ମିଳିତ ନିର୍ମାଣର ସଫଳ ସ୍ମୃତିଚିହ୍ନକୁ ଶହେ ଜଣ ସାଇତି ରଖିଥିଲେ

କଳସ ସ୍ଥାପନ ପୂର୍ବରୁ ଶାସ୍ତ୍ରୀୟ ବିଧିରେ ଶାନ୍ତିହୋମ ହୋଇଥିଲା। ପଞ୍ଚାମୃତ ପ୍ରସ୍ତୁତ ହୋଇ ସଂସ୍କାର କରାଯାଇଥିଲା। କଳସ ସହିତ ‘ପଦ୍ମଧ୍ୱଜ’ ମଧ୍ୟ ସମାନ ଭାବରେ ଏକାଠି ସଂସ୍କାରିତ ହେବାପରେ ଶିଳ୍ପୀମାନେ ସବା ଉପରକୁ ଉଠାଇଥିଲେ। ଧ୍ୱଜପଦ୍ମ ନିର୍ମିତ ହୋଇଥିଲା ପଥରରେ। ଧ୍ୱଜପଦ୍ମ ସଂସ୍କାର ହେବାପରେ ରାଜଗୁରୁ ଆପଣେ ବସ୍ତ୍ର ଆଚ୍ଛାଦନ କରି ପ୍ରଣାମ ହୋଇଥିଲେ। ପୋଥିରେ ବର୍ଣ୍ଣନା ଅନୁସାରେ ଏହି କାର୍ଯ୍ୟ କରୁଥିଲେ ଭୋବନି ରାଜଗୁରୁ (ଭୁବନେଶ୍ୱର ରାଜଗୁରୁ)। ସେ ପଞ୍ଚାମୃତରେ ସ୍ନାନ କରିବା ପରେ ଯେତେବେଳେ […] The post ମିଳିତ ନିର୍ମାଣର ସଫଳ ସ୍ମୃତିଚିହ୍ନକୁ ଶହେ ଜଣ ସାଇତି ରଖିଥିଲେ appeared first on Dharitri Odia News.

