ମାଲେମାଲ୍ କରିଦେଲା ବିଦେଶୀ ଫଳ ଡ୍ରାଗନ ଫ୍ରୁଟ୍

କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ୟୁଟ୍ୟୁବ ଦେଖି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ । ଚାଲନ୍ତୁ ଜାଣିବା ଜଣେ ସଫଳ ଚାଷୀଙ୍କ ବିଷୟରେ...

ମାଲେମାଲ୍ କରିଦେଲା ବିଦେଶୀ ଫଳ ଡ୍ରାଗନ ଫ୍ରୁଟ୍

କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ନୂଆପଡା ମାଟିରେ ବିଦେଶୀ ଫଳ ଡ୍ରାଗନ ଫ୍ରୁଟ ଚାଷ କରି ସଫଳ ହୋଇଛନ୍ତି ଚଲାନପଡା ଗାଁର ବଳଦେବ ରାଉତ। ସେ ୟୁଟ୍ୟୁବ୍ ଦେଖି ନିଜ ପଡିଆ ଜମିରେ ଡ୍ରାଗନ ଚାଷ କରିବାକୁ ଚିନ୍ତା କଲେ।  କିନ୍ତୁ ଏ ବିଦେଶୀ ଫଳ ଚାଷ ନୂଆପଡା ଜିଲ୍ଲାର ଜଳବାୟୁରେ ହେବ ନାହିଁ ବୋଲି ପରିବାର ସଦସ୍ୟ ମନା କଲେ।

କିନ୍ତୁ ବଳଦେବ ଜିଦ ଧରିଲେ ଡ୍ରାଗନ ଚାଷ କରିବେ। କଳାହାଣ୍ଡି ଜିଲ୍ଲାରୁ ୫୦ଟି ଚାରା ଆଣି ଚାଷ ଆରମ୍ଭ କଲେ, ଏବେ ସେଥିରୁ ସ୍ୱାଦିଷ୍ଟ ଫଳ ଆସିବା ଆରମ୍ଭ ହେଲାଣି l ବଜାରରେ ଏହି ଡ୍ରାଗନ ଫଳର ବେଶ ଚାହିଦା ଥିବାରୁ ବଳଦେବ ଏଥିରୁ ବେଶ ଭଲ ଆୟ ମଧ୍ୟ କରିପାରୁଛନ୍ତି l

ଡ୍ରାଗନ ଫଳର ଔଷଧୀୟ ଗୁଣ ଥିବାରୁ ଏହାର ଖୁବ ଭଲ ବିକ୍ରି ହେଉଛି l ରାଜ୍ୟ ବାହାରେ ଏହା କିଲୋପ୍ରତି ୭୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସ୍ଥାନୀୟ ବଜାରରେ ଏହା କିଲୋ ପ୍ରତି ୩୦୦ ଟଙ୍କାରେ ବିକ୍ରି ହେଉଛି। ଚାହିଦା ଦେଖି ଭବିଷ୍ୟତରେ ନିଜ ଅନ୍ୟ ପଡିଆ ଜମିରେ ମଧ୍ୟ ଡ୍ରାଗନ ଚାଷ କରିବେ ବୋଲି କହିଛନ୍ତି ବଳଦେବ। ଏହାଛଡା ବଳଦେବ ନିଜ ଜମିରେ ଅନେକ ପ୍ରକାରର ଔଷଧୀୟ ବୃକ୍ଷ ମଧ୍ୟ ରୋପଣ କରିଛନ୍ତି। ଏପଟେ ଚାଷ ପାଇଁ ସମସ୍ତ ବୈଷୟିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ଜିଲ୍ଲା ଉଦ୍ୟାନ ବିଭାଗ ପ୍ରତିଶ୍ରୁତି ଦେଇଛି l

ନୂଆପଡା ଜିଲ୍ଲାର ଜଳବାୟୁରେ ବି ହୋଇ ପାରିବ ବିଦେଶୀ ଫଳ ଡ୍ରାଗନ ଚାଷ l ଯାହାକୁ ପ୍ରମାଣିତ କରିଛନ୍ତି ବଳଦେବ। ଯାହା ନିଶ୍ଚିତ ଭାବେ ଅନ୍ୟଚାଷୀଙ୍କୁ ଡ୍ରାଗନ ଚାଷ କରିବାକୁ ପ୍ରେରଣା ଯୋଗାଇବ ।