ମନ୍ଦଦୃଷ୍ଟି ଓ ମନବୋଧ
ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍ ଆଖି ପଡ଼ିଲା ଅଟୋଟିର ପଛପଟେ ଲିଖିତ ଧାଡ଼ି ଲେଖା ଉପରେ, ”ଦେଖୋ, ମଗର ବୁରି ନଜର ମେଁ ମତ୍ ଦେଖୋ।“ ଧାଡ଼ି ଲେଖା କିନ୍ତୁ କହୁଥିଲା ଗାଡ଼ିଏ (ଗାଡ଼ିଆ ପରିମିତ) କଥା। ”ଚାହଁ, କିନ୍ତୁ ଖରାପ ଦୃଷ୍ଟିରେ ଦେଖନାହିଁ।“ ସତରେ, କି ସୁନ୍ଦର ଦାର୍ଶନିକ ଦୃଷ୍ଟିଭଙ୍ଗୀର କଥାଟିଏ! ମଣିଷ ମନକୁ ପ୍ରଭାବିତ କରିଥାଏ […] The post ମନ୍ଦଦୃଷ୍ଟି ଓ ମନବୋଧ appeared first on Dharitri Odia News.
ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍ ଆଖି ପଡ଼ିଲା ଅଟୋଟିର ପଛପଟେ ଲିଖିତ ଧାଡ଼ି ଲେଖା ଉପରେ, ”ଦେଖୋ, ମଗର ବୁରି ନଜର ମେଁ ମତ୍ ଦେଖୋ।“ ଧାଡ଼ି ଲେଖା କିନ୍ତୁ କହୁଥିଲା ଗାଡ଼ିଏ (ଗାଡ଼ିଆ ପରିମିତ) କଥା। ”ଚାହଁ, କିନ୍ତୁ ଖରାପ ଦୃଷ୍ଟିରେ ଦେଖନାହିଁ।“ ସତରେ, କି ସୁନ୍ଦର ଦାର୍ଶନିକ ଦୃଷ୍ଟିଭଙ୍ଗୀର କଥାଟିଏ! ମଣିଷ ମନକୁ ପ୍ରଭାବିତ କରିଥାଏ ଆଖିର ନଜର। କାରଣ ମନ ହେଉଛି ଇନ୍ଦ୍ରିୟର ବଶମ୍ବଦ। ଭଲ ଦୃଷ୍ଟିରେ ଦେଖିଲେ ମନ କଳୁଷିତ ହୁଏନାହିଁ। ଅର୍ଥାତ୍ ଦୃଷ୍ଟିକୋଣର ପବିତ୍ରତା ରହିଲେ ମନ କୁପ୍ରବୃତ୍ତିଯୁକ୍ତ ହେବନାହିଁ। ଅନ୍ୟଥା ଦେଖିବାର ଦୃଷ୍ଟିଭଙ୍ଗୀ ଖରାପ ରହିଲେ ମନ କୁଭାବନାର ବଶବର୍ତ୍ତୀ ହେବ, ଅନର୍ଥର କାରଣ ସାଜିବ। ମନେପଡ଼େ ଜୀବନ ଗଢ଼ଣର ଗାଢ଼ ତତ୍ତ୍ୱଭରା ସୁନ୍ଦର ଗୀତଟିଏ- ବୁରା ମତ୍ ସୁନୋ ବୁରା ମତ୍ ଦେଖୋ ବୁରା ମତ୍ କହୋ … ବୁରି ହୈ ବୁରାଇ (ଚଳଚ୍ଚିତ୍ର- ଆୟା ସାୱାନ ଝୁମକେ)। ”ମନ୍ଦ କଥା ଶୁଣନାହିଁ, ମନ୍ଦ ଜିନିଷ ଦେଖନି, ମନ୍ଦ କଥା କୁହନାହିଁ …. ମନ୍ଦ ହିଁ ଅମଙ୍ଗଳ।“ ଏହି ପ୍ରସଙ୍ଗରେ ମନେପଡ଼େ ଦାର୍ଶନିକ ସକ୍ରେଟିସ୍ଙ୍କ ଜୀବନର ଏକ ଘଟଣା। ଏକଦା ଜଣେ ବ୍ୟକ୍ତି ଦୌଡ଼ି ଦୌଡ଼ି ଆସି ସକ୍ରେଟିସ୍ଙ୍କ କାନ ପାଖରେ ଫୁସ୍ଫୁସ୍ କରି କ’ଣ କହିବାକୁ ଯାଉଥିଲା ବେଳେ ଟିକିଏ ଦୂରକୁ ଘୁଞ୍ଚିଯାଇ ସକ୍ରେଟିସ୍ କହିଲେ- ରୁହ ରୁହ। ଆଗେ କୁହ, ତୁମେ ମୋତେ ଯେଉଁ କଥା କହିବାକୁ ଯାଉଛ ତାହା ସତ୍ୟ ଘଟଣା ତ? ଯଦି ସତ, ତେବେ ତାହା ହିତକର ତ? ଯଦି ହଁ, ତେବେ ମୋତେ କହିପାର। ଅନ୍ୟଥା ମୋତେ ତାହା ଶୁଣାଅ ନାହିଁ। ତାଙ୍କ ଦୃଷ୍ଟିଭଙ୍ଗୀରେ ଏହିଭଳି ଦିବ୍ୟତ୍ୱ ଥିବାରୁ ସେ ମନ୍ଦଠାରୁ ମାଇଲ ମାଇଲ ଦୂରରେ ରହୁଥିଲେ। ଯେଉଁଥିପାଇଁ କି ସେ ପରିଗଣିତ ହେଲେ ବିଶ୍ୱବିଖ୍ୟାତ ଦାର୍ଶନିକ ଭାବେ। ସକ୍ରେଟିସ୍ଙ୍କ ପରି ମନୁଷ୍ୟ ଯଦି ଅହଂଠାରୁ ଦୂରେଇ ରୁହେ, ସତପଥୀ, ସତ୍ୟାନୁରାଗୀ, ସତ୍ୟଦର୍ଶୀ ହୁଏ, ତେବେ ସେ ନିଶ୍ଚିତଭାବେ ସତ୍ ଜୀବନଯାପନ କରିପାରିବ। ଏହି ସତ୍ ଜୀବନଯାପନ ହିଁ ତ ବାସ୍ତବ ଆଧ୍ୟାତ୍ମିକତା, ଈଶ୍ୱରାଭିମୁଖୀ ହେବାର ପ୍ରକୃଷ୍ଟ ପଥ। ରୁଗ୍ଣତା ଯେମିତି ଦେହର ଦୁର୍ବଳତା, ଖରାପ ବା ମନ୍ଦର ବଶବର୍ତ୍ତୀ ହେବା ବି ସେମିତି ଏକପ୍ରକାର ମନର ରୁଗ୍ଣତା, ମନର ମଳି। ସେଥିପାଇଁ ଖରାପ ପୁସ୍ତକ ପଢ଼ିବାକୁ ବାରଣ କରାଯାଇଥାଏ। କାରଣ ଖରାପ ପୁସ୍ତକ ପଢ଼ିବା ଅର୍ଥ ବିଷ ଖାଇବା ସଙ୍ଗେ ସମାନ। ପ୍ରସଂଗକ୍ରମେ ଆଉ ଏକ ଦିବ୍ୟ ଦୃଷ୍ଟାନ୍ତଟିଏ ଏଠାରେ ଉଲ୍ଲେଖ କରିବା ସମୀଚୀନ ମନେହୁଏ। ଭିନ୍ନ ଏକ ଜଗତର ସନ୍ଧାନରେ ବାହାରିଥିବା ପୁତ୍ର