ଯେତେବେଳେ ହେମନ୍ତ ସୋରେନଙ୍କୁ ଭେଟିଲେ ଆଉ ଜଣେ ‘ହେମନ୍ତ ସୋରେନ’...

ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କୁ ଆଉ ଜଣେ ହେମନ୍ତ ଭେଟିବା ବେଳର ଫଟୋକୁ ଶେୟାର କରିଛନ୍ତି।

ଯେତେବେଳେ ହେମନ୍ତ ସୋରେନଙ୍କୁ ଭେଟିଲେ ଆଉ ଜଣେ ‘ହେମନ୍ତ ସୋରେନ’...

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି ଆଉ ଜଣେ ‘ହେମନ୍ତ ସୋରେନ।’ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ହେଁ ସାମ୍ନାକୁ ଆସିଥିବା ଫଟୋ ସବୁ କିଛି ବୟାନ କରୁଛି। ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କୁ ଆଉ ଜଣେ ହେମନ୍ତ ଭେଟିବା ବେଳର ଫଟୋକୁ ଶେୟାର କରିଛନ୍ତି।

ବାସ୍ତବରେ ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିବା ବ୍ୟକ୍ତି ଜଣଙ୍କ ହେଉଛି ଥିଏଟର କଳାକାର ମୁନ୍ନା ଲୋହରା। ସେ ପୂରା ହେମନ୍ତ ସୋରେନଙ୍କ ଭଳି ଦେଖିବାକୁ। ମୁନ୍ନା ମଧ୍ୟ ହେମନ୍ତ ସୋରେନଙ୍କ ଭଳି ଷ୍ଟାଇଲ କରନ୍ତି। ଏବେ ହେମନ୍ତ ସୋରେନ ଚୁଟି ଓ ଦାଢ଼ି ରଖିଥିବାରୁ ମୁନ୍ନା ମଧ୍ୟ ସମାନ ଷ୍ଟାଇଲ କରିଛନ୍ତି। ଉଭୟଙ୍କ ମଧ୍ୟରେ କେବଳ ଉଚ୍ଚତାରେ ଫରକ ରହିଛି। କିନ୍ତୁ ଉଭୟ ଦେଖିବାକୁ ପୂରା ଏକାଭଳି।

ହେମନ୍ତ ସୋରେନଙ୍କୁ ଆଉ ଜଣେ ହେମନ୍ତ ଭେଟିବାରୁ ଉଭୟ ଏକାଧିକ ଫଟୋ ଉଠାଇଛନ୍ତି। ମୁନ୍ନାଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି।

ଏହି ଭେଟଘାଟର ଫଟୋକୁ ହେମନ୍ତ ସୋରେନ ଏକ୍ସରେ ଶେୟାର କରିଛନ୍ତି। ଏହାର ଶୀର୍ଷରେ ସେ ଉଲ୍ଲେଖ କରିଛନ୍ତି ଯେ “ଜଣେ ହେମନ୍ତ ଆଉ ଜଣେ ହେମନ୍ତଙ୍କୁ ଭେଟିଛନ୍ତି। ଥିଏଟର କଳାକାର ମୁନ୍ନା ଲୋହରା ଓ ତାଙ୍କ ପରିବାର ଲୋକଙ୍କୁ ଭେଟନ୍ତୁ।”

ରାଞ୍ଚିର ହାତିଆ ଅଞ୍ଚଳରେ ରହୁଥିବା ମୁନ୍ନା ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ବେଶ ଖୁସି ହୋଇଯାଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଫ୍ୟାନ ଓ ସେ ତାଙ୍କ ପ୍ରେରଣାର ଉତ୍ସ ବୋଲି ମୁନ୍ନା କହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ଥିଏଟର କଳାକାର ମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଏପରି କଳାକାରଙ୍କ ପାଇଁ ନୂଆ ନୀତି ଆସିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, “ମୁଁ ଥିଏଟର କଳାକାରମାନଙ୍କୁ ଅତି ନିକଟରୁ ଦେଖିଛି। ମୁଁ ସେମାନଙ୍କ ସମସ୍ୟା ସମ୍ପର୍କରେ ଜାଣିଛି। ଆଗାମୀ ଦିନରେ ସେମାନଙ୍କୁ ଗୋଟିଏ ଭଲ ପ୍ଲାଟଫର୍ମ ଯୋଗାଇ ଦେବା ଲକ୍ଷ୍ୟରେ ମୁଁ କାମ କରିବି।

ଝାରଖଣ୍ଡର କଳାକାର ଓ କ୍ରୀଡ଼ାବିତ ବେଶ ଦକ୍ଷ ସମ୍ପନ୍ନ। ସେମାନେ ରାଜ୍ୟକୁ ଅନେକ ସମୟରେ ଗୌରବରନ୍ୱିତ କରିଛନ୍ତି। ଆମେ ମଧ୍ୟ ସେମାନଙ୍କର ସମ୍ମାନ ପାଇଁ ନୂଆ ନୀତି ଆଣିବୁ।”

ଚଳିତ ବର୍ଷ ଶେଷ ଭାଗରେ ଝାରଖଣ୍ଡ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସବୁ ରାଜନୀତିକ ଦଳ ଏବେ ଠାରୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି।