ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ ହେଲେ ଏହି ଷ୍ଟାର
ପୂର୍ବରୁ ମୁମ୍ବାଇ ଲସିତ ମାଲିଙ୍ଗାଙ୍କୁ ମୁମ୍ବାଇର ବୋଲିଂ କୋଚ କରିଥିଲା। ଏବେ ପାରସ ମଧ୍ୟ ମାଲିଙ୍ଗାଙ୍କ ସହ ସମାନ ଦାୟିତ୍ୱରେ ରହିବେ।
ଭାରତୀୟ ଜାତୀୟ ଟିମର ପୂର୍ବତନ ବୋଲିଂ କୋଚ୍ ପାରସ ମାହାମ୍ବ୍ରେଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ଆଇପିଏଲର ଅନ୍ୟତମ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ ଭାବେ ନିଯୁକ୍ତି ଦେଇଛି।
ପୂର୍ବରୁ ମୁମ୍ବାଇ ଲସିତ ମାଲିଙ୍ଗାଙ୍କୁ ମୁମ୍ବାଇର ବୋଲିଂ କୋଚ କରିଥିଲା। ଏବେ ପାରସ ମଧ୍ୟ ମାଲିଙ୍ଗାଙ୍କ ସହ ସମାନ ଦାୟିତ୍ୱରେ ରହିବେ। ୫ଥର ଆଇପିଏଲ ଜିତିଥିବା ମୁମ୍ବାଇ ନିଯୁକ୍ତିକୁ ନିଶ୍ଚିତ କରିବା ସହ ଦୁଇ ଜଣ ଯାକ ସମାନ କ୍ଷମତାରେ ମୁଖ୍ୟ କୋଚ୍ ମାହେଲା ଜୟବର୍ଦ୍ଧନଙ୍କ ସହ ମିଶି କାମ କରିବେ ବୋଲି କହିଛି।
୫୪ ବର୍ଷୀୟ ପାରସ ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଟିମ ସହ ରହିଥିଲେ। ଜୁନ ମାସରେ ତାଙ୍କ କାର୍ଯ୍ୟକାଲ ଶେଷ ହୋଇଥିଲା। ଏବେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ପାଖକୁ ଆଣିଛି। ପାରସ ପୂର୍ବରୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ ଥିଲେ।
୨୦୧୩ରେ ମୁମ୍ବାଇ ଆଇପିଏଲ ଜିତିବା ବେଳେ ଦଳର ବୋଲିଂ କୋଚ ଭାବେ ସେ ରହିଥିଲେ। ଏହାବାଦ ୨୦୧୦, ୨୦୧୧ ଓ ୨୦୧୩ରେ ଚାମ୍ପିୟନ୍ସ ଲିଗ ଟି-୨୦ ବେଳେ ମଧ୍ୟ ସେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ ଥିଲେ। ତେଣୁ ତାଙ୍କର ଘର ବାହୁଡ଼ା ହୋଇଛି।
ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଜୟବର୍ଦ୍ଧେନଙ୍କୁ ପୁଣି ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଥିଲା। ୨୦୧୭ରୁ ୨୦୨୨ ମଧ୍ୟରେ ଜୟବର୍ଦ୍ଧେନଙ୍କ କୋଚିଂରେ ମୁମ୍ବାଇ ୩ଥର ଚାମ୍ପିୟନ ହୋଇଥିଲା।
ପାରସ ୧୯୯୨ରୁ ୨୦୦୩ ମଧ୍ୟରେ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳିବା ସହ ୯୧ଟି ମ୍ୟାଚ୍ରେ ୨୮୪ଟି ୱିକେଟ ନେଇଥିଲେ। ତାଙ୍କ ପାଖରେ ଲେଭଲ ୩ କୋଚିଂ ଡିପ୍ଲୋମା ଡିଗ୍ରୀ ରହିଛି। ସେ ଏନସିଏରୁ ଏହି ଡିଗ୍ରୀ ପାଇଛନ୍ତି।
ଘରୋଇ କ୍ରିକେଟରେ ସେ ବରୋଦା, ମହାରାଷ୍ଟ୍ର, ବିର୍ଦ୍ଦଭା ଓ ବେଙ୍ଗଲର କୋଚ ଦାୟିତ୍ୱରେ କାର୍ଯ୍ୟ କରି ସାରିଛନ୍ତି। ରାହୁଲ ଡ୍ରାଭିଡଙ୍କ ସମୟରେ ସେ ଜାତୀୟ ଦଳର ବୋଲିଂ କୋଚ ହୋଇଥିଲେ।