ମୁଁ ‘ଆପ୍’ର ପରାଜୟ ପାଳନ କରିବି ନାହିଁ

ଜଣେ ଟିଭି ଆଙ୍କର୍ ଏକ ଇସାରା ମାଧ୍ୟମରେ ମୋର ଦୃଷ୍ଟି ଆକର୍ଷଣ କରିବା ସହ ମୋତେ ଉସୁକାଇବା ଉଦ୍ଦେଶ୍ୟରେ ପଚାରିଲେ, ‘ବିବାହ ମଣ୍ଡପରେ ପ୍ରତ୍ୟାଖ୍ୟାତ ହୋଇଥିବା ଭଳି ପୂର୍ବତନ ‘ଆପ୍’ ନେତାମାନଙ୍କ ସମ୍ବନ୍ଧରେ ଏବେ ତ ଖୋଲିକି କହିଦିଅନ୍ତୁ। ତିକ୍ତ-ମଧୁର ବିଜୟର ବାର୍ତ୍ତା, ଯାହାକି କୁମାର ବିଶ୍ବାସ ଓ ସ୍ବାତୀ ମାଲିୱାଲ୍‌ଙ୍କ ଆତ୍ମସନ୍ତୋଷର ଲେପ ଅପେକ୍ଷା ଅଧିକ କୋମଳ ଥିଲା, ତାହା ମଧ୍ୟ ପୂର୍ବତନ ‘ଆପ୍’ ସମର୍ଥକଙ୍କ ହ୍ବାଟ୍ସଆପ୍ ମାଧ୍ୟମରେ ଘୂରିବୁଲିବା ଆରମ୍ଭ କରିଥିଲା। ମୁଁ ଏହି […]

ମୁଁ ‘ଆପ୍’ର ପରାଜୟ ପାଳନ କରିବି ନାହିଁ
sakala article

ଜଣେ ଟିଭି ଆଙ୍କର୍ ଏକ ଇସାରା ମାଧ୍ୟମରେ ମୋର ଦୃଷ୍ଟି ଆକର୍ଷଣ କରିବା ସହ ମୋତେ ଉସୁକାଇବା ଉଦ୍ଦେଶ୍ୟରେ ପଚାରିଲେ, ‘ବିବାହ ମଣ୍ଡପରେ ପ୍ରତ୍ୟାଖ୍ୟାତ ହୋଇଥିବା ଭଳି ପୂର୍ବତନ ‘ଆପ୍’ ନେତାମାନଙ୍କ ସମ୍ବନ୍ଧରେ ଏବେ ତ ଖୋଲିକି କହିଦିଅନ୍ତୁ। ତିକ୍ତ-ମଧୁର ବିଜୟର ବାର୍ତ୍ତା, ଯାହାକି କୁମାର ବିଶ୍ବାସ ଓ ସ୍ବାତୀ ମାଲିୱାଲ୍‌ଙ୍କ ଆତ୍ମସନ୍ତୋଷର ଲେପ ଅପେକ୍ଷା ଅଧିକ କୋମଳ ଥିଲା, ତାହା ମଧ୍ୟ ପୂର୍ବତନ ‘ଆପ୍’ ସମର୍ଥକଙ୍କ ହ୍ବାଟ୍ସଆପ୍ ମାଧ୍ୟମରେ ଘୂରିବୁଲିବା ଆରମ୍ଭ କରିଥିଲା। ମୁଁ ଏହି ମନୋଭାବରେ ଅଂଶଗ୍ରହଣ କରିବାକୁ ମନା କରିବାରୁ ଅନ୍ୟ ଜଣେ ଟିଭି ଆଙ୍କର ଭାବିଲେ ଯେ ମୁଁ ମୋର ପୂର୍ବତନ ସହକର୍ମୀଙ୍କ ସହିତ ପୁନର୍ବାର ଯୋଗଦାନ ପାଇଁ ଦ୍ୱାର ଖୋଲା ରଖିଛି ! ଏହାର କୌଣସି ସମ୍ଭାବନା ନାହିଁ ବୋଲି ମୁଁ ରୋଷଭରା କଣ୍ଠରେ କହିଲି।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆପ୍’ର ପରାଜୟର ଏହି ଉତ୍ସବରେ ମୁଁ ଯୋଗ ଦେଇପାରିବି ନାହିଁ। ମୁଁ ଏପରି ନୁହେଁ ଯେ ଦଶବର୍ଷ ପୂର୍ବେ ‘ଆପ୍’ର ଷ୍ଟାଲିନ୍‌ବାଦୀ ଶୁଦ୍ଧକରଣ ପ୍ରକ୍ରିୟାରେ ଆମ ମଧ୍ୟରୁ କେତେକଙ୍କୁ ଯେଉଁ ଅପବାଦ ଏବଂ ଅପମାନ ଦିଆଯାଇଥିଲା ତାହା ମୁଁ ଭୁଲିଯାଇଛି। ଦିଲ୍ଲୀରେ ବିଜେପିର ବିଜୟ ଏବଂ ‘ଆପ୍‌’ର ପରାଜୟର ଆଢ଼ୁଆଳରେ ମୋର ବ୍ୟକ୍ତିଗତ ଅନୁଭବକୁ ଢାଙ୍କି ଦେବାକୁ ଅନୁମତି ଦେଇପାରିବି ନାହିଁ। ଏହା ମୋ ବିଷୟରେ କିମ୍ବା ‘ଆମ୍ ଆଦ୍‌ମୀ ପାର୍ଟି (ଆପ୍)’ ଏବଂ ଏହାର ନେତାମାନଙ୍କ ବିଷୟରେ ନୁହେଁ, ବରଂ ଏହା ‘ଆମ ଆଦ୍‌ମୀ (ସାଧାରଣ ଜନତା)’ ବିଷୟରେ ତାତ୍ପର୍ଯ୍ୟପୂର୍ଣ୍ଣ।

