁ ପଡିବ। ଇରାନ ଏହାର ସମର୍ଥିତ ସଂଗଠନ ଲେବାନାନର ହିଜବୁଲ, ଇରାକର ଇସଲାମିକ ଜିହାଦ, ୟେମେନର ହୁତି ଏବଂ ସିରିଆର ଶିଆ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଇରାନକୁ ଧମକ ଦେଇଛନ୍ତି।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ବିବାଦ ମଧ୍ୟରେ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସତର୍କ ରହିବାକୁ ଆଡଭାଇଜରୀ ଜାରି କରାଯାଇଛି।
????*IMPORTANT ADVISORY FOR INDIAN NATIONALS IN ISRAEL*
Link : https://t.co/OEsz3oUtBJ pic.twitter.com/COxuF3msn0— India in Israel (@indemtel) August 2, 2024