ଶୁକଦେଙ୍କୁ ‘ହେ ଶୁକଦେବ, ହେ ଶୁକଦେବ’ ବୋଲି ଡାକି ଡାକି ଅନୁଧାବନ କରୁଥା’ନ୍ତି ମହର୍ଷି ବ୍ୟାସଦେବ। ପଥପାର୍ଶ୍ୱସ୍ଥ ଏକ ପୁଷ୍କରିଣୀର ସ୍ବଚ୍ଛ ଜଳରାଶିରେ ହର୍ଷ, ଉଲ୍ଲାସର ସହିତ ନିର୍ବସ୍ତ୍ର ଜଳକ୍ରୀଡ଼ାରେ ମଗ୍ନ ଥାଆନ୍ତି କେତେକ ତରୁଣୀ। ଶୁକଦେବଙ୍କ ପରେ ପରେ ସେହି ପୁଷ୍କରିଣୀ ପାର୍ଶ୍ୱ ଦେଇ ବ୍ୟାସଦେବ ଆସୁଥିବା ବେଳେ, ତାଙ୍କୁ ଦେଖି ସ୍ନାନରତା ଯୁବତୀମାନେ ତରବରରେ ଉପରକୁ ଉଠିଆସି ଶରୀରକୁ ଆବୃତ କରିଦେଲେ ବସ୍ତ୍ର ଦ୍ୱାରା। ଏହି ଘଟଣାରେ କ୍ଷିପ୍ରବେଗୀ ସ୍ଥବିରଙ୍କ ପାଦ ଯୁଗଳ ହଠାତ୍ ସେଠାରେ ସ୍ଥିର ହୋଇ ଅଟକିଗଲା। ଅତ୍ୟନ୍ତ ଆଚମ୍ବିତ ହୋଇ ଯୁବତୀଗଣଙ୍କୁ ପୃଚ୍ଛା କଲେ ମହର୍ଷି, ”ଏଇମାତ୍ର କ୍ଷଣିକ ଆଗରୁ ସାମାନ୍ୟ ବସ୍ତ୍ର (କୌପୀନ) ପରିହିତ ଯୌବନୋଦ୍ଦୀପ୍ତ ତରୁଣ ଶୁକଦେବ ଏହି ପଥ ଦେଇ ଯାଉଥିବା ବେଳେ ତୁମ୍ଭମାନଙ୍କର ତ କାହିଁ ନ ଥିଲା ତିଳେ ମାତ୍ର ପ୍ରତିକ୍ରିୟା। ନିର୍ଭୟ, ନିର୍ବିଘ୍ନ ଓ ନିର୍ବିକାର ଭାବେ ତୁମେ ସେମିତି ଜଳକ୍ରୀଡ଼ାର ଆନନ୍ଦ ଉପଭୋଗ କରୁଥିଲ। ମାତ୍ର ଏହି ବୃଦ୍ଧ ବ୍ୟାସକୁ ଦେଖି ତୁମ୍ଭମାନଙ୍କର ଏତେ ସଙ୍କୋଚବୋଧ କାହିଁକି ଭଦ୍ରା:?“ ସେଇଠୁ ଅତ୍ୟନ୍ତ ନମ୍ରତାର ସହିତ ଜଣେ ଯୁବତୀ କହିଲେ, ”ହେ ମହର୍ଷି! ଆତ୍ମଜ୍ଞ, ବ୍ରହ୍ମଜ୍ଞାନୀ ଶୁକଦେବଙ୍କ ଆଖିରେ ସମସ୍ତ ଆତ୍ମା ସମାନ- ଏକ ବ୍ରହ୍ମ, ଏକ ଆତ୍ମାଭାବ। ତାଙ୍କ ଦୃଷ୍ଟିରେ ଭରିରହିଛି ପବିତ୍ର ଦୃଷ୍ଟିକୋଣ। ତାଙ୍କ ନଜରରେ ନ ଥାଏ ନାରୀ ଓ ପୁରୁଷଙ୍କ ଭିତରେ କିଛି ପାର୍ଥକ୍ୟ। ନ ଥାଏ ସାମାନ୍ୟମାତ୍ର ବିକାରଭାବ। ତରୁଣ ହେଲେ ବି ଏଭଳି ବିକାରଶୂନ୍ୟ ଦିବ୍ୟଭାବର ପୁରୁଷଙ୍କ ପ୍ରତି ଆମର ଲଜ୍ଜାଭାବ ଆସିବ ବା
କାହିଁକି? ମନୋବିଜ୍ଞାନ ଅନୁଯାୟୀ ଆମ ମନ ଯେମିତି ଚିନ୍ତା କରିବ, କ୍ରିୟାକଳାପ ମଧ୍ୟ ତଦନୁଯାୟୀ ହେବ। ଫଳ ମଧ୍ୟ ତଦ୍ରୂପ। ସେଥିପାଇଁ କୁହାଯାଇଥାଏ ”ଯଦି ଭାବମ ତଦ ଭବତି।“ ଅର୍ଥାତ୍ ଯେମିତି ଭାବନା, ସେମିତି ଫଳ, ସେମିତି ଭବିଷ୍ୟତ। ଆମ ଶାସ୍ତ୍ର ସେଥିପାଇଁ କହିଛନ୍ତି – ମନର ମୂଳେ ଏ ଜଗତ। ମଣିଷର ଶରୀର ଏକ ଜୈବିକ ଯନ୍ତ୍ର। ମନ ହେଉଛି ଏହି ଯନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶ। ଯାହାକି ଚିନ୍ତା କରିପାରେ, ଅନୁଭବ କରିପାରେ, କଳ୍ପନା କରିପାରେ, ମନେ ରଖିପାରେ, ଇଚ୍ଛା କରିପାରେ। କିନ୍ତୁ ଏହି ମନଟି ଇନ୍ଦ୍ରିୟ ଅଧୀନ। ଅର୍ଥାତ୍ ଇନ୍ଦ୍ରିୟର ବଶ ହେବାକୁ ସେ ସଦା ବ୍ୟାକୁଳ। ଅନ୍ୟପକ୍ଷରେ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମଣିଷର ମନ ସର୍ବଶକ୍ତିମାନ ଈଶ୍ୱର ଚେତନାର ଏକ ସ୍ଫୁଲିଙ୍ଗ। ପରମାଣୁ ଦେହରେ ଯେମିତି ଅସୀମ ଶକ୍ତି ଥାଏ, ସେମିତି ମନ ମଧ୍ୟ ଅଜସ୍ର ଶକ୍ତିର ଉତ୍ସ। ଯେମିତି ପରମାଣୁ ଶକ୍ତିର ସୁବିନିଯୋଗ ଦ୍ୱାରା ମାନବ ସମାଜର ଅଶେଷ କଲ୍ୟାଣ ସାଧିତ ହୋଇଥାଏ, ଅନ୍ୟପକ୍ଷରେ ଅସ୍ତ୍ର ବିନିଯୋଗ ଦ୍ୱାରା ଅକଳ୍ପନୀୟ କ୍ଷତିସାଧନ ହୁଏ। ଠିକ ସେମିତି ଅସୀମ ସାମର୍ଥ୍ୟ ଥିବା ମନର ସଦୁପଯୋଗ ବଳରେ ଆମର ପ୍ରଭୂତ ଉନ୍ନତି ସାଧିତ ହୋଇଥାଏ। ମାତ୍ର ମନକୁ ଭୁଲ୍ ବାଟରେ ପରିଚାଳିତ କଲେ ତାହା ଆମର ଅଜସ୍ର ଅମଙ୍ଗଳର କାରଣ ସାଜିଥାଏ। ସକାରାତ୍ମକ ଦୃଷ୍ଟିକୋଣ ନେଇ ଦୃଢ଼ ମନୋବଳ ବା ପ୍ରବଳ ଇଚ୍ଛାଶକ୍ତି ବଳରେ ଜଣେ ଅସମ୍ଭବକୁ ବି ସମ୍ଭବ କରିପାରେ। ମନରେ ଯାହା ଆଶା ବାନ୍ଧେ, ତାହା ଫଳବତୀ ହୁଏ। ଗୋଟେ ଗୋଡ଼ ହରେଇ ବି ଅରୁଣୀମା ସିହ୍ନାଙ୍କ ପରି ଝିଅମାନେ କେତେବେଳେ ହିମାଳୟ ଚୂଡ଼ା ଲଙ୍ଘି ପାରନ୍ତି ତ ଆଉ କେବେ ସାମାନ୍ୟ ଶରୀରଧାରୀ ଶ୍ୟାମାକାନ୍ତ ବନ୍ଦୋପାଧ୍ୟାୟ (ବ୍ୟାଘ୍ରସ୍ବାମୀ)ଙ୍କ ପରି ମାମୁଲି ମଣିଷମାନେ ଗୋଟେ ଗୋଟେ ଶକ୍ତ ମୁଥରେ ହିଂସ୍ର ମହାବଳ ବାଘକୁ ବି ଧରାଶାୟୀ କରିଦେଇପାରନ୍ତି। କାରଣ, ମାଂସପେଶୀମାନଙ୍କର ଚାଳକ ହେଉଛି ମନ। ମନ ଶକ୍ତିଶାଳୀ ହେଲେ, ମନରେ ଦୃଢ଼ ଆତ୍ମବିଶ୍ୱାସ ରହିଲେ ସାମର୍ଥ୍ୟ ବହୁଗୁଣିତ ହୋଇଯାଏ। ବିଜୟର ଭାବନା ହେଉ କି ସଫଳତା ପାଇବାର ଇଚ୍ଛା ହେଉ, ମନରେ ସକାରାତ୍ମକ ଭାବନା ସୃଷ୍ଟି ହେଲେ ତାହା ଅବଶ୍ୟ ଘଟିବ। ସେଇଥିପାଇଁ ତ ଶ୍ରୀମଦ୍ ଭାଗବତରେ କୁହାଯାଇଛି, “ଏ ମନ ଖୋଜୁଥାଏ ଯାହା/ କାଳେ ପ୍ରାପତ ହୁଏ ତାହା।“ ଗୀତାରେ ବି କୁହାଯାଇଛି, ”ମନଃ ଏବ ମନୁଷ୍ୟlଣାମ୍ କାରଣମ୍ ବନ୍ଧ-ମୋକ୍ଷୟୋହ।“ ଅର୍ଥାତ୍ ମନର ଭାବନା ଆମ ପାଇଁ ଯେମିତି ବନ୍ଧନ ବା ଦୁଃଖର କାରଣ, ସେମିତିବି ମୋକ୍ଷ ବା ଆନନ୍ଦର କାରଣ। ଯେମିତି ଫୁଲର ମହତ୍ତ୍ୱ ବଢ଼ାଏ ତା’ର ସୁଗନ୍ଧ, ସେମିତି ବି ମନର ମହତ୍ତ୍ୱ ବଢ଼ାଏ ଆଶାଭରା ଭାବନା, ସ୍ବ ଚିନ୍ତନ, ସରସତା ବା ମଧୁର ସ୍ବଭାବ। ସେଥିପାଇଁ ବେଦମାତା ଆମକୁ କହିଛନ୍ତିସ୍- ଆ ନୋ ଭଦ୍ରା: କ୍ରତବୋ ୟନ୍ତୁ ବିଶ୍ୱତଃ। ଅର୍ଥାତ୍ ବିଶ୍ୱର ପ୍ରତିଟି କୋଣରୁ ମହତ ଭାବନା ଉଦ୍ରେକ ହେଉ
ମୋ: ୯୪୩୭୪୩୬୦୭୩
The post ମନ୍ଦଦୃଷ୍ଟି ଓ ମନବୋଧ appeared first on Dharitri Odia News.