ମହାନଦୀକୁ ଡେଇଁଲେ ଯୁବତୀ, ମିଳୁନି ପତ୍ତା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତାରତୋଲଠାରେ ଆଜି ସକାଳେ ମହାନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଥିବା ସୂଚନା ମିଳିଛି।

ମହାନଦୀକୁ ଡେଇଁଲେ ଯୁବତୀ, ମିଳୁନି ପତ୍ତା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତାରତୋଲଠାରେ ଆଜି ସକାଳେ ମହାନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ଯୁବତୀଙ୍କ ପତ୍ତା ମିଳି ପାରିନି।  

ଆଜି ପୂର୍ବାହ୍ନ ୧୦ଟାରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ନିକଟକୁ ଏକ କଲ୍‌ ଯାଇଥିଲା। ଜଣେ ଯୁବତୀ ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଥିବା ଅପର ପାର୍ଶ୍ୱର ବ୍ୟକ୍ତିଜଣକ କହିଥିଲେ।

ଏହାପରେ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ୨ଟି ବୋଟ୍‌ରେ ଅଗ୍ନିଶମ କର୍ମଚାରୀ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ଖୋଜାଖୋଜି କରୁଥିଲେ ବି ଯୁବତୀଙ୍କ ପତ୍ତା ପାଇ ପାରୁ ନାହାନ୍ତି ।

ଏନେଇ ପ୍ରତ୍ୟକ୍ଷଦର୍ଶୀଜଣକ କହିଛନ୍ତି,  ସକାଳ ପ୍ରାୟ ୧୦ଟା ବେଳେ ଜଣେ ଯୁବତୀ ଲିଫ୍ଟ ମାଗି ବ୍ରିଜ ମଝିକୁ ଆସିଥିଲେ। ଏହାପରେ ସେଠାରୁ ସେ ମହାନଦୀକୁ ଡେଇଁ ପଡ଼ିଥିଲେ।  ତେବେ ଯୁବତୀଜଣକ ବ୍ରିଜ ଉପରେ ନିଜ ଫୋନ୍‌ କିମ୍ବା ଚପଲ ଆଦି କିଛି ବି ଜିନିଷ ଛାଡ଼ି ନ ଥିବାରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନି । 

ଯୁବତୀଙ୍କ ଘର କେଉଁଠି, ସେ ତାରତୋଲକୁ କିପରି ଆସିଲେ ଓ କାହିଁକି ଡେଇଁଲେ ସେ ନେଇ ସଠି ସୂଚନା ମିଳି ପାରିନି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।