ମନ୍ତ୍ରୀ ଦେଲେ ଆଶ୍ୱସ୍ତି; ଦୁଇଦିନ ଭିତରେ ଓଡ଼ିଶା ଆସିବ ଆଳୁ ଗାଡ଼ି

ବ୍ୟବସାୟୀମାନେ ଯଦି କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିବେ ତାହା ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରିଛନ୍ତି ମନ୍ତ୍ରୀ।

ମନ୍ତ୍ରୀ ଦେଲେ ଆଶ୍ୱସ୍ତି; ଦୁଇଦିନ ଭିତରେ ଓଡ଼ିଶା ଆସିବ ଆଳୁ ଗାଡ଼ି

ବଜାରରେ ମିଳୁନି ଆଳୁ। ଯେଉଁଠି ମିଳୁଛି ଚଢ଼ା ଦରରେ ବିକୁଛନ୍ତି ଦୋକାନୀ। ଏହି ସମୟରେ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆସନ୍ତା ଦିନେ ଦୁଇ ଦିନ ଭିତରେ ଆଳୁକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇଯିବ। ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ଆମେ ଆଲୋଚନା କରିଛୁ। ୨୧ରୁ ୨୪ ତାରିଖ ଯାଏଁ ସେଠାରେ ଆନ୍ଦୋଳନ ଚାଲି ଥିଲା। ଏବେ ପ୍ରତିବାଦ ବନ୍ଦ ହୋଇଛି। ଆସନ୍ତା ଦିନେ
ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ।

ଓଡ଼ିଶାରେ ୭ ଦିନ ପାଇଁ ଆଳୁ ମହଜୁଦ ଅଛି। ବ୍ୟବସାୟୀମାନେ ଯଦି କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିବେ ତାହା ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରିଛନ୍ତି ମନ୍ତ୍ରୀ।

ସୂଚନାରୁ ପ୍ରକାଶ, ଓଡ଼ିଶାକୁ ଆଳୁ ଦେବାକୁ ବାରଣ କରିଛନ୍ତି ପଶ୍ଚିବଙ୍ଗ ସରକାର। ଆଳୁ ଟ୍ରକକୁ ସୀମା ପାର କରାଇ ଦେଉନି ପଶ୍ଚିମବଙ୍ଗ ପୁଲିସ। ପଶ୍ଚିମଙ୍ଗରେ ଏଥର ଆଳୁ ଉତ୍ପାଦନ ଆବଶ୍ୟକ ମୁତାବକ ହୋଇ ନ ଥିବା ବେଳେ ନିଜ ଆବଶ୍ୟକତା ମେଣ୍ଟାଇବାକୁ ଆଳୁ ବାହାରକୁ ଛାଡ଼ୁ ନାହାନ୍ତି ସେଠାକାର ସରକାର। ଫଳରେ ଶତାଧିକ ଟ୍ରକ ଏବେ ଓଡ଼ିଶା ପଶ୍ଚିମବଙ୍ଗ ସୀମା ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି। ଫଳରରେ ଓଡ଼ିଶାରେ ଉପର ମୁହାଁ ହୋଇଛି ଆଳୁଦର। ଯେଉଁ ଆଳୁ ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।