ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବେ ଆଇଏଏସ୍ ମନୋଜ ସାହୁ !
ଏଜିଏମୟୁଟି କ୍ୟାଡ଼ରର ୨୦୦୬ ବ୍ୟାଚ୍ ଆଇଏଏସ୍ ଅଫିସର ମନୋଜ କୁମାର ସାହୁ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହେବାର ସମ୍ଭାବନା ରହିଛି।
ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ(ପିଏସ) ଭାବେ ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ କୁମାର ସାହୁ ଦାୟିତ୍ୱ ସମ୍ଭାଳିପାରନ୍ତି । ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଶ୍ରୀ ସାହୁଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଇଏଏସ୍ ସୁଧାଂଶୁ ମୋହନ ସାମଲ, ଅରିନ୍ଦମ ଡାକୁଆ ଓ ଅନୁପମ ଶାହଙ୍କ ନାଁକୁ ନେଇ ମଧ୍ୟ ପାୱାର କରିଡରରେ ଚର୍ଚ୍ଚା ।
ସୂଚନା ଅନୁସାରେ, ଏଜିଏମୟୁଟି କ୍ୟାଡ଼ରର ୨୦୦୬ ବ୍ୟାଚ୍ ଆଇଏଏସ୍ ଅଫିସର ମନୋଜ କୁମାର ସାହୁ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହେବାର ସମ୍ଭାବନା ରହିଛି । ଶ୍ରୀ ସାହୁ ଏବେ ଉପନିର୍ବାଚନ ଆୟୋଗ ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ସରକାରଙ୍କ ଅନୁରୋଧରେ କେନ୍ଦ୍ର ସରକାର ଶ୍ରୀ ସାହୁଙ୍କ ନିର୍ବାଚନ ଆୟୋଗରେ ବର୍ଦ୍ଧିତ ଡେପୁଟେସନ ଅବଧିକୁ ସମାପ୍ତ କରି ଓଡ଼ିଶାକୁ ଡେପୁଟେସନରେ ପଠାଇପାରନ୍ତି ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି । ଶ୍ରୀ ସାହୁଙ୍କ ଘର ଜଗତସିଂହପୁରର ବାଲିକୁଦା ବ୍ଲକରେ ଓ ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଓଡ଼ିଶାରେ କାର୍ଯ୍ୟ କରିନଥିବା କିନ୍ତୁ ଓଡ଼ିଶାକୁ ଭଲଭାବେ ଜାଣିଥିବା ଜଣେ ଓଡ଼ିଆ ଅଫିସରଙ୍କୁ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଇ ପ୍ରଶାସନିକ ବ୍ୟବସ୍ଥାରେ ପାରଦର୍ଶିତା ଆଣିବାକୁ ବିଜେପି ଯୋଜନା କରିଛି । ତେବେ ସରକାରୀ ଭାବେ ଶ୍ରୀ ସାହୁଙ୍କ ନିଯୁକ୍ତିକୁ ନେଇ କୌଣସି ସୂଚନା ମିଳିପାରିନାହିଁ ।
ଅନ୍ୟପକ୍ଷରେ ଓଡ଼ିଶା କ୍ୟାଡ଼ରର ୨୦୧୦ ବ୍ୟାଚ ଆଇଏଏସ୍ ସୁଧାଂଶୁ ମୋହନ ସାମଲ, ୨୦୧୧ ବ୍ୟାଚ୍ ଆଇଏଏସ୍ ଅରିନ୍ଦମ ଡାକୁଆ ଓ ୨୦୧୨ ବ୍ୟାଚ୍ ଆଇଏଏସ୍ ଅନୁପମ ଶାହଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜିଠୁ ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବରୁ ସେ ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ ଅଫିସ୍ ଖୋଲି କାର୍ଯ୍ୟ କରୁଥିଲେ ।