ମହିଳାଙ୍କୁ ଜୁଲାଇ ୧ରୁ ୮,୫୦୦ ଟଙ୍କା ଲେଖାଏ ମିଳିବ : ରାହୁଲ ଗାନ୍ଧି
ରାଏବରେଲୀରେ ରାହୁଲ ଗାନ୍ଧି ବିଶାଳ ଜନସଭାକୁ ସମ୍ବୋଧନ କରି ୧ ଲକ୍ଷ ଟଙ୍କିଆ ଯୋଜନା ବିଷୟରେ କହିଛନ୍ତି।
ବିରୋଧୀ ମେଣ୍ଟ ଇଣ୍ତିଆ କ୍ଷମତାକୁ ଆସିବା ପରେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବର୍ଷକ ମିଳିବ ବୋଲି ପୁଣିଥରେ ଦୋହରାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ଏଥର ୱାୟନାଡ ସହ ରାଏବରେଲୀରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି।
ରାଏବରେଲୀରେ ରାହୁଲ ଗାନ୍ଧି ବିଶାଳ ଜନସଭାକୁ ସମ୍ବୋଧନ କରି ୧ ଲକ୍ଷ ଟଙ୍କିଆ ଯୋଜନା ବିଷୟରେ କହିଛନ୍ତି। ଏଥିସହ ନିଜର ମ୍ୟାଜିକ ଫର୍ମୁଲା ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି, “ଜୁଲାଇ ୧ ତାରିଖ ସକାଳୁ ସକାଳୁ ଗରିବ ପରିବାରର ମହିଳାମାନେ ଯେତେବେଳେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଚେକ କରିବେ ସେତେବେଳେ ୮,୫୦୦ ଟଙ୍କା ଯାଦୁ ଭଳି ସେଥିରେ ଜମା ହୋଇ ସାରିଥିବ।
ଏପରି ଯାଦୁ ପ୍ରତି ମାସର ପ୍ରଥମ ତାରିଖରେ ହିଁ ହେବ। ଇଣ୍ଡିଆ ସରକାର ପ୍ରତି ମାସରେ ଟଙ୍କା ପଠାଇବ। ଏପରି ଭାବେ ଆମେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ଆକାଉଣ୍ଟକୁ ବର୍ଷକୁ ୧ ଲକ୍ଷ ଟଙ୍କା ଲେଖାଏ ଦେବୁ। ଦେଶର ସବୁ ପ୍ରାନ୍ତର ମହିଳା ଏଥିରୁ ଲାଭବାନ ହେବେ। ଏହା ଆପଣମାନଙ୍କର ଗୋଟିଏ ଭୋଟର ଶକ୍ତି।”
କଂଗ୍ରେସର ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ଦଳ କ୍ଷମତାକୁ ଆସିବା ପରେ ମହାଲକ୍ଷ୍ମୀ ଯୋଜନା ଲାଗୁ କରିବ। ଏହି ଯୋଜନା ଅଧୀନରେ ବିପଏଲ ପରିବାର ଜଣେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଲେଖାଏ ଦେବ। ଉକ୍ତ ପରିବାର ଗରିବୀ ରେଖା ତଳୁ ନ ବାହାରିବା ଯାଏ କଂଗ୍ରେସ ସରକାର ଟଙ୍କା ପଠାଇ ଚାଲିଥିବ ବୋଲି ଇସ୍ତାହାରରେ କୁହାଯାଇଛି।
1 जुलाई 2024 को सुबह सुबह गरीब परिवार की महिलाएं जब अपना अकाउंट चेक करेंगी तो उसमें 8500 रुपए आ चुके होंगे।
और INDIA की सरकार में ऐसा हर महीने की पहली तारीख को होगा।
ये है आपके एक वोट की ताकत।
महिलाओं को लेकर साथ, अब हाथ बदलेगा हालात। pic.twitter.com/IuvtvRnv0h— Rahul Gandhi (@RahulGandhi) May 13, 2024
ରାହୁଲ ଗାନ୍ଧି କହିଥିଲେ ଯେ “ପ୍ରତିବର୍ଷ ୧ ଲକ୍ଷ ଟଙ୍କା ଲେଖାଏ ଖଟାଖଟ ଆସୁଥିବ ଓ ଗୋଟିଏ ଝଟକାରେ ଆମେ ହିନ୍ଦୁସ୍ତାନରୁ ଗରିବୀକୁ ହଟାଇ ଦେବୁ।” ତେବେ ପରବର୍ତ୍ତୀ ଅବସ୍ଥାରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ରାହୁଲ ଗାନ୍ଧି କହିଥିଲେ ଯେ ସେ ଗୋଟିଏ ଥରରେ ଗରିବୀ ହଟିଯିବ ବୋଲି କହି ନଥିଲେ। ବରଂ ଗରିବୀ ମୁକ୍ତ ଦେଶ ଗଠନ ଦିଗରେ ଏହା ଏକ ପଦକ୍ଷେପ ବୋଲି ସେ ସଫେଇ ଦେଇଥିଲେ।