ଏହି ନିର୍ବାଚନ ଗତ ଦଶନ୍ଧିର ‘ଆପ୍’ ଶାସନ ଉପରେ ଏକ ଜନମତ ଥିଲା ଏବଂ ରାୟ ମଧ୍ୟ ଏକ ଜବରଦସ୍ତ ‘ନା’ ରହିଥିଲା। ବିଜେପି ଏହି ପ୍ରତ୍ୟାଖ୍ୟାନର ଲାଭାର୍ଥୀ ହୋଇଛି। ଏହା ସତ୍ୟ ଯେ ଲୋକପ୍ରିୟ ଭୋଟ୍ ଦୃଷ୍ଟିରୁ ‘ଆପ୍’ର ପରାଜୟର ବ୍ୟବଧାନ ମାତ୍ର ୩.୫ ପ୍ରତିଶତ, ଯାହା ଆସନ ସଂଖ୍ୟା ଅପେକ୍ଷା ବହୁତ କମ୍। କେଉଁ ପରିସ୍ଥିତିରେ ଏହାକୁ ଓଲଟା କରାଯାଇ ପାରିଥା’ନ୍ତା ତାହା କଳ୍ପନା କରିବା ମଧ୍ୟ କଷ୍ଟକର ନୁହେଁ। ଯଦି ଗଣମାଧ୍ୟମ ‘ଆପ୍’ର ନେତୃତ୍ୱକୁ ଦୁର୍ନୀତି ଅଭିଯୋଗରୁ ରକ୍ଷା କରିଥା’ନ୍ତା, ଯେପରି ଏହା ନିୟମିତ ଭାବରେ ବିଜେପି ନେତୃତ୍ୱ ପାଇଁ କରେ; ଯଦି ବଜେଟ ପୂର୍ବରୁ ଦିଲ୍ଲୀ ନିର୍ବାଚନ ଅନୁଷ୍ଠିତ କରାଇବାକୁ ନିର୍ବାଚନ କମିଶନ ନିଶ୍ଚିତ କରାଇଥା’ନ୍ତେ; କିମ୍ବା ବଜେଟକୁ ଦିଲ୍ଲୀ ଭୋଟରଙ୍କୁ ଟାର୍ଗେଟ କରିବାକୁ ନଦେବା ପାଇଁ ତାଙ୍କ ପ୍ରତିଶ୍ରୁତି ପୂରଣ କରିଥା’ନ୍ତେ; ଯଦି ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କୁ ମହିଳାମାନଙ୍କୁ ନଗଦ ହସ୍ତାନ୍ତର କରିବାରୁ ରୋକି ନ ଥା’ନ୍ତେ, ଯେପରି ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଥିଲା। ମେଣ୍ଟ ନହେଲେ ମଧ୍ୟ ଯଦି ‘ଆପ୍’ ଓ କଂଗ୍ରେସ ଏକ ନିର୍ବାଚନୀ ବୁଝାମଣା କରିଥା’ନ୍ତେ, ଏଥିମଧ୍ୟରୁ ଯେକୌଣସି ଗୋଟିଏ (ଆପ) ଆଡ଼କୁ ୨ ପ୍ରତିଶତରୁ ଅଧିକ ଭୋଟ୍ ନେଇପାରିଥା’ନ୍ତେ ଏବଂ ଶିରୋନାମାଗୁଡ଼ିକୁ ଓଲଟାଇ ଦେଇପାରିଥା’ନ୍ତେ।

ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଉଭା ହୋଇଥିବା ଏକ ଦୃଢ଼ ‘ପ୍ରଶାସନ ବିରୋଧୀ ଧାରା’ ଯାହା ଭୋଟ୍ ଧ୍ରୂବୀକରଣର କାହାଣୀରେ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇନାହିଁ। ସିଏସ୍‌ଡିଏସ୍-ଲୋକନୀତି ସର୍ଭେ ଅନେକ କ୍ଷେତ୍ରରେ ଶାସକ ଦଳ ପ୍ରତି ଗଭୀର ନିରାଶା ପଞ୍ଜିକୃତ କରେ, ଯାହା ଲୋକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ; ଯେପରିକି ବିକାଶ, ରାସ୍ତା, ପରିମଳ, ନର୍ଦ୍ଦମା ଓ ପାନୀୟ ଜଳ ଇତ୍ୟାଦି। ରାଜ୍ୟ ସରକାରଙ୍କ ପ୍ରତି ଜନତାଙ୍କ ଆସ୍ଥା କେନ୍ଦ୍ର ସରକାରଙ୍କ ତୁଳନାରେ ବହୁତ କମ୍ ଥିଲା ଏବଂ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ତାଙ୍କ ଦଳର ଭୋଟଅଂଶ ତୁଳନାରେ କମ୍ ରହିଥିଲା। ଦୁର୍ନୀତି ବିରୋଧୀ ରଣନୀତିରେ କ୍ଷମତାକୁ ଆସିଥିବା ଏକ ଦଳ ପାଇଁ ଆଶ୍ଚର୍ଯ୍ୟଜନକ ଭାବରେ ଦିଲ୍ଲୀର ପ୍ରାୟ ଦୁଇ-ତୃତୀୟାଂଶ ଭୋଟର ବିଶ୍ୱାସ କରୁଥିଲେ ଯେ ‘ଆପ୍’ ସରକାର ‘ସମ୍ପୂର୍ଣ୍ଣ’ କିମ୍ବା ‘କିଛିମାତ୍ରାରେ’ ଦୁର୍ନୀତିଗ୍ରସ୍ତ। ‘ଆପ୍’କୁ ଭୋଟ ଦେଇଥିବା ଅନେକ ଦିଲ୍ଲୀବାସୀ ଏହାକୁ ପସନ୍ଦ କରିନଥିଲେ। ବିକଳ୍ପର ଅଭାବ, ବିଜେପିରେ ବଳିଷ୍ଠ ଭାବମୂର୍ତ୍ତିସମ୍ପନ୍ନ ମୁଖ୍ୟମନ୍ତ୍ରୀ ଚେହେରାର ଘୋଷଣା ନହେବା, କଂଗ୍ରେସ ନିଜର ଉପସ୍ଥିତି ଜାହିର୍ ନ କରିପାରିବା ଆଦି ପ୍ରମୁଖ କାରଣ ପାଇଁ ‘ଆପ୍’ ବିରୁଦ୍ଧରେ ଜନମତ ଅଧିକ ସ୍ପଷ୍ଟ ହୋଇପାରିନାହିଁ।

