ମହାକୁମ୍ଭର ଦ୍ୱିତୀୟ ଦିନରେ ବୁଡ଼ ପକାଇଲେ ୩.୫ କୋଟି ସାଧୁସନ୍ଥ, ଶ୍ରଦ୍ଧାଳୁ
ବୁଡ଼ ପକାଇଲେ ୩.୫ କୋଟି ମହାକୁମ୍ଭ ନଗର,୧୫।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭର ଦ୍ୱିତୀୟ ଦିନ ତଥା ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଙ୍ଗା, ଯମୁନା ଓ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନସ୍ଥଳ ତ୍ରିବେଣୀ ସଙ୍ଗମରେ ୩.୫ କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ପ୍ରଥମ ‘ଅମୃତ ସ୍ନାନ’ରେ ସାମିଲ ହେବା ପାଇଁ ବହୁ ଆଖଡ଼ାର ସାଧୁସନ୍ଥ ଆସିଥିଲେ। ସୋମବାର ପୌଷ ପୂର୍ଣ୍ଣିମାରେ କୋଟିଏ ୬୫ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିବାବେଳେ […] The post ମହାକୁମ୍ଭର ଦ୍ୱିତୀୟ ଦିନରେ ବୁଡ଼ ପକାଇଲେ ୩.୫ କୋଟି ସାଧୁସନ୍ଥ, ଶ୍ରଦ୍ଧାଳୁ appeared first on Dharitri Odia News.
ବୁଡ଼ ପକାଇଲେ ୩.୫ କୋଟି ମହାକୁମ୍ଭ ନଗର,୧୫।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭର ଦ୍ୱିତୀୟ ଦିନ ତଥା ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଙ୍ଗା, ଯମୁନା ଓ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନସ୍ଥଳ ତ୍ରିବେଣୀ ସଙ୍ଗମରେ ୩.୫ କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ପ୍ରଥମ ‘ଅମୃତ ସ୍ନାନ’ରେ ସାମିଲ ହେବା ପାଇଁ ବହୁ ଆଖଡ଼ାର ସାଧୁସନ୍ଥ ଆସିଥିଲେ।
ସୋମବାର ପୌଷ ପୂର୍ଣ୍ଣିମାରେ କୋଟିଏ ୬୫ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିବାବେଳେ ମକର ସଂକ୍ରାନ୍ତି ପ୍ରଥମ ଶାହି ସ୍ନାନରେ ଅଧିକାଂଶ ଆଖଡ଼ା ସଦସ୍ୟ ଓ ସନ୍ଥମାନେ ଯୋଗଦେଇଥିଲେ। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଥ, କଳ୍ପବାସୀ ଏବଂ ଶ୍ରଦ୍ଧାଳୁମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମ ଅମୃତ ସ୍ନାନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ସନାତନ ଧାମର ସବୁ ଆଖଡ଼ା, ମହାକୁମ୍ଭ ମେଳାର ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ, ପରିମଳ କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନ ଏବଂ ଧର୍ମୀୟ ସଂସ୍ଥା, ନାବିକ ତଥା ମହାକୁମ୍ଭ ସହ ଜଡ଼ିତ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।
ମଙ୍ଗଳବାର ଭୋର୍ ୩ଟା ବ୍ରହ୍ମ ମୁହୂର୍ତ୍ତରେ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ମହାକୁମ୍ଭରେ ୧୩ଟି ଆଖଡ଼ା ଭାଗ ନେଇଥିବାବେଳେ ଶ୍ରୀ ପଞ୍ଚାୟତି ଆଖଡ଼ା ମହାନିର୍ବାଣୀ ଏବଂ ଶ୍ରୀ ଶମ୍ଭୁ ପଞ୍ଚାୟତି ଅଟଳ ଆଖଡ଼ା ପ୍ରଥମେ ଅମୃତ ସ୍ନାନରେ ସାମିଲ ହୋଇଥିଲେ। ଦେହରେ ବିଭୂତି ବୋଳିଥିବା ନାଗା ସାଧୁମାନେ ହାତରେ ବର୍ଚ୍ଛା ଓ ତ୍ରିଶୂଳ ଧରି ଶୋଭାଯାତ୍ରାରେ ଶାହି ସ୍ନାନକୁ ଯାଇଥିଲେ। କେତେଜଣ ନାଗା ସନ୍ଥ ଘୋଡ଼ା ଚଢ଼ି ଆସିଥିବା ଦେଖାଯାଇଥିଲା।
‘ହର ହର ମହାଦେବ’, ‘ଜୟ ଶ୍ରୀରାମ’ ଏବଂ ‘ଜୟ ଗଙ୍ଗା ମୈୟା’ ସ୍ଲୋଗାନ ସହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ ଗୋଷ୍ଠୀରେ ଆସି ଭିନ୍ନ ଭିନ୍ନ ଘାଟରେ ସ୍ନାନ କରିଥିଲେ। ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଶାହି ସ୍ନାନରେ ଭାଗ ନେଇ ବୁଡ଼ ପକାଇଥିଲେ। ଅମୃତ ସ୍ନାନ ବେଳେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଶ୍ରଦ୍ଧାଳୁମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇଥିଲା। ଆକାଶରୁ ଗୋଲାପ ପାଖୁଡ଼ା ପଡ଼ୁଥିବାବେଳେ ଶ୍ରଦ୍ଧାଳୁମାନେ ଜୟ ଶ୍ରୀରାମ, ହର ହର ମହାଦେବ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉଦ୍ୟାନ କୃଷି ବିଭାଗ ପୁଷ୍ପ ବୃଷ୍ଟି ଲାଗି ପ୍ରସ୍ତୁତି କରିଥିଲା। ଏଥିପାଇଁ ୨୦ କୁଇଣ୍ଟାଲ ଗୋଲାପ ପାଖୁଡ଼ା ବ୍ୟବହୃତ ହୋଇଥିବା ଜଣାପଡ଼ିଛି। ପବିତ୍ର ମକର ସଂକ୍ରାନ୍ତିରେ ସଙ୍ଗମରେ ବୁଡ଼ ପକାଇଲେ ପାପ କ୍ଷୟ ଯାଇ ଆଧ୍ୟାତ୍ମିକ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି, ଯେଉଁଥିପାଇଁ ଅଗଣିତ ହିନ୍ଦୁ ତୀର୍ଥଯାତ୍ରୀ ଆକର୍ଷିତ ହୋଇ ମହାକୁମ୍ଭକୁ ଆସିଥାନ୍ତି। ପ୍ରତି ୧୨ ବର୍ଷରେ ଥରେ ମହାକୁମ୍ଭ ପଡ଼ୁଥିବାବେଳେ ୧୪୪ ବର୍ଷ ପରେ ଏଥର ବିରଳ ସ୍ବର୍ଗୀୟ ସଂଯୋଗ ପଡ଼ିଥିବାରୁ ଏହାକୁ ସବୁଠୁ ପବିତ୍ର ଅବସର ବୋଲି କୁହାଯାଉଛି। ଫେବୃଆରୀ ୨୬ ପର୍ଯ୍ୟନ୍ତ ଦୀର୍ଘ ୪୫ ଦିନ ଧରି ମହାକୁମ୍ଭ ଲାଗିରହିବ।
The post ମହାକୁମ୍ଭର ଦ୍ୱିତୀୟ ଦିନରେ ବୁଡ଼ ପକାଇଲେ ୩.୫ କୋଟି ସାଧୁସନ୍ଥ, ଶ୍ରଦ୍ଧାଳୁ appeared first on Dharitri Odia News.