ମିଳିତ ନିର୍ମାଣର ସଫଳ ସ୍ମୃତିଚିହ୍ନକୁ ଶହେ ଜଣ ସାଇତି ରଖିଥିଲେ

କଳସ ସ୍ଥାପନ ପୂର୍ବରୁ ଶାସ୍ତ୍ରୀୟ ବିଧିରେ ଶାନ୍ତିହୋମ ହୋଇଥିଲା। ପଞ୍ଚାମୃତ ପ୍ରସ୍ତୁତ ହୋଇ ସଂସ୍କାର କରାଯାଇଥିଲା। କଳସ ସହିତ ‘ପଦ୍ମଧ୍ୱଜ’ ମଧ୍ୟ ସମାନ ଭାବରେ ଏକାଠି ସଂସ୍କାରିତ ହେବାପରେ ଶିଳ୍ପୀମାନେ ସବା ଉପରକୁ ଉଠାଇଥିଲେ। ଧ୍ୱଜପଦ୍ମ ନିର୍ମିତ ହୋଇଥିଲା ପଥରରେ। ଧ୍ୱଜପଦ୍ମ ସଂସ୍କାର ହେବାପରେ ରାଜଗୁରୁ ଆପଣେ ବସ୍ତ୍ର ଆଚ୍ଛାଦନ କରି ପ୍ରଣାମ ହୋଇଥିଲେ। ପୋଥିରେ ବର୍ଣ୍ଣନା ଅନୁସାରେ ଏହି କାର୍ଯ୍ୟ କରୁଥିଲେ ଭୋବନି ରାଜଗୁରୁ (ଭୁବନେଶ୍ୱର ରାଜଗୁରୁ)। ସେ ପଞ୍ଚାମୃତରେ ସ୍ନାନ କରିବା ପରେ ଯେତେବେଳେ ମନ୍ତ୍ର ଉଚ୍ଚାରଣ କଲେ, ସେତେବେଳେ ଏକ ଅଭିନବ ପରମ୍ପରା ସୃଷ୍ଟି ହୋଇଥିଲା। ଚାରିପଟେ ଶହେଜଣ କାରିଗର ୧୦୦ଟି ନଡ଼ିଆ ଧରି ଧାଡ଼ିକରି ଠିଆ ହୋଇଥିଲେ। ପ୍ରଥମେ ମନ୍ତ୍ର ଉଚ୍ଚାରଣର ଶେଷ ପାଦରେ ଶିଳ୍ପୀ ଗଙ୍ଗା ମହାପାତ୍ର ନଡ଼ିଆ ବାଡ଼େଇ ଶୁଭ କାମନା କରିଥିଲେ। ତା’ପରେ ପରେ ଶହେ କାରିଗର ଏକ ସମୟରେ ନଡ଼ିଆ ବାଡ଼େଇ ମୁଣ୍ଡିଆ ମାରିଥିଲେ। ସମସ୍ତେ କଳସ ଏବଂ ଧ୍ୱଜ ପଦ୍ମକୁ ପରିକ୍ରମା କରି ପ୍ରଣାମ ମୁଦ୍ରାରେ କିଛି ସମୟ ରହିବା ପରେ ମୁଖଶାଳାରେ ଲାଗିଥିବା ଫାସୀକାଠରୁ ଖଣ୍ଡେ ଖଣ୍ଡେ ‘ସ୍ମାରକୀ’ ସ୍ବରୂପ ନେଇଥିଲେ।
ଅକ୍ଳାନ୍ତ ପରିଶ୍ରମ, ଅମାପ ନିଷ୍ଠା ଓ ଆତ୍ମିକ ଏକାଗ୍ରତାରେ ସେମାନେ ନିର୍ମାଣ କରିଥିବା ସ୍ମୃତିର ଚିହ୍ନ ସ୍ବରୂପ ସେ କାଠ ଘରକୁ ନେଇଥିଲେ, ମିଳିତ ନିର୍ମାଣର ସଫଳ ସ୍ମୃତି।
ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ ଅହରହ ଚାଲୁ ରଖିଥିଲେ ଶିଳ୍ପୀମାନେ। ଗଦାଧର ମହାପାତ୍ର ସିଂହାସନ ନିର୍ମାଣର ଶେଷସ୍ପର୍ଶ ଦେଉଥିବାବେଳେ, ରାମ ମହାପାତ୍ର ତିନିଜଣ ବରିଷ୍ଠ ଶିଳ୍ପୀଙ୍କୁ ନେଇ କଳାହାଟ ଦୁଆରର ଦ୍ୱାରବନ୍ଧ ଖୋଦେଇରେ ବ୍ୟସ୍ତ ଥିଲେ। ସହଯୋଗ ପଥୁରିଆ ଥିଲେ ବାରଜଣ। ସପ୍ତ ଅଶ୍ୱ ନିର୍ମାଣ ସରିବାରୁ ନାରାୟଣ ମହାପାତ୍ର ଖଞ୍ଜିବା କାମ ଆରମ୍ଭ କରିସାରିଥିଲେ।
ମୁଖଶାଳାର ଦକ୍ଷିଣ ପାର୍ଶ୍ୱରେ ନବଗ୍ରହ ବିଗ୍ରହ ଲାଗିବାର ନିଷ୍ପତ୍ତି ହୋଇଥିଲା। ଦେଢ଼ହାତ ଉଚ୍ଚତାର ନବଗ୍ରହ ବିଗ୍ରହ ହେବେ ଗୋଟିଏ ପଥରରେ। ଠିକ୍‌ ସେହି ମାପରେ ଉତ୍ତର ପାର୍ଶ୍ୱରେ ଲାଗିବା ପାଇଁ ଗଙ୍ଗା ମହାପାତ୍ର ବାରଜଣ ଶିଳ୍ପୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଅନୁସନ୍ଧାନରୁ ଜଣାଯାଉଛି ପାଞ୍ଚଟି ନବଗ୍ରହ ଶିଳା କୋଣାର୍କଠାରେ ଲାଗିଥିଲା। ଗୋଟିଏ ମାତ୍ର ଖଣ୍ଡିତ ଶିଳା ଏବେ ଅଛି, ଯାହା ପୂଜା କରାଯାଉଛି। ଆଉ ଚାରୋଟି ଓଡ଼ିଶା ସ୍ଥାନାନ୍ତର କରାଯାଇଛି। ଗୋଟିଏ ଖଣ୍ଡ ଖଣ୍ଡ ହୋଇ ବ୍ରିଟିଶ ସଂଗ୍ରହାଳୟରେ ରହିଛି। ଗୋଟିଏ ପୁରୀକୁ ସ୍ଥାନାନ୍ତର ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରର ପ୍ରବେଶ ଦ୍ୱାର ଉପରେ ଲାଗିଛି। ବୋଷ୍ଟନ ସଂଗ୍ରହାଳୟରେ ନବଗ୍ରହ ଶିଳାଙ୍କୁ ଖଣ୍ଡିତ କରାଯିବା ପରେ କେବଳ ‘ଶୁକ୍ର’ଙ୍କର ଏକକ ବିଗ୍ରହ ସ୍ଥାନ ପାଇଛି। ଅନ୍ୟ ଆଠ ଗ୍ରହଙ୍କର ବିଗ୍ରହ କେଉଁଠି କେଉଁଠି ରହିଛି ଆମକୁ ଠାବ କରିବାକୁ ହେବ।
ସେହିପରି ‘ପଦ୍ମଦଣ୍ଡ’ର କୌଣସି ସନ୍ଧାନ ଆମେ ପାଇ ନାହୁଁ। ପୂର୍ବ ସଂଖ୍ୟାରେ ପଦ୍ମଦଣ୍ଡ ସମ୍ବନ୍ଧରେ ଆମେ ସୂଚନା ମାତ୍ର ଦେଇଥିଲୁ। ପଦ୍ମଦଣ୍ଡ ଥିଲା ଆଠହାତ ଉଚ୍ଚତାବିଶିଷ୍ଟ। ସୂତ୍ରଧର ଶିବେଇ ସାମନ୍ତରା ନିଜେ ଏହି ଦଣ୍ଡ ନିର୍ମାଣ କରିଥିଲେ। ଦଣ୍ଡ ଉପରେ ପଦ୍ମଫୁଲର ଚିହ୍ନ ରହି, ଫୁଲ ମଝିରେ ଏକ ରନ୍ଧ୍ର ସୃଷ୍ଟି କରାଯାଇ ‘ମାଣିକ୍ୟ’ ଖଞ୍ଜାଯାଇଥିଲା।
ମୁଖଶାଳାର ଚଟାଣ ପଥର ପକାଇ ସଜେଇବା କାର୍ଯ୍ୟ ସୂତ୍ରଧର ଦାୟିତ୍ୱ ଦେଇଥିଲେ ବୀର ମହାପାତ୍ର ଓ କ୍ଷେତ୍ରବାସୀ ମହାରଣାଙ୍କୁ। ସେମାନେ ୪୦ଜଣ ପଥୁରିଆଙ୍କର ସହଯୋଗ ନେଇଥିଲେ। ରାଜଗୁରୁଙ୍କ ପରାମର୍ଶରେ ସୂତ୍ରଧର ସୂତା ପକେଇ ମାପ ଦେଇଥିଲେ। ସୂତ୍ରଧର ଶିବେଇ ସାମନ୍ତରା ପ୍ରତ୍ୟେକ କାମ ପ୍ରତି ନଜର ରଖିବା ତାଙ୍କର ନିର୍ମାଣ କାର୍ଯ୍ୟପ୍ରତି ସଚେତନ ଭାବାବେଗକୁ ସ୍ପଷ୍ଟ କରେ। ବେକିଭୈରବ ନିର୍ମାଣ ଆଦେଶ ଦେଲା ବେଳକୁ ଦେଖିଲେ କିଛି ରାଜକର୍ମଚାରୀ କେତେକ ଉପହାର ନେଇ ସୂତ୍ରଧରଙ୍କ ଶିବିର ପାଖରେ ପହଞ୍ଚତ୍ଲେ। ଜଣାପଡ଼ିଲା ମହାଶ୍ରମଙ୍କ ‘ଜେନାମଣି’ଙ୍କ ଜନ୍ମଦିନ ଅବସରରେ ରାଜଭେଟି ଆସିଛି। ଅନେକ ଉପହାର ଶିବିରଗୁଡ଼ିକୁ ଯାଇ ଶିଳ୍ପୀଙ୍କୁ ବାଣ୍ଟିବା ପାଇଁ ସୂତ୍ରଧର ଆଦେଶ ଦେଲେ। ଜନ୍ମଦିନ ଅବସରରେ ବିଭିନ୍ନ ଶିଳ୍ପୀ ଶିବିର ପାଇଁ ଭିନ୍ନ ଭିନ୍ନ ଦିନରେ ଭୋଜି କରିବାକୁ ସୂତ୍ରଧର ସମ୍ମତି ଦେଲେ। ଚାରି ଶିବିର ପାଇଁ ଚାରିଦିନ। ପଥୁରିଆ, ପାଇଟିଆଳଙ୍କ ପାଇଁ ଗୋଟିଏ ଦିନ। ନାରୀ କାମିକା, ଗାଈଆଳ, ପାନ, ପାଣି, ଯୋଗାଉଥିବା ବ୍ୟକ୍ତି, ଘୋଡ଼ସବାର, ଭାଗିଆଳ, ଶଗଡ଼ିଆ ଓ ସୁରକ୍ଷାକର୍ମୀଙ୍କ ପାଇଁ ଗୋଟିଏ ଦିନ। ଏହିପରି ଛଅଦିନ ଭୋଜି ହୋଇଥିଲା। ଦୁଇଜଣ ରୋଷେୟା ନାରୁ ପଣ୍ଡା ଓ ବିଶି ପଣ୍ଡାଙ୍କୁ ଦଶଜଣ ଯୋଗାଣିଆ ସହଯୋଗ କରିଥିଲେ। ନିର୍ମାଣ କାର୍ଯ୍ୟ ଚାଲିଥିଲା, ଭୋଜିଭାତ ବି। ଖୁସିବାସିରେ ସବୁକିଛି ସହଜ ଭାବରେ ହେଉଥିଲା। ଗଜପତି ନିର୍ଯାତନା ଦେଇ କାର୍ଯ୍ୟ କରାଉଥିଲେ ବୋଲି ଯେଉଁମାନେ ଲେଖିଲେ… ସେମାନଙ୍କୁ ଆମେ ଆଉ କ’ଣ କହିବା!

ଡ. ସୁରେନ୍ଦ୍ର କୁମାର ମିଶ୍ର

The post ମିଳିତ ନିର୍ମାଣର ସଫଳ ସ୍ମୃତିଚିହ୍ନକୁ ଶହେ ଜଣ ସାଇତି ରଖିଥିଲେ appeared first on Dharitri Odia News.