ମ୍ୟାଁମାର ସୀମାରେ ତାରବାଡ଼ ପ୍ରସଙ୍ଗ: ଭାରତ ଦୂରଦର୍ଶୀ ଓ ପ୍ରଭାବୀ ପଦକ୍ଷେପ ନେଉ
ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅନଗ୍ରସର ଏବଂ ସମସ୍ୟାବହୁଳ। ସେ ଅଞ୍ଚଳର ପ୍ରତିକୂଳ ଭୂଗୋଳ ଏହାର ପ୍ରମୁଖ କାରଣ। ଆହୁରି ମଧ୍ୟ ଚୀନ୍, ମ୍ୟାଁମାର, ଭୂଟାନ, ନେପାଳ ଓ ବାଂଲାଦେଶର ସୀମାକୁ ଛୁଉଁଥିବା ଏହି ଅଞ୍ଚଳ ସାମରିକ ତଥା ରଣକୌଶଳାତ୍ମକ ଦୃଷ୍ଟିକୋଣରୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅଞ୍ଚଳରେ ଥିବା ଆଠଟି ରାଜ୍ୟ ମଧ୍ୟରୁ ଆସାମକୁ ଛାଡ଼ି ଦେଲେ ଅନ୍ୟ ସାତଟି ଛୋଟ ରାଜ୍ୟ ଜନସଂଖ୍ୟା ଦୃଷ୍ଟିରୁ ମଧ୍ୟ ପଛରେ। […]

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅନଗ୍ରସର ଏବଂ ସମସ୍ୟାବହୁଳ। ସେ ଅଞ୍ଚଳର ପ୍ରତିକୂଳ ଭୂଗୋଳ ଏହାର ପ୍ରମୁଖ କାରଣ। ଆହୁରି ମଧ୍ୟ ଚୀନ୍, ମ୍ୟାଁମାର, ଭୂଟାନ, ନେପାଳ ଓ ବାଂଲାଦେଶର ସୀମାକୁ ଛୁଉଁଥିବା ଏହି ଅଞ୍ଚଳ ସାମରିକ ତଥା ରଣକୌଶଳାତ୍ମକ ଦୃଷ୍ଟିକୋଣରୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅଞ୍ଚଳରେ ଥିବା ଆଠଟି ରାଜ୍ୟ ମଧ୍ୟରୁ ଆସାମକୁ ଛାଡ଼ି ଦେଲେ ଅନ୍ୟ ସାତଟି ଛୋଟ ରାଜ୍ୟ ଜନସଂଖ୍ୟା ଦୃଷ୍ଟିରୁ ମଧ୍ୟ ପଛରେ। ଏହାସତ୍ତ୍ବେ ଭାରତ-ପୂର୍ବାଞ୍ଚଳ ଜାତିଗତ, ଭାଷାଗତ, ଧର୍ମଗତ ଓ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର। ଏଠାରେ ଉଗ୍ରବାଦ, ଜାତିଗତ ଦଙ୍ଗା, ବେଆଇନ ନିଶା କାରବାର ଓ ସେବନ ତଥା ଛୋଟବଡ଼ ସଂଗଠିତ ଅପରାଧ ସଂଖ୍ୟା ଅଧିକ। ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଏହି ଅଞ୍ଚଳ ମଧ୍ୟ ଅନଗ୍ରସର। ଏହାର ମୁଖ୍ୟ କାରଣ ହେଲା ସ୍ୱାଧୀନତାର ଦୀର୍ଘକାଳ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଅଞ୍ଚଳର ସାମୂହିକ ବିକାଶ ପାଇଁ ବିଶେଷ ଦୃଷ୍ଟି ଦେଇନଥିଲେ। ଅବଶ୍ୟ ସମୟକ୍ରମେ ସେ ସ୍ଥିତି ବଦଳିଛି ଏବଂ ବିକଶିତ ଭାରତର ଅଗ୍ରଗତିରେ ଏହି ଅଞ୍ଚଳ ଏବେ ସାମିଲ ହୋଇଛି। କେନ୍ଦ୍ରରେ ଉତ୍ତର-ପୂର୍ବାଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଖୋଲାଯିବା ସହିତ ପ୍ରତ୍ୟେକ ମନ୍ତ୍ରଣାଳୟ ନିଜ ବଜେଟର ୧୦ ଶତାଂଶ ଏହି ଅଞ୍ଚଳର ବିକାଶ ପାଇଁ ବ୍ୟୟ କରୁଛନ୍ତି।
ପ୍ରାୟ ଦୁଇଦଶନ୍ଧି ତଳେ ଉତ୍ତର-ପୂର୍ବାଞ୍ଚଳ ଯାହା ଥିଲା ଏବେ ସେ ସ୍ଥିତିରେ ଆକାଶ ପାତାଳ ପରିବର୍ତ୍ତନ ଘଟିଛି। ଏହାପଛରେ ରହିଛି କେନ୍ଦ୍ର ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି। ଯୋଗାଯୋଗ, ଗମନାଗମନ, ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି, ରୋଜଗାର, ସାମାଜିକ ଓ ଆର୍ଥିକ ବିକାଶ ଭଳି ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପମାନ ବ୍ୟାପକ ଭାବେ କାର୍ଯ୍ୟକାରୀ ହେବା ସହିତ ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ଦେଶର ବିକାଶର ମୁଖ୍ୟଧାରାରେ ସାମିଲ କରାଯାଉଛି। ସେଠାରେ ରାଜନୈତିକ ସ୍ଥିରତା ବଢ଼଼ିଛି ଓ ହିଂସାକାଣ୍ଡ, ଜାତିଗତ ଦଙ୍ଗାଗୋଳ, ବିଦ୍ରୋହାତ୍ମକ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ‘ଆକ୍ଟ ଇଷ୍ଟ’ ନୀତିରେ ଭାରତ ସରକାର ଉତ୍ତର-ପୂର୍ବାଞ୍ଚଳକୁ ଭାରତର ପ୍ରବେଶ ଦ୍ୱାରରେ ପରିଣତ କରିବାକୁ ଉଦ୍ୟମ କରୁଛନ୍ତି।
ଏସବୁ ସତ୍ତ୍ବେ ଉତ୍ତର-ପୂର୍ବାଞ୍ଚଳରେ ବେଳେବେଳେ ଅଶାନ୍ତି ଓ ଜାତିଗତ ଦଙ୍ଗାଗୋଳ ବିସ୍ଫୋରଣାତ୍ମକ ରୂପ ନେଉଛି। ଭାରତର ଏହି ଅଞ୍ଚଳଟି ସବୁଠୁ ଅଧିକ ଅନୁପ୍ରବେଶପ୍ରବଣ ଓ ଜାତିଗତ ଦୃଷ୍ଟିରୁ ଅଧିକ ସଂବେଦନଶୀଳ। ବିଭିନ୍ନ ଦେଶର ସୀମାକୁ ଛୁଇଁଥିବା ଏହି ଅଞ୍ଚଳର ସୀମାନ୍ତ ଉତ୍ତୁଙ୍ଗ ପାହାଡ଼ ପର୍ବତ ଓ ବିପଜ୍ଜନକ ଉପତ୍ୟକା, ନଦୀ ଏବଂ ଘନ ଜଙ୍ଗଲ ଯୋଗୁଁ ସୁରକ୍ଷିତ ନୁହେଁ। ବିଶେଷକରି ବାଂଲାଦେଶ ଓ ମ୍ୟାଁମାରରୁ ଏହି ଅଞ୍ଚଳକୁ ସର୍ବାଧିକ ଅନୁପ୍ରବେଶ ଘଟିଥାଏ। ମ୍ୟାଁମାରର ଅପରାଧୀ, ବିଦ୍ରୋହୀ ଓ ନିଶାବେପାରୀ ଏହି ମୁକୁଳା ତଥା ସ୍ୱାପଦସଂକୁଳ ସୀମାର ସୁଯୋଗ ନେଇ ଭାରତ ଭିତରେ ଅନାୟାସରେ ପ୍ରବେଶ କରି ଅସ୍ଥିରତା ସୃଷ୍ଟି କରିଥା’ନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମୁକୁଳା ମ୍ୟାଁମାର ସୀମାରେ ତାରବାଡ଼ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର କାରଣ ହେଲା ମ୍ୟାଁମାରରୁ ବିଦ୍ରୋହୀ ଓ ଅନୁପ୍ରବେଶକାରୀ ଅଧିକ ସଂଖ୍ୟାରେ ଭାରତକୁ ଆସୁଛନ୍ତି ଓ ନାନା ପ୍ରକାର ହିଂସାକାଣ୍ଡ ସୃଷ୍ଟି କରୁଛନ୍ତି।
ଏହି ନିଷ୍ପତ୍ତି ଭଲ ହୋଇଥିଲେ ମଧ୍ୟ ଏହା ଏକ ସହଜସାଧ୍ୟ କାର୍ଯ୍ୟ ନୁହେଁ। ଭାରତ ଓ ମ୍ୟାଁମାର ମଧ୍ୟରେ ଯେଉଁ ଆନ୍ତର୍ଜାତିକ ସୀମାରେଖା ରହିଛି, ତାହାର ଦୈର୍ଘ୍ୟ ପ୍ରାୟ ୧୬୦୦ କିମି। ଏହା ପୁଣି ଅରୁଣାଚଳ ପ୍ରଦେଶରୁ ନାଗାଲାଣ୍ଡ, ମଣିପୁର ଓ ମିଜୋରାମ ଯାଏଁ ଲମ୍ବିଛି। ଏହି ସୀମା ଅଗମ୍ୟ ଗିରିସାକଟ ଓ ପାର୍ବତ୍ୟ ଉପତ୍ୟକା ମଧ୍ୟରେ ରହିଛି, ଯେଉଁଠି ସାମଗ୍ରୀ ଓ ଲୋକବଳ ପହଞ୍ଚିାଇବା ଏକପ୍ରକାର ଦୁଃସାଧ୍ୟ। ସୀମା ସୁରକ୍ଷା ବାହିନୀ ପାଇଁ ମଧ୍ୟ କେତେକ ଅଞ୍ଚଳ ଅଗମ୍ୟ। ତଥାପି ନୂଆ ଟେକ୍ନୋଲୋଜି ଓ ସାଧନ ମାଧ୍ୟମରେ ଏହି ସୀମାନ୍ତ ତାରବାଡ଼ ନିର୍ମାଣ କରିବା ଅସାଧ୍ୟ ନୁହେଁ। ତଥାପି ଏଥିରେ ଚତୁର ରାଜନୈତିକ ନିଷ୍ପତ୍ତିର ଆବଶ୍ୟକତା ରହିଛି। ମଣିପୁର, ନାଗାଲାଣ୍ଡ ଓ ମିଜୋରାମର କେତେକ ଜନଜାତିଙ୍କ ସହିତ ସାମାଜିକ-ସାଂସ୍କୃତିକ ସମ୍ପର୍କ ଥିବା କିଛି ଜାତି ମ୍ୟାଁମାରରେ ବସବାସ କରନ୍ତି। ଉଭୟପକ୍ଷ ବିନା ଦ୍ୱିଧାରେ ନିଜର ଇଚ୍ଛାମତେ ସୀମା ପାର ହୋଇଥା’ନ୍ତି ଏବଂ ସେମାନଙ୍କ ଜାତିଗତ ଓ ସାଂସ୍କୃତିକ ସମ୍ବନ୍ଧ ଆଗରେ ଆନ୍ତର୍ଜାତିକ ସୀମାରେଖା ଓ ଜାତୀୟତା ଅର୍ଥହୀନ। ମ୍ୟାଁମାରର କୁକୀଚୀନ୍ ସମ୍ପ୍ରଦାୟ ସେଠାକାର ସାମରିକ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଏହି ତିନି ରାଜ୍ୟରେ ଆଶ୍ରୟ ନେବା ସହ ବିଭିନ୍ନ ପ୍ରକାର ଅସ୍ଥିରତା ସୃଷ୍ଟି କରୁଛନ୍ତି।
୨୦୨୧ରେ ମ୍ୟାଁମାର ସାମରିକ ବିଦ୍ରୋହ ପରଠାରୁ ସେଠାରୁ ଅନେକ ଶରଣାର୍ଥୀ ଓ ବିଦ୍ରୋହୀ ଏହି ମୁକୁଳା ସୀମା ଦେଇ ମୁଖ୍ୟତଃ ମଣିପୁର, ନାଗାଲାଣ୍ଡ ଓ ମିଜୋରାମ ମଧ୍ୟକୁ ପଶି ଆସିଛନ୍ତି। ସେମାନେ ସୀମା ନିକଟ ଘଞ୍ଚ ଜଙ୍ଗଲରେ ଆଶ୍ରୟ ନେଇ ଗୁପ୍ତରେ ଅସ୍ତ୍ରଶସ୍ତ୍ର ନିର୍ମାଣ, ଅସ୍ତ୍ର ଓ ମାଦକଦ୍ରବ୍ୟ ଚୋରା ଚାଲାଣ ଏବଂ ଅନ୍ୟାନ୍ୟ ଗର୍ହିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେମାନେ ଚୋରା ଅସ୍ତ୍ରଶସ୍ତ୍ର ଓ ମାଦକଦ୍ରବ୍ୟର ଅବାଧ କାରବାର ଉତ୍ତର-ପୂର୍ବାଞ୍ଚଳରେ ଚଳାଇଛନ୍ତି। ଜାତିଗତ ଓ ବିରାଦାରୀ, ଧାର୍ମିକ ପ୍ରସଙ୍ଗ ଏବଂ ରାଜନୈତିକ ଫାଇଦା ଆଦି ଦୃଷ୍ଟିରୁ ଅରୁଣାଚଳ, ମଣିପୁର, ନାଗାଲାଣ୍ଡ ଓ ମିଜୋରାମରେ ସୀମାନ୍ତକୁ ମୁକୁଳା ରଖିବାକୁ ସରକାରଙ୍କ ଉପରେ ଚାପ ବଢ଼଼ୁଛି। ସ୍ୱାଗତଯୋଗ୍ୟ ଯେ ଏସବୁ ରାଜ୍ୟର ଅଧିକାଂଶ ଲୋକ ଖ୍ରୀଷ୍ଟଧର୍ମାବଲମ୍ବୀ। ୨୦୧୮ର ‘ଆକ୍ଟ ଇଷ୍ଟ’ ନୀତି ଅନୁସାରେ ଭାରତ-ମ୍ୟାଁମାର ସୀମାର ଉଭୟ ପାର୍ଶ୍ବର ୧୬ କିମି ଯାଏଁ ରହୁଥିବା ନାଗରିକ ନିର୍ବିଘ୍ନରେ ଦୁଇଦେଶରେ ପ୍ରବେଶ କରି ବିଭିନ୍ନ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ କାରବାର କରୁଥିଲେ। ଏବେ ତାରବାଡ଼ ଦିଆଗଲେ ଉଭୟ ପଟୁ ତାହାକୁ ବିରୋଧ କରାଯିବ ଏବଂ ଏହା ରାଜନୈତିକ ଓ କୂଟନୈତିକ ଅଶାନ୍ତି ସୃଷ୍ଟି କରିବ। ମଣିପୁରକୁ ଛାଡ଼ି ଦେଲେ ଅନ୍ୟସବୁ ମ୍ୟାଁମାର ସଂଲଗ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ କୁକି-ଚୀନ ଗୋଷ୍ଠୀଙ୍କ ପ୍ରତି ସହାନୁଭୂତିଶୀଳ ଏବଂ ସେଥିପାଇଁ ତାରବାଡ଼ ନିର୍ମାଣକୁ ଭିତରେ ଭିତରେ ବିରୋଧ କରୁଛନ୍ତି।
ଜାତୀୟ ନିରାପତ୍ତା ଦୃଷ୍ଟିରୁ ସୀମାନ୍ତର ତାରବାଡ଼ ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇଥିବାବେଳେ ଉତ୍ତର-ପୂର୍ବାଞ୍ଚଳର ଅନେକ ଜନଜାତି ଏହାକୁ ବିଭାଜନର ଏକ ପାଚେରି ଭାବେ ଦେଖୁଛନ୍ତି। ସେମାନଙ୍କ ଅସନ୍ତୋଷ ଜାତିଗତ ଓ ରାଜନୈତିକ ଉତ୍ତେଜନା ସୃଷ୍ଟି କରୁଛି। ଦେଶର ନିରାପତ୍ତା ଓ ସଂହତି ରକ୍ଷା ପାଇଁ ମ୍ୟାଁମାର ସୀମାନ୍ତରେ ତାରବାଡ଼ର ଆବଶ୍ୟକତା ଜରୁରୀ। ତେବେ ଜାତିଗତ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଓ ରାଜନୈତିକ ଦୃଷ୍ଟିରୁ ଅସ୍ଥିର ତଥା ଉଗ୍ରବାଦ ଅଧ୍ୟୁଷିତ ଏହି ଇଲାକାରେ ସରକାର କିଭଳି ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଚତୁର ରାଜନୈତିକ ପ୍ରୟାସ, ଦକ୍ଷ ପରିଚାଳନା ସାମର୍ଥ୍ୟ ଓ ପ୍ରତ୍ୟୁତ୍ପନ୍ନମତିତାର ଆବଶ୍ୟକତା ରହିଛି।