ଏହା ସତ ଯେ, ‘ଆପ୍’ ଏହାର ନିର୍ବାଚନୀ ପରାଜୟର ଯୋଗ୍ୟ ଥିଲା। ତଥାପି ଏଠାରେ ଖୁସି ହେବାର କିଛି ନାହିଁ। ପ୍ରକୃତରେ, ସାମ୍ବିଧାନିକ ଗଣତନ୍ତ୍ରର ସମର୍ଥକ ଯେକୌଣସି ବ୍ୟକ୍ତି ପାଇଁ ଏହା ଚିନ୍ତା ଏବଂ ପ୍ରତିଫଳନର ବିଷୟ ନିଶ୍ଚିତ। ମୁଁ ଚିନ୍ତା କରୁଛି, କାରଣ ମୁଁ ‘ଆପ୍’ ଏବଂ ଏହାର ନେତୃତ୍ୱର ପ୍ରଶଂସକ। ସତ କହିବାକୁ ଗଲେ, ରାଜନୀତିକୁ ପରିବର୍ତ୍ତନ କରିବାକୁ ଆସିଥିବା ଦଳ ପ୍ରଥମ ଦୁଇ ବର୍ଷ ମଧ୍ୟରେ ରାଜନୀତିର ଖେଳର ପ୍ରଦତ୍ତ ନିୟମଗୁଡ଼ିକୁ ଗ୍ରହଣ କରିଥିଲା। ଏହା କହିବା ଯଥାର୍ଥ ଯେ ସର୍ବୋଚ୍ଚ ନେତାଙ୍କ ବ୍ୟକ୍ତିତ୍ୱ ପୂଜା, ଜଣେ ବ୍ୟକ୍ତି ପାଖରେ ସମସ୍ତ କ୍ଷମତାର କେନ୍ଦ୍ରୀକରଣ, ତାଙ୍କ ଗୋଷ୍ଠୀ ଦ୍ୱାରା ଖେଳାଯାଉଥିବା ଗୁପ୍ତ-କୁଚକ୍ରୀ ଖେଳ, ସେମାନଙ୍କର ନିନ୍ଦନୀୟ ଦ୍ୱିଭାଷା ଏବଂ ଜଣେ ସାଧାରଣ କର୍ମୀଙ୍କ ପ୍ରତି ଅବମାନନା, ‘ଆପ୍’ ପତନର କାରଣ ପାଲଟିଲା। ଏକ ପ୍ରତିକୂଳ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କ ‘ଶିଶ ମହଲ’କୁ ଅଧିକ ପ୍ରଚାର କରିଥିଲା। କାରଣ ଦଳୀୟ ନେତୃତ୍ବଙ୍କ ଗାନ୍ଧୀବାଦୀ ହେବାର ଦାବିର ଏହା ପରିପନ୍ଥୀ ଥିଲା।

ଅଦାଲତ ମଦ ଦୁର୍ନୀତିରେ ‘ଆପ୍’ ନେତାମାନଙ୍କୁ ଅଭିଯୁକ୍ତ କରି ନ ପାରନ୍ତି। କେବେ ଆଇନଗତ ପ୍ରମାଣ ମଧ୍ୟ ପାଇ ନ ପାରନ୍ତି। କିନ୍ତୁ ଏହି ଦୁର୍ନୀତି କୌଣସି କଳ୍ପନାର କାହାଣୀ ନଥିଲା, ବରଂ ‘ଆପ୍’ ଦ୍ବାରା ପ୍ରଦର୍ଶିତ ଉଚ୍ଚ ନୈତିକ ଆଧାରକୁ ଭୂଲୁଣ୍ଠିତ କରିଥିଲା। ସବୁଠାରୁ ଖରାପ କଥା ହେଉଛି ଦିଲ୍ଲୀ ଦଙ୍ଗା ସମୟରେ ‘ଆପ୍’ ସରକାରଙ୍କ ନିରବତା, ‘ବୁଲ୍‌ଡୋଜର ରାଜ୍‌’ରେ ଏହାର ସମ୍ପୃକ୍ତି ଏବଂ ଅସହାୟ ରୋହିଙ୍ଗ୍ୟା ସଂଖ୍ୟାଲଘୁଙ୍କ ପାଇଁ ‘ଡଗ୍ ହୁଇସିଲ୍’ (ଏକ ପ୍ରତୀକାତ୍ମକ ଅଭିବ୍ୟକ୍ତି; ଯାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ) ନୀତି ଆପଣେଇବା ଏକ ସଚେତନ ରାଜନୈତିକ ରଣନୀତି ଥିଲା ଏବଂ ଏସବୁ ବିଜେପିର ହିନ୍ଦୁ ବହୁସଂଖ୍ୟକତାବାଦକୁ ପଛରେ ପକାଇବା ପାଇଁ ମଧ୍ୟ ଏକ ସୁଚିନ୍ତିତ କାର୍ଯ୍ୟ।

ଏହି ପରିବର୍ତ୍ତିତ ସ୍ଥିତିରେ ମୁଁ ଦିଲ୍ଲୀ ମଡେଲ୍‌ର ଉପଲବ୍ଧି ଓ ଏହାର ବାସ୍ତବତା ପରିପ୍ରେକ୍ଷୀରେ ନିଜର ଉଦ୍‌ବିଗ୍ନତା ପ୍ରକାଶ କରୁଛି। ଏହା ସତ୍ୟ ଯେ, ‘ଆପ୍’ ସରକାର ସାର୍ବଜନୀନ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣି ରାଜନୈତିକ ଚର୍ଚ୍ଚାର ବଳୟ ମଧ୍ୟକୁ ଆସିଥିଲେ। ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିରେ ପରିବର୍ତ୍ତନ କରିଥିଲେ। କିନ୍ତୁ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ମିଳିଥିବା ସୁଫଳ ଏବେ ବି ବିତର୍କର ବିଷୟ ଅଟେ। ‘ମୋହଲ୍ଲା କ୍ଲିନିକ୍’ଗୁଡ଼ିକର ପରିକଳ୍ପନା ଉତ୍ତମ ଭାବସମ୍ପନ୍ନ ହୋଇଥିବା ସତ୍ତ୍ବେ ଏହାର ପରିଚାଳନା ଓ ସମ୍ପାଦନାକୁ ନେଇ ଢେର୍ ଅଧିକ ଆଶା ରଖାଯାଇଥିଲା।

ମାଗଣା ବିଦ୍ୟୁତ୍ ଓ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଗରିବଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ପାଇଁ ଏକ ରାଜନୈତିକ ଇଚ୍ଛାଶକ୍ତିର ପ୍ରଦର୍ଶନ ଥିଲା। ତଥାପି ସମାନ ପରିମାଣର ରାଶି ଗରିବଙ୍କ ଜୀବନଧାରଣ ଅବସ୍ଥାରେ ଦୀର୍ଘକାଳୀନ ସାଂରଚନିକ ଉନ୍ନତି ପାଇଁ ବ୍ୟବହାର କରାଯାଇପାରିଥିଲେ ଅଧିକ ଉପଯୋଗୀ ଓ ମୂଲ୍ୟଯୁକ୍ତ ହୋଇପାରିଥା’ନ୍ତା। ଏହାବ୍ୟତୀତ, ଦିଲ୍ଲୀ ମଡେଲ ସହରୀ ଭିତ୍ତିଭୂମିର ବିକାଶ, ଦିଲ୍ଲୀ ଗ୍ରାମାଞ୍ଚଳ ଅବସ୍ଥାରେ ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଜଳ ଓ ବାୟୁ ପ୍ରଦୂଷଣର ସମାଧାନ ପାଇଁ ଆଖିଦୃଶିଆ ଭାବେ କିଛି କରିନଥିଲା। କିଛିକ୍ଷେତ୍ରରେ ଆଂଶିକ ଉନ୍ନତିକୁ କୌଣସି ପ୍ରକାରେ ଏକ ମଡେଲ କୁହାଯାଇ ପାରିବନାହିଁ।

ମୁଁ ଚିନ୍ତିତ ! କାରଣ ‘ଆପ୍’ର ପରାଜୟ ‘ନଗର-ରାଜ୍ୟ’ର ନୀତି ଏବଂ ରାଜନୀତିରୁ ‘ପିରାମିଡର ଭିତ୍ତି’ ରାଜନୈତିକ ସ୍ତରରେ ଥିବା ବର୍ଗକୁ ଚାପଗ୍ରସ୍ତ କରିବା ସହ ପ୍ରଭାବିତ କରିବାର ସଙ୍କେତ ଦେଇପାରେ। ‘ଆପ୍’ ସରକାରଙ୍କ ନିର୍ଦ୍ଦିଷ୍ଟ ସୀମା ସତ୍ତ୍ୱେ ଅନଧିକୃତ ଜୀବନଯାପନ କରିବାକୁ ବାଧ୍ୟ ହୋଇଥିବା ବହୁସଂଖ୍ୟକ ଦିଲ୍ଲୀବାସୀଙ୍କୁ ସୁରକ୍ଷା ପ୍ରଦାନ କରିଥିଲା। ଏହା ଗରିବ, ସମ୍ପ୍ରତି ପ୍ରବାସୀ ଏବଂ ଦଳିତଙ୍କୁ ଆଶ୍ୱସ୍ତ କରିଥିଲା ଯେ ସେମାନଙ୍କ ସଂଖ୍ୟାକୁ ସମ୍ମାନ ଦିଆଯିବ, ସେମାନଙ୍କର କଥା ଶୁଣାଯିବ। ବିଶ୍ୱସ୍ତରୀୟ ସହର, ନଦୀକୂଳ ବିକାଶ ଏବଂ ଅନ୍ୟ ସମସ୍ତ ପ୍ରସଙ୍ଗ ସହିତ ବିଜେପିର ଆଗମନ ଦିଲ୍ଲୀର ପ୍ରକୃତ ସଂଖ୍ୟାଗରିଷ୍ଠତାର ଅଦୃଶ୍ୟତାକୁ ବୁଝାଇପାରେ। କପିଲ ମିଶ୍ର ଏବଂ ରବିନ୍ଦର ନେଗିଙ୍କ ପରି ବ୍ୟକ୍ତିଙ୍କ ବିଜୟ ଧର୍ମାନ୍ଧତାକୁ ବଳ ଯୋଗାଇବା ସହ ମୁସଲମାନମାନଙ୍କୁ ପୂର୍ବାପେକ୍ଷା ଅଧିକ ଅସୁରକ୍ଷିତ କରିଦେବ।

ମୁଁ ଚିନ୍ତିତ ! କାରଣ ଦିଲ୍ଲୀରେ ବିଜୟ ସମ୍ପୂର୍ଣ୍ଣ ରାଜନୈତିକ ପ୍ରାଧାନ୍ୟ ପାଇଁ ବିଜେପିକୁ ଆଉ ଗୋଟିଏ ପାଦ ଆଗକୁ ନେଇଯିବ। ଏହି ବିଜୟ ବିଜେପିକୁ ହୁଏତ ଆଜ୍ଞାକାରୀ ସରକାରୀ ସଂସ୍ଥାଗୁଡ଼ିକୁ ବ୍ୟବହାର କରି ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସର୍ବଦା ପରାସ୍ତ କରିବା ପାଇଁ ପ୍ରୟାସ କରିବାକୁ ଉତ୍ସାହିତ କରିପାରେ। ବିଜେପିର ବିଜୟ ପରେ କେନ୍ଦ୍ର ସରକାର ଉପରାଜ୍ୟପାଳଙ୍କ ମାଧ୍ୟମରେ ଏନସିଟି ସରକାରଙ୍କ କାର୍ଯ୍ୟରେ ଦଶ ବର୍ଷ ଧରି କରିଆସୁଥିବା ଅବୈଧ ହସ୍ତକ୍ଷେପର ଯବନିକା ପକାଇବ। ଏହି ବିଜୟ ନିର୍ବାଚନ ଆୟୋଗଙ୍କ ଦଳୀୟ ଆଚରଣ ଓ ପକ୍ଷପାତିତା ତଥା ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳକୁ ସମାନ କ୍ଷେତ୍ର ପ୍ରଦାନ କରା ନ ଯିବା ଅଭିଯୋଗ ମଧ୍ୟ ଚାପି ହୋଇଯିବା ସହ ଲୋକ ଆଢ଼ୁଆଳକୁ ଠେଲି ହୋଇଯିବ।

ମୁଁ ମଧ୍ୟ ଚିନ୍ତିତ ! କାରଣ ‘ଆପ’ ପରୀକ୍ଷଣର ବିଫଳତା ଆଗାମୀ କିଛି ବର୍ଷ ପାଇଁ ବିକଳ୍ପ ରାଜନୀତିର ପ୍ରୟାସ ପାଇଁ ଦ୍ୱାର ବନ୍ଦ କରିପାରେ। କେହି ଜଣେ ଯୁକ୍ତି କରିପାରନ୍ତି ଯେ ସହର ଓ ଦେଶରେ ପ୍ରକୃତ ଲୋକାଭିମୁଖୀ ଓ ଧର୍ମନିରପେକ୍ଷ ରାଜନୀତିର ଉଦୟ ପାଇଁ ‘ଆପ୍’କୁ ଧୂଳି ଚାଟିବାର ଆବଶ୍ୟକ ଥିଲା। ‘ଆପ୍’ ରାସ୍ତା ଛାଡ଼ିବା ପରେ ପ୍ରକୃତରେ ଦିଲ୍ଲୀର ଏକ ବିସ୍ତୃତ ମତଦାତାବର୍ଗ ଅଛନ୍ତି, ଯେଉଁମାନେ ସେମାନଙ୍କର ରାଜନୈତିକ ସ୍ୱର ଖୋଜିବେ। କିନ୍ତୁ ବାସ୍ତବ ଜୀବନରେ ଏହି ସ୍ଥାନ ଯେ ଏକ ବିକଳ୍ପ ଶକ୍ତି ଦ୍ୱାରା ଅର୍ଥପୂର୍ଣ୍ଣ ଭାବରେ ଦଖଲ ହୋଇପାରିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ସେପର୍ଯ୍ୟନ୍ତ କେହି ଯଦି ସଚ୍ଚୋଟ ରାଜନୀତିର ପ୍ରତିଶ୍ରୁତି ଦେଇ ସାର୍ବଜନୀନ ଜୀବନରେ ପ୍ରବେଶ କରନ୍ତି ସେ ସ୍ମିତହସକୁ ଆମନ୍ତ୍ରଣ କରିବେ। କିନ୍ତୁ ଅର୍ଥପୂର୍ଣ୍ଣଭାବେ ଏହି ଶୂନ୍ୟସ୍ଥାନ ପୂରଣ ହେବା ମହତ୍ତ୍ବ ରଖେ। ସେଥିପାଇଁ ମୁଁ ଚିନ୍ତିତ ଏବଂ ଆପଣ ମଧ୍ୟ ଏ କ୍ଷେତ୍ରରେ ଚିନ୍ତା କରିବା ଉଚିତ।

ଯୋଗେନ୍ଦ୍ର ଯାଦବ
(ମୂଳ ଇଂରାଜୀ ଆଲେଖ୍ୟର ମର୍ମାନୁବାଦ)
ଜାତୀୟ ଆବାହକ-ଭାରତ ଯୋଡ଼ୋ ଅଭିଯାନ
ସଦସ୍ୟ – ସ୍ବରାଜ ଇଣ୍ଡିଆ, ସ୍ବରାଜ ଅଭିଯାନ, ଜୟ କିସାନ୍ ଆନ୍ଦୋଳନ
ମୋ: ୯୮୬୮୮୮୮୯୮୬
Twitter: @_YogendraYadav