ମାଟିତଳୁ ବାହାରୁଛି ଡହଡହ ଗରମ ପାଣି, ପରୀକ୍ଷା ପାଇଁ ଆସିବେ ଭୂତତ୍ତ୍ୱ ବିଭାଗ
ନିଆଳି : ମାଟି ତଳୁ ବାହାରୁଛି ହାତ ପୋଡ଼ିଗଲା ଭଳି ଡହଡହ ଗରମ ପାଣି। ସେଥିରୁ ଧୂଆଁ ବି ବାହାରୁଛି। କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ଜଲ୍ଲାରପୁରସ୍ଥିତ ସାରୁହାସାହି ଗାଁ ରାସ୍ତା ପାର୍ଶ୍ବରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସୂଅ ଛୁଟିଛି। ତେବେ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଛି। ଏଥିପାଇଁ ଆତଙ୍କିତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଗତ ବୁଧବାର ଅପରାହ୍ଣରେ ବର୍ଷା […]

ନିଆଳି : ମାଟି ତଳୁ ବାହାରୁଛି ହାତ ପୋଡ଼ିଗଲା ଭଳି ଡହଡହ ଗରମ ପାଣି। ସେଥିରୁ ଧୂଆଁ ବି ବାହାରୁଛି। କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ଜଲ୍ଲାରପୁରସ୍ଥିତ ସାରୁହାସାହି ଗାଁ ରାସ୍ତା ପାର୍ଶ୍ବରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସୂଅ ଛୁଟିଛି। ତେବେ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଛି। ଏଥିପାଇଁ ଆତଙ୍କିତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଗତ ବୁଧବାର ଅପରାହ୍ଣରେ ବର୍ଷା ସମୟରେ ଉକ୍ତ ସ୍ଥାନ ନିକଟରେ ଗାଁର ଜଣେ ବ୍ୟକ୍ତି ଗୋବର ପକାଇବାକୁ ଯାଇଥିବା ବେଳେ ସେଠାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ନିକଟରେ ମାଟିରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ସେ ଉକ୍ତ ଘଟଣା ସମ୍ପର୍କରେ ଗାଁରେ କହିବା ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣା ଦେଖିବା ସହ ଜଣେ ବ୍ୟକ୍ତି ଉକ୍ତ ସ୍ଥାନରେ କୋଦାଳରେ ଦେଢ଼ଫୁଟ୍ର ଗାତ କରିବା ପରେ ସେଠାରେ ପାଣି ଝରିବା ସହ ଉକ୍ତ ପାଣିରୁ ଧୂଆଁ ବାହାରିଥିଲା। ଉକ୍ତ ସ୍ଥାନରେ ଏକ ପୁରୁଣା ବୋରିଙ୍ଗ ଥିବା ମଧ୍ୟ ଦେଖିବାକୁ ମିଳିଛି। ଖାଲରୁ ବାହାରୁଥିବା ପାଣି ଡହଡହ ଗରମ ହୋଇଥିବା ବେଳେ ସେଥିରୁ ଧୂଆଁ ବାହାରୁଛି। ଉକ୍ତ ପାଣିରେ ହାତ ବୁଡ଼େଇଲେ ହାତ ପୋଡ଼ି ଯାଉଥିବା ବେଳେ ଲୋକେ ବିଭିନ୍ନ ପାତ୍ର ସାହାଯ୍ୟରେ ଉକ୍ତ ଗରମ ପାଣିକୁ ଆଣୁଥିବା ଦେଖିବାକୁ ମିଳିଛି।
ଶୁକ୍ରବାର ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଉକ୍ତ ସ୍ଥାନରେ ଏକ ବିଦ୍ୟୁତ୍ ଖୁଣ୍ଟ ଥିବାରୁ ନିଆଳି ବିଦ୍ୟୁତ୍ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେଠାରେ ପହଞ୍ଚି ବିଭିନ୍ନ ପରୀକ୍ଷାନିରୀକ୍ଷା କରିଥିଲେ ମଧ୍ୟ ସେଠାରେ କୌଣସି ବିଦ୍ୟୁତ୍ ସଂଯୋଗ ନଥିବା ନିଶ୍ଚିତ କରିଥିଲେ। ଦିନତମାମ ଉକ୍ତ ସ୍ଥାନ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସୂଅ ଛୁଟିଛି।
ଏନେଇ ବିଡିଓ ଡ. ଷଡଙ୍ଗୀଙ୍କୁ ପଚାରିବାରୁ ସେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏନେଇ ଜିଲ୍ଲା ଅଧିକାରୀଙ୍କୁ ଅଗବତ କରାଇଥିବା ବେଳେ ଖୁବ୍ଶୀଘ୍ର ଭୂତତ୍ତ୍ୱ ବିଭାଗ ପକ୍ଷରୁ ଏହି ଘଟଣାର ପରୀକ୍ଷା କରାଯିବ, ତେବେ ଅଳ୍ପସ୍ଥାନରେ ଏପରି ଗରମ ପାଣି ବାହାରୁଥିବାରୁ ଏହା କୌଣସି ରାସାୟନିକ କାରଣ ପାଇଁ ହୋଇଥାଇପାରେ ବୋଲି ସେ କହିଛି। ଏ ନେଇ କୌଣସି ଆତଙ୍କିତ ନ ହେବା ପାଇଁ ସେ ଅଞ୍ଚଳବାସୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି।