ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା: ବିଜେପିର ପୂର୍ବତନ ନେତାଙ୍କ ପୁଅର ଖେଳ ଖତମ

୨୦୨୨ ମସିହାରେ ରିସେପସନିଷ୍ଟ ଭାବେ କାର୍ଯ୍ୟ କରୁଥିବା ଅଙ୍କିତାଙ୍କୁ ହତ୍ୟା କରାଯାଇଥିଲା।

ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା: ବିଜେପିର ପୂର୍ବତନ ନେତାଙ୍କ ପୁଅର ଖେଳ ଖତମ

ବିଜେପିର ପୂର୍ବତନ ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟ ଓ ତାଙ୍କ ଦୁଇ ସହଯୋଗୀଙ୍କ ଖେଳ ଖତମ। ଅଙ୍କିତା ଭଣ୍ଡାରୀ ନାମକ ୧୯ ବର୍ଷୀୟ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୨୨ ମସିହାରେ ରିସେପସନିଷ୍ଟ ଭାବେ କାର୍ଯ୍ୟ କରୁଥିବା ଅଙ୍କିତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଆଜି ଉତ୍ତରାଖଣ୍ଡର ଗୋଟିଏ କୋର୍ଟ ପୁଲକିତ ଓ ତାଙ୍କର ୨ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

କୋଟଡୱାରର ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ଅଙ୍କିତାଙ୍କ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୌରି ଜିଲ୍ଲାର ଯମକେଶ୍ୱର ଅଞ୍ଚଳରେ ଥିବେ ପୁଲକିତଙ୍କ ବାନାନତାରା ରିସର୍ଟରେ ଅଙ୍କିତା ରସେପ୍ସନିଷ୍ଟ ଭାବେ କାମ କରୁଥିଲେ। ୨୦୨୨ ମସିହା ସେପ୍ଟେମ୍ବର ୧୮ରେ ଅଙ୍କିତା ଭଣ୍ଡାରୀଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା।

ଏହାର କିଛି ଦିନ ପରେ ଚିଲ୍ଲା କେନାଲରୁ ତାଙ୍କ ମୃତଦେହ ଜବତ ହେବା ପରେ ଏହା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଅଭିଯୁକ୍ତ ପୁଲକିତଙ୍କ ବାପା ବିଜେପିରେ ଥିବାରୁ ଘଟଣାକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଦେଖାଯାଇଥିଲା। ବିଜେପି କ୍ଷମତାରେ ଥିବାରୁ ଅଭିଯୁକ୍ତଙ୍କୁ ପୁଲିସ୍‌ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଥିଲା। ଶେଷରେ ବିଜେପି ଚାପର ବଶବର୍ଶୀ ହୋଇ ପୁଲକିତଙ୍କ ବାପା ବିଦୋଦ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କରିଥିଲା।

ତଥାପି ବିବାଦ ନ ଥମିବାରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣା ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ। ଏସଆଇଟି ଘଟଣାର ତଦନ୍ତ କରି ୫୦୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲେ। ଏଥିରେ ୯୭ ଜଣଙ୍କ ନାଁ ସାକ୍ଷୀ ଭାବେ ଉଲ୍ଲେଖ କରାଯାଇଥିଲା। ୪୭ ଜଣ ସାକ୍ଷୀ କୋର୍ଟରେ ନିଜର ବୟାନ ରେକର୍ଡ କରାଇଥିଲେ। ୨୦୨୩ ମସିହା ମାର୍ଚ୍ଚ ୨୮ରୁ ମାମଲା ଶୁଣାଣି ଆରମ୍ଭ ହୋଇଥିଲା। ପୁଲକିତ ଆର୍ଯ୍ୟ ଓ ଅନ୍ୟ ଦୁଇ ଜଣ ନାଁରେ ୩୦୨, ୨୦୧, ୩୫୪ଏ ଓ ଅନ୍ୟାନ୍ୟ ଦଫାରେ ମାମଲା ହୋଇଥିଲା।

୧୯ ବର୍ଷୀୟ ଅଙ୍କିତା ପୁଲକିତଙ୍କ ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ହେଲେ ପୁଲକିତ ଓ ରିସର୍ଟର ଆଉ ୨ ଜଣ କର୍ମଚାରୀ ସୌରଭ ଭାସ୍କର ଓ ଅଙ୍କିତ ଓରଫ ପୁଲକିତ ଗୁପ୍ତା ତାଙ୍କୁ ବେଶ୍ୟାବୃତ୍ତିରେ ସାମିଲ ହେବାକୁ ବାରମ୍ବାର କହୁଥିଲେ। ଅତିଥିଙ୍କୁ ‘ସ୍ପେଶାଲ ସୁବିଧା’ ଯୋଗାଇ ଦେଲେ ୧୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି ସେମାନେ ଅଙ୍କିତାଙ୍କୁ କହିଥିଲେ।

ଏଥିରେ ଅଙ୍କିତା ରାଜି ନ ହେବାରୁ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ୧୮ରୁ ଅଙ୍କିତା ନିଖୋଜ ଥିଲେ। ପୁଲିସ୍‌ ତଦନ୍ତ କରି ପୁଲକିତ, ଅଙ୍କିତ ଓ ସୌରଭଙ୍କୁ ଗିରଫ କରିଥିଲା। ଗିରଫର କିଛି ଦିନ ପରେ କେନାଲ ନିକଟରୁ ଅଙ୍କିତାଙ୍କ ମୃତଦେହ ମିଳିଥିଲା। ୨୦୨୨ ମସିହା ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ବେଳେ ପୁଲକିତ, ରିସର୍ଟ ମ୍ୟାନେଜର ସୌରଭ ଓ ଅନ୍ୟ ଜଣେ କର୍ମଚାରୀ ଅଙ୍କିତଙ୍କ ସହ ଋଷିକେଶ ଯାଇଥିଲେ ଅଙ୍କିତା।

ସେଠାରୁ ଫେରୁଥିବା ବେଳେ ଚିଲ୍ଲା ରୋଡରେ ଥିବା ଗୋଟିଏ କେନାଲ ନିକଟରେ ୩ ଜଣ ଯାକ ଗାଡ଼ି ରଖି ମଦ ପିଇଥିଲେ। ଅଙ୍କିତା ଗାଡ଼ିରେ ସେମାନଙ୍କୁ ଅପେକ୍ଷା କରିଥିଲେ। ମଦ ପିଇ ଆସିବା ପରେ ରସର୍ଟରେ ଅତିଥିଙ୍କୁ ସ୍ପେଶାଲ ସୁବିଧା ଯୋଗାଇ ଦେବାକୁ ସେମାନେ ଅଙ୍କିତାଙ୍କୁ କହିଥିଲେ। ହେଲେ ଅଙ୍କିତା ଏଥିରେ ରାଜି ନ ହେବାରୁ ସେମାନଙ୍କ ସହ ଯୁକ୍ତିତର୍କ ହୋଇଥିଲା।

ସେହିପରି ରସର୍ଟରେ ଚାଲିଥିବା ଅନୈତିକ କାର୍ଯ୍ୟର ପର୍ଦ୍ଦାଫାସ କରିବା ନେଇ ମଧ୍ୟ ଅଙ୍କିତା ଧମକ ଦେଇଥିଲେ। ଏଥିରେ ରାଗି ଯାଇ ୩ ଜଣ ଯାକ ତାଙ୍କୁ ନିକଟସ୍ଥା କେନାଲକୁ ଫିଙ୍ଗି ଦେଇଥିଲେ। ୬ ଦିନ ପରେ ସେଠାରୁ ତାଙ୍କର ମୃତଦେହ ଜବତ କରାଯାଇଥିଲା। ଏବେ ୨ ବର୍ଷ ୮ ମାସ ପରେ ୩ ଦୋଷୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।