ରକ୍ତ ରଞ୍ଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ, ହତ୍ୟାରୁ ଆରମ୍ଭ ହତ୍ୟାରେ ହେଲା ଶେଷ

ରକ୍ତରଂଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ। ଭୋଟ୍ ହିଂସା ଭିତରେ କେଉଁଠି ମୁଣ୍ଡ ଗଡ଼ିଲା ତ ଆଉ କେଉଁଠି ମରଣାନ୍ତକ ଆକ୍ରମଣରେ ଲହୁଲୁହାଣ ହେଲେ ନେତା ଓ କର୍ମୀ।

ରକ୍ତ ରଞ୍ଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ, ହତ୍ୟାରୁ ଆରମ୍ଭ ହତ୍ୟାରେ ହେଲା ଶେଷ

କଡ଼ ଲେଉଟାଉଥିବା ରାଜ୍ୟ ରାଜନୀତିରେ ରକ୍ତପାତ... ହତ୍ୟାରୁ ଆରମ୍ଭ ହୋଇ ହତ୍ୟାରେ ଶେଷ ହୋଇଛି ୨୪ ନିର୍ବାଚନ । କେନ୍ଦ୍ରାପଡ଼ା ପାଟକୁରା ମେଡ଼ିକାଲ୍ ପରିସରର ଚିତ୍ର ଦେଖି ସମସ୍ତେ ନିର୍ବାକ୍ । ଆପଣାର ଜଣେ ସାଥୀଙ୍କ ବାପାଙ୍କୁ ହରାଇ ନିରବ ନିଶ୍ଚଳ ବିଜେପି ନେତା ଓ କର୍ମୀ । ମାର୍ଶାଘାଇ ବ୍ଲକ ଯମପଡ଼ା ପଞ୍ଚାୟତର ୭୫ ବର୍ଷିୟ ପୁରୁଷୋତ୍ତମ ସ୍ୱାଇଁ । ଯାହାଙ୍କୁ ବିଜେଡି କର୍ମୀ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ପୁରୁଷୋତ୍ତମଙ୍କ ପୁଅ କୁଞ୍ଜବନର ଯମପଡ଼ା ପଞ୍ଚାୟତ ବିଜେପି ସଭାପତି । କାଲି ଭୋଟିଂ ବେଳେ ୧୬୧ ନମ୍ବର ବୁଥରେ ରିଗିଂ ଅଭିଯୋଗ ଆଣିଥିଲେ କୁଞ୍ଜବନ। ଏହି ଘଟଣାରେ ଆକ୍ରୋଶ ରଖି କୁଞ୍ଜବନଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବିଜେଡି କିମ୍ବା ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

କେବଳ ଗୋଟିଏ ଘଟଣା ନୁହଁ । ଗତ ୩୦ ତାରିଖରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଯେଭଳି ଆକ୍ରମଣ କରାଗଲା, ତାକୁ ନେଇ ଏବେ ଖଡଗହସ୍ତ ବିଜେପି ଯୁବ ମୋର୍ଚ୍ଚା । ଏଭଳି ମରଣାନ୍ତକ ଆକ୍ରମଣ ପରେ ବି ଆଖିଦୃଶିଆ ଆକ୍ସନ ନେଇନି ପୋଲିସ। ଆକ୍ରମଣ ପଛରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସ୍ଥାନୀୟ ସରପଞ୍ଚ ଆଦି ସଂପୃକ୍ତ ଥିବା ଅଭିଯୋଗ ଆଣି, ସମସ୍ତ ଅଭିଯୁକ୍ତଙ୍କୁ କାଲି ଦିନ ୧୧ଟା ସୁଦ୍ଧା ଗିରଫ ନକଲେ ଡିଜିପି ଅଫିସ ଘେରିବାକୁ ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି । ତେବେ ଅଭିଯୋଗ ନେଇ ବ୍ୟୋମକେଶଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ସେପଟେ ଧର୍ମଶାଳାରେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ରାଲି ବେଳେ ହିଂସାକୁ ନେଇ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହିମାଂଶୁ ସାହୁଙ୍କ ବିରୋଧରେ ସିଇଓଙ୍କୁ ଫେରାଦ୍ ହୋଇଛି ବିଜେଡି ।

ମେ’ ୧୩ । ପ୍ରଥମ ପର୍ଯ୍ୟାୟ ଭୋଟିଂ ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ । ଘଟଣାର ଦିନକ ପରେ ପୋଷ୍ଟର ମରାକୁ କେନ୍ଦ୍ର କରି ଗଞ୍ଜାମ ଖଲ୍ଲିକୋଟ୍ ଶ୍ରୀକୃଷ୍ଣଶରଣପୁର ଗାଁର ଦିଲୀପ ପାହାନଙ୍କୁ ସଂଘବଦ୍ଧ ଆକ୍ରମଣ କରି ବିଜେଡି କର୍ମୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେହିପରି ଗତ ୨୭ ତାରିଖରେ ଚାନ୍ଦବାଲିରେ ଗଞ୍ଜାମ ବିଜେପି ଜିଲ୍ଲା ସଭାପତି ସୁବାସ ସାହୁଙ୍କୁ କରାଯାଇଥିଲା ମରଣାନ୍ତକ ଆକ୍ରମଣ । କଡ଼ ଲେଉଟାଉଥିବା ରାଜ୍ୟ ରାଜନୀତି ଭିତରେ ଏଭଳି ହିଂସାକୁ ନେଇ ଏବେ ମୁହାଁମୁହିଁ ବିଜେପି-ବିଜେଡି ।

ଶାନ୍ତିପ୍ରିୟ ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ ବେଳେ ଏଭଳି ରକ୍ତପାତକୁ ନେଇ ନାନା ପ୍ରଶ୍ନ ଉଠିଥିବାବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ୧୯ ନିର୍ବାଚନ ଅପେକ୍ଷା ଏଥର କମ୍ ଅଭିଯୋଗ ଆସିଥିବା କହିଛନ୍ତି । ୨୦୧୯ରେ ୩୨୭ଟି ଏବଂ ୨୦୨୪ରେ ମାତ୍ର ୧୨୪ଟି ହିଂସା ହୋଇଥିବା CEO ଗତକାଲି ସୂଚନା ଦେଇଥିଲେ ।