ଯେ କୌଣସି ସ୍ଥିତିରେ ବିରାଟଙ୍କୁ ଟି-୨୦ ବିଶ୍ୱକପ୍‌ ଦଳରେ ଚାହାନ୍ତି ରୋହିତ: କିର୍ତ୍ତୀ ଆଜାଦ

ଟି-୨୦ ବିଶ୍ୱକପ୍‌ ଦଳରେ ରୋହିତ ଶର୍ମା ଯେ କୌଣସି ସ୍ଥିତିରେ ବିରାଟ କୋହଲିଙ୍କୁ ଚାହାନ୍ତି ବୋଲି ବିସିସିଆଇ ସଚିବ ଜୟ ଶାହଙ୍କୁ ଜଣାଇ ଦେଇଛନ୍ତି।

ଯେ କୌଣସି ସ୍ଥିତିରେ ବିରାଟଙ୍କୁ ଟି-୨୦ ବିଶ୍ୱକପ୍‌ ଦଳରେ ଚାହାନ୍ତି ରୋହିତ: କିର୍ତ୍ତୀ ଆଜାଦ

ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଖେଳାଯିବ ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ। ତେବେ ଏଥିପାଇଁ କିପରି ରହିବ ଟିମ୍ ଇଣ୍ଡିଆର ଚୁଡାନ୍ତ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହାରି ମଧ୍ୟରେ ଏକ ଖବର ବେଶ୍‌ ଭାଇରାଲ୍ ହୋଇଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା କି ଆଗାମୀ ଟି-୨୦ ବିଶ୍ୱକପ୍‌ ଟିମ୍‌ ବିରାଟ କୋହଲିଙ୍କୁ ସାମିଲ ନ କରିବାକୁ ଚିନ୍ତା କରୁଛି ବିସିସିଆଇ।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍‌ ବିଜେତା ଦଳର ସଦସ୍ୟ କିର୍ତ୍ତୀ ଆଜାଦ। କିଛି ଦିନ ଧରି ଜାରି ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କିର୍ତ୍ତୀ ଆଜାଦ। ସେ କହିଛନ୍ତି ଟି-୨୦ ବିଶ୍ୱକପ୍‌ ଦଳରେ ରୋହିତ ଶର୍ମା ଯେ କୌଣସି ସ୍ଥିତିରେ ବିରାଟ କୋହଲିଙ୍କୁ ଚାହାନ୍ତି ବୋଲି ବିସିସିଆଇ ସଚିବ ଜୟ ଶାହଙ୍କୁ ଜଣାଇ ଦେଇଛନ୍ତି।

ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ, ଜୟ ଶାହ ଚୟନକର୍ତ୍ତା ନୁହଁନ୍ତି। ଅଜିତ୍‌ ଅଗରକରଙ୍କୁ ଦାୟିତ୍ୱ ଦିଆଯାଇଥିଲା କି ସେ ଅନ୍ୟ ଚୟନକର୍ତ୍ତାଙ୍କ ସହ ଆଲୋଚନା କରି ଏହା ବୁଝାନ୍ତୁ ଯେ ବିରାଟ କୋହଲିଙ୍କୁ ଟି-୨୦ ଟିମ୍‌ ସ୍ଥାନ ମିଳୁନାହିଁ। ଏଥିପାଇଁ ଅଗରକରଙ୍କୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ମିଳିଥିବା ସୂଚନାକୁ ଯଦି ବିଶ୍ୱାସ କରାଯାଏ, ଏ ସମ୍ପର୍କରେ ଅଜିତ୍‌ ଅଗରକର ନିଜେ କିମ୍ବା ଅନ୍ୟ ଚୟନକର୍ତ୍ତାଙ୍କୁ ମନାଇବାରେ ସକ୍ଷମ ହୋଇନାହାନ୍ତି। ତେବେ ବିରାଟଙ୍କୁ ଟି-୨୦ ଦଳରେ ସାମିଲ ନ କରିବାକୁ ଜୟ ଶାହ ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ କହିଥିଲେ। କିନ୍ତୁ ରୋହିତ କହିଥିଲେ କି ସେ ଯେ କୌଣସି ପରିସ୍ଥିତିରେ ଦଳରେ ବିରାଟ କୋହଲିଙ୍କୁ ଚାହୁଁଛନ୍ତି । ବିରାଟ କୋହଲି ଟି-୨୦ ବିଶ୍ୱକପ୍ ଖେଳିବେ ଏବଂ ଦଳ ଚୟନ ପୂର୍ବରୁ ଏହା ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି କହିଛନ୍ତି କିର୍ତ୍ତୀ ଆଜାଦ।

ସୂଚନା ଅନୁସାରେ ଆଗାମୀ ଟି-୨୦ ବିଶ୍ୱକପ୍‌ ଜୁନ୍‌ ୨ରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବ। ୱେଷ୍ଟଇଣ୍ଡିଜରେ ମନ୍ଥର ପିଚ୍‌ ବିରାଟ କୋହଲିଙ୍କ ପାଇଁ ଅନୁକୂଳ ନୁହେଁ। ସେଥିପାଇଁ ତାଙ୍କୁ ବିଶ୍ୱକପରୁ ବାଦ୍‌ ଦେବାକୁ ଚିନ୍ତା କରୁଛି ବିସିସିଆଇ। ଏହା ବ୍ୟତୀତ ଆଉ ଏକ ରିପୋର୍ଟ ଅନୁଯାୟୀ, ନବାଗତଙ୍କୁ ସୁଯୋଗ ଦେବା ପାଇଁ ବିରାଟଙ୍କୁ ବାଦ୍‌ ଦିଆଯିବ। ଏନେଇ ବିରାଟ କୋହଲିଙ୍କୁ ବୁଝାଇବା ପାଇଁ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ସହ ମୁଖ୍ୟ ଚୟନକର୍ତ୍ତା ଟି-୨୦ରେ ଆଗ୍ରେସିଭ୍‌ ଖେଳିବା ପାଇଁ କୋହଲିଙ୍କୁ କହିଥିଲେ। ଏହାପରେ ସେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବିଫଳ ହୋଇଥିଲେ।