ଯୌତୁକରେ ସ୍କର୍ପିଓ ନ ମିଳିବାରୁ ରାଗିଗଲେ ବ୍ୟକ୍ତି, ପତ୍ନୀଙ୍କୁ ଦେଲେ ଟ୍ରିପଲ୍ ତଲାକ୍
ବିବାହ ସମୟରେ ମିଳିଥିବା ୧୫ ଲକ୍ଷ ଟଙ୍କାରେ ସନ୍ତୁଷ୍ଟ ନ ଥିଲେ ବରପକ୍ଷ । ସ୍କର୍ପିଓ ପାଇଁ ଲୋଭ ଥିଲା। ମାତ୍ର ଆଉ ମିଳିଲାନି ସ୍କର୍ପିଓ ।
ବିବାହ ସମୟରେ ମିଳିଥିବା ୧୫ ଲକ୍ଷ ଟଙ୍କାରେ ସନ୍ତୁଷ୍ଟ ନ ଥିଲେ ବରପକ୍ଷ । ସ୍କର୍ପିଓ ପାଇଁ ଲୋଭ ଥିଲା। ମାତ୍ର ଆଉ ମିଳିଲାନି ସ୍କର୍ପିଓ । ଫଳରେ ବିବାହର ୮ ବର୍ଷ ପରେ ଟ୍ରିପଲ୍ ତଲାକ୍ ଦେଇଦେଲେ ସ୍ୱାମୀ। ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି।
ଏନେଇ ମହିଳାଜଣକ କରିଥିବା ଅଭିଯୋଗ ଅନୁଯାୟୀ, ୨୦୧୫ ମସିହାରେ ମୁସଲିମ୍ ରୀତିନୀତିରେ ତାଙ୍କ ବିବାହ ହୋଇଥିଲେ। ବିବାହ ସମୟରେ ତାଙ୍କ ବାପା ୧୫ ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେଇଥିଲେ।
ମାତ୍ର ଏହାପରେ ଏକ ସ୍କର୍ପିଓ ଦାବି କରି ସ୍ୱାମୀଙ୍କ ସମେତ ଶାଶୁ, ଶ୍ୱଶୁର, ଦିଅରମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏହାବାଦ ବି ଗାଡ଼ି ନ ମିଳିବାରୁ ଗତ ଜୁଲାଇରେ ସ୍ୱାମୀ ବାପଘରକୁ ପଠାଇ ଦେଇଥିବା ମହିଳାଜଣକ ଅଭିଯୋଗ କରିଛନ୍ତି।
କିଛି ଦିନ ପୂର୍ବେ ମହିଳାଙ୍କ ସ୍ୱାମୀ ତାଙ୍କ ବାପ ଘରେ ପହଞ୍ଚିଥିଲେ। ସେଠାରେ ବି ସ୍କର୍ପିଓ ପାଇଁ ଦାବି କରିଥିଲେ। ମାତ୍ର ବାପଘର ଲୋକେ ଏହା ଦେବାକୁ ରାଜି ନ ହେବାରୁ ବ୍ୟକ୍ତିଜଣକ ନିଜ ପତ୍ନୀଙ୍କୁ ସେଠାରେ ଟ୍ରିପଲ ତଲାକ୍ ଦେଇ ପଳାଇଥିଲେ।
ମହିଳାଜଣକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ପଚରାଉଚରା ଚଳାଇଥିବା କହିଛି।