ମହିଳା ଯାତ୍ରୀଙ୍କ ଜୀବନ ନେଲା ‘ମୋ ବସ୍’, ଦୁର୍ଘଟଣାକୁ ନେଇ ସିଏନ୍ବିଟିରେ ଉତ୍ତେଜନା
କଟକ : ନେତାଜୀ ବସ୍ ଟର୍ମିନାଲ୍(ସିଏନ୍ବିଟି) ଭିତରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋ ବସ୍ ଚାଳକଙ୍କ ଅସାବଧାନତା ହେତୁ ଜଣେ ମହିଳା ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି, ମର୍କତନଗର ଅଞ୍ଚଳର ସରସ୍ୱତୀ ଗୋଚ୍ଛାୟତ(୫୩)। ଦୁର୍ଘଟଣା ଘଟାଇ ମୋ ବସ୍’ର ଡ୍ରାଇଭର ଜଣକ ଫେରାର୍ ହୋଇଥିବା ବେଳେ ବାଦାମବାଡ଼ି ଥାନା ପୁଲିସ ବସ୍ଟିକୁ ଜବତ କରିଛି। ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି […]

କଟକ : ନେତାଜୀ ବସ୍ ଟର୍ମିନାଲ୍(ସିଏନ୍ବିଟି) ଭିତରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋ ବସ୍ ଚାଳକଙ୍କ ଅସାବଧାନତା ହେତୁ ଜଣେ ମହିଳା ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି, ମର୍କତନଗର ଅଞ୍ଚଳର ସରସ୍ୱତୀ ଗୋଚ୍ଛାୟତ(୫୩)। ଦୁର୍ଘଟଣା ଘଟାଇ ମୋ ବସ୍’ର ଡ୍ରାଇଭର ଜଣକ ଫେରାର୍ ହୋଇଥିବା ବେଳେ ବାଦାମବାଡ଼ି ଥାନା ପୁଲିସ ବସ୍ଟିକୁ ଜବତ କରିଛି। ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ମୃତ ମହିଳାଙ୍କୁ ଏସ୍ସିବି ପଠାଇଥିବା ବେଳେ ସେଠାରେ ସ୍ଥାନୀୟ ଲୋକ ଏବଂ ମହିଳାଙ୍କ ପରିବାରବର୍ଗଙ୍କୁ ବୁଝାସୁଝା କରିଥିଲା। ଦୁର୍ଘଟଣା ଘଟାଇଥିବା ବସ୍ ଡ୍ରାଇଭର୍ ଜଣଙ୍କ ମଦ୍ୟପାନ କରିଥିବା ବସ୍ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଥାନା ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ମିଳି ପାରିନାହିଁ।
ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫ଟା୩୦ସୁଦ୍ଧା ସିଡିଏ ରୁଟ୍ରେ ଆସୁଥିବା ଏକ ମୋ ବସ୍ରେ ସରସ୍ୱତୀ ଏବଂ ତାଙ୍କ ସ୍ୱାମୀ ଲକ୍ଷ୍ଣଣ ଗୋଚ୍ଛାୟତ ସିଏନ୍ବିଟିର ମୋ ବସ୍ ରହଣୀସ୍ଥଳର ବେ’-୧ରେ ପହଞ୍ଚିଥିଲେ। ବସ୍ରୁ ପ୍ରଥମେ ଲକ୍ଷ୍ଣଣ ଓହ୍ଲାଇ ଯାଇଥିଲେ। ସରସ୍ୱତୀ ଓହ୍ଲାଉଥିବା ଅବସ୍ଥାରେ ଡ୍ରାଇଭର ଜଣକ ବସ୍କୁ ନଅଟକାଇ ଦ୍ରୁତଗତିରେ ପଛକୁ ନେଇ ଯାଇଥିଲା। ଯାହାଫଳରେ ସରସ୍ୱତୀ ବସ୍ରୁ ଗଳି ପଡ଼ି ପଛ ଛକା ତଳେ ପଡ଼ି ଯାଇଥିଲେ। ବସ୍ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ପ୍ରବଳ ରକ୍ତସ୍ରାବ ସହିତ ଘଟଣାସ୍ଥଳରେ ହିଁ ସରସ୍ୱତୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଯାତ୍ରୀ ଓହ୍ଲାଉଥିବା ବେଳେ ହଠାତ୍ ବସ୍ଟି ଡ୍ରାଇଭର ଦ୍ରୁତଗତିରେ କାହିଁକି ପଛକୁ ନେଉଥିଲା, ତାହା ଜଣାପଡ଼ି ନାହିଁ।
ଉକ୍ତ ବସ୍ର ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଚାଳକ ଜଣଙ୍କ ପ୍ରବଳ ମଦ୍ୟପାନ କରିଥିଲା। ନିଶାଗ୍ରସ୍ତ ଅବସ୍ଥାରେ ସେ ବସ୍ ଚଳାଉଥିବା ବେଳେ ଯାତ୍ରୀମାନେ ଓହ୍ଲାଉଥିବା ଅବସ୍ଥାରେ ବସ୍କୁ ଦ୍ରୁତ ଗତିରେ ପଛକୁ ନେଇଥିଲା। ମୃତ ମହିଳାଙ୍କ ସ୍ୱାମୀ ଲକ୍ଷ୍ଣଣ ଏହି ଦୁର୍ଘଟଣା ପଛରେ ଡ୍ରାଇଭରକୁ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ବସ୍ରେ ଥିବା ଯାତ୍ରୀ ତ୍ରିଲୋଚନ ସୁଆରଙ୍କ କହିବା ଅନୁଯାୟୀ, ବସ୍ ଡ୍ରାଇଭର ଜଣଙ୍କ ସତୀଚଉରା ଛକ ଠାରୁ ବସ୍ଟି ଦ୍ରୁତ ଗତିରେ ଚଳାଇଥିଲା। ବସ୍ ରହଣୀସ୍ଥଳରେ ବିନା କାରଣ’ରେ ବସ୍ଟିକୁ ସେ ପଛକୁ ନେଇଥିଲା। ଯାହାଫଳରେ ଅକାଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି ସେ କହିଛନ୍ତି। ସମ୍ପୃକ୍ତ ଡ୍ରାଇଭରକୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।