ରତନ ଟାଟାଙ୍କ ବ୍ୟକ୍ତିତ୍ୱ ଅନେକ ପିଢ଼ି ପାଇଁ ପ୍ରେରଣା
ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି। କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି ସମାଜର ପ୍ରତ୍ୟେକ ସ୍ତରରେ ଅନୁଭୂତ ହେଉଛି। ବିଶିଷ୍ଟ ଶିଳ୍ପପତି, ଯୁବ ଉଦ୍ୟୋଗୀ ଏବଂ କଠିନ ପରିଶ୍ରମ କରୁଥିବା ପେସାଦାରମାନେ ତାଙ୍କ ବିୟୋଗରେ ଶୋକାଭୀଭୂତ ହୋଇ ପରିବେଶକୁ ନେଇ ଯତ୍ନଶୀଳ ଏବଂ ଦାନ ପୁଣ୍ୟରେ ଆଗ୍ରହୀ ଥିବା ଲୋକମାନେ ମଧ୍ୟ ଅନୁରୂପ ଭାବେ ଦୁଃଖିତ। ତାଙ୍କର ଅନୁପସ୍ଥିତି କେବଳ ଦେଶରେ ନୁହେଁ […] The post ରତନ ଟାଟାଙ୍କ ବ୍ୟକ୍ତିତ୍ୱ ଅନେକ ପିଢ଼ି ପାଇଁ ପ୍ରେରଣା appeared first on Dharitri Odia News.
ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି। କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି ସମାଜର ପ୍ରତ୍ୟେକ ସ୍ତରରେ ଅନୁଭୂତ ହେଉଛି। ବିଶିଷ୍ଟ ଶିଳ୍ପପତି, ଯୁବ ଉଦ୍ୟୋଗୀ ଏବଂ କଠିନ ପରିଶ୍ରମ କରୁଥିବା ପେସାଦାରମାନେ ତାଙ୍କ ବିୟୋଗରେ ଶୋକାଭୀଭୂତ ହୋଇ ପରିବେଶକୁ ନେଇ ଯତ୍ନଶୀଳ ଏବଂ ଦାନ ପୁଣ୍ୟରେ ଆଗ୍ରହୀ ଥିବା ଲୋକମାନେ ମଧ୍ୟ ଅନୁରୂପ ଭାବେ ଦୁଃଖିତ। ତାଙ୍କର ଅନୁପସ୍ଥିତି କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଗଭୀର ଭାବେ ଅନୁଭୂତ ହେଉଛି।
ଯୁବପିଢ଼ିଙ୍କ ପାଇଁ ରତନ ନାନା ଏକ ପ୍ରେରଣା ଥିଲେ। ସ୍ବପ୍ନକୁ ସାକାର କରିବା ସମ୍ଭବ ଏବଂ କରୁଣା ଓ ବିନମ୍ରତାର ସହ ସଫଳତା ହାସଲ କରାଯାଇପାରିବ, ଏହା ସେ ଶିଖାଇଥିଲେ। ଅନ୍ୟମାନଙ୍କ ପାଇଁ ସେ ଭାରତୀୟ ଉଦ୍ୟୋଗ ଜଗତର ଶ୍ରେଷ୍ଠ ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିଲେ। ସଚ୍ଚୋଟତା, ଉତ୍କର୍ଷ ଏବଂ ସେବା ମୂଲ୍ୟବୋଧ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ପାଇଁ ସେ ପରିଚିତ। ତାଙ୍କ ନେତୃତ୍ୱରେ, ଟାଟା ଗ୍ରୁପ ନୂଆ ଉଚ୍ଚତା ଛୁଇଁଥିଲା ଏବଂ ସାରା ବିଶ୍ୱରେ ସମ୍ମାନ, ସଚ୍ଚୋଟତା ଓ ବିଶ୍ୱସନୀୟତାର ପ୍ରତୀକ ପାଲଟିଥିଲା। ଏହା ସତ୍ତ୍ୱେ ସେ ବିନମ୍ରତା ଓ ଉଦାରତା ସହିତ ନିଜର ସଫଳତାକୁ ଅତି ହାଲୁକା ଭାବେ ନେଇଥିଲେ।
ଅନ୍ୟମାନଙ୍କ ସ୍ବପ୍ନ ପ୍ରତି ରତନ ଟାଟାଙ୍କ ଅତୁଟ ସମର୍ଥନ ତାଙ୍କର ସବୁଠୁ ଶ୍ରେଷ୍ଠ ଗୁଣ ଥିଲା। ଗତ କିଛିବର୍ଷ ମଧ୍ୟରେ ସେ ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମାର୍ଗଦର୍ଶନ କରିଥିଲେ ଏବଂ ଅନେକ ସମ୍ଭାବନାପୂର୍ଣ୍ଣ ଉପକ୍ରମରେ ନିବେଶ କରିଥିଲେ। ସେ ଯୁବ ଉଦ୍ୟୋଗୀଙ୍କ ଆଶା ଓ ଆକାଂକ୍ଷାକୁ ବୁଝିଥିଲେ ଏବଂ ଭାରତର ଭବିଷ୍ୟତକୁ ଆକାର ଦେବାରେ ସେମାନଙ୍କର କ୍ଷମତାକୁ ଜାଣିପାରିଥିଲେ। ସେମାନଙ୍କ ପ୍ରୟାସକୁ ସମର୍ଥନ କରି ସେ ସ୍ବପ୍ନ ଦେଖୁଥିବା ନୂଆ ପିଢ଼ିକୁ ସାହସିକ ପଦକ୍ଷେପ ନେବା ଏବଂ ଚିରାଚରିତ ସୀମାଠାରୁ ଆଗକୁ ବଢ଼ିବା ପାଇଁ ସଶକ୍ତ କରିଥିଲେ। ତାଙ୍କର ସମର୍ଥନ ନବସୃଜନ ଓ ଉଦ୍ୟମିତାର ସଂସ୍କୃତି ଗଢ଼ିବାରେ ଏକ ଲମ୍ବା ରାସ୍ତା ନିର୍ଦ୍ଧାରଣ କରିସାରିଛି। ଆଗାମୀ ଦଶନ୍ଧିରେ ଭାରତ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ମୋର ବିଶ୍ୱାସ ରହିଛି।
ସେ କ୍ରମାଗତ ଭାବରେ ଉତ୍କର୍ଷତାକୁ ସମର୍ଥନ କରିଥିଲେ ଏବଂ ଭାରତୀୟ ଉଦ୍ୟୋଗଗୁଡ଼ିକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ସ୍ଥାପିତ କରିବାକୁ ଅନୁରୋଧ କରୁଥିଲେ। ମୁଁ ଆଶା କରୁଛି, ଏହି ଦୃଷ୍ଟିକୋଣ ଆମର ଭବିଷ୍ୟତର ନେତାମାନଙ୍କୁ ଭାରତକୁ ବିଶ୍ୱସ୍ତରୀୟ ଗୁଣବତ୍ତାର ସମକକ୍ଷ କରିବା ପାଇଁ ପ୍ରେରଣା ଯୋଗାଇବ।
କେବଳ ବୋର୍ଡ ରୁମ୍ କିମ୍ବା ସାଥୀ ମଣିଷଙ୍କୁ ସାହାଯ୍ୟ କରିବାରେ ତାଙ୍କର ମହାନତା ସୀମିତ ନ ଥିଲା। ତାଙ୍କର କରୁଣାଭାବ ସମସ୍ତ ଜୀବଜଗତଙ୍କ ପାଇଁ ବିସ୍ତାରିତ ହୋଇଥିଲା। ପ୍ରାଣୀମାନଙ୍କ ପ୍ରତି ତାଙ୍କର ଗଭୀର ଭଲପାଇବା ବିଷୟରେ ସମସ୍ତେ ଜାଣନ୍ତି ଏବଂ ପ୍ରାଣୀଙ୍କ କଲ୍ୟାଣ ଉପରେ କେନ୍ଦ୍ରିତ ପ୍ରତ୍ୟେକ ସମ୍ଭାବ୍ୟ ପ୍ରୟାସକୁ ସେ ସମର୍ଥନ କରିଥିଲେ । ସେ ପ୍ରାୟତଃ ତାଙ୍କ ପୋଷା କୁକୁରଙ୍କର ଫଟୋ ଶେୟାର କରନ୍ତି, ଯେଉଁମାନେ ଯେକୌଣସି ବ୍ୟବସାୟିକ ଉଦ୍ୟୋଗ ପରି ତାଙ୍କ ଜୀବନର ଏକ ଅଂଶ ଥିଲେ। ପ୍ରକୃତ ନେତୃତ୍ୱ କେବଳ କାହାର ସଫଳତା ଦ୍ୱାରା ନୁହେଁ, ବରଂ ସବୁଠାରୁ ଦୁର୍ବଳ ଲୋକଙ୍କ ପ୍ରତି ଧ୍ୟାନଦେବାର ଦକ୍ଷତା ଆଧାରରେ ମାପ କରାଯାଇଥାଏ, ତାଙ୍କ ଜୀବନ ଆମ ସମସ୍ତଙ୍କୁ ଏହି ଶିକ୍ଷା ଦେଇଥିଲା।
କୋଟି କୋଟି ଭାରତୀୟଙ୍କ ପାଇଁ ରତନ ଟାଟାଙ୍କ ଦେଶପ୍ରେମ ସଙ୍କଟ ସମୟରେ ଉଜ୍ଜ୍ୱଳ ହୋଇ ଉଠିଥିଲା। ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ସେ ତୁରନ୍ତ ମୁମ୍ବାଇର ତାଜ ହୋଟେଲ ଖୋଲିଥିଲେ। ଦେଶ ଆଗରେ ରହିଥିବା ଆହ୍ବାନର ସେ ଦୃଢ଼ ଜବାବ ଦେଇଥିଲେ। ଭାରତ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇଲା ନାହିଁ, ନିଜର ଏକତା ଶକ୍ତି ପ୍ରଦର୍ଶନ କଲା।
ବ୍ୟକ୍ତିଗତ ଦୃଷ୍ଟିକୋଣରୁ କହିବାକୁ ଗଲେ, ବର୍ଷ ବର୍ଷ ଧରି ତାଙ୍କୁ ଅତି ନିକଟରୁ ଜାଣିବାର ସୌଭାଗ୍ୟ ମୁଁ ପାଇଥିଲି। ଆମେ ଗୁଜରାଟରେ ଘନିଷ୍ଠ ଭାବରେ କାମ କରିଥିଲୁ, ଯେଉଁଠାରେ ସେ ବ୍ୟାପକ ପୁଞ୍ଜିନିବେଶ କରିଥିଲେ ଏବଂ ଅନେକ ପ୍ରକଳ୍ପକୁ ନେଇ ସେ ବହୁତ ଉତ୍ସାହୀ ଥିଲେ। କିଛି ସପ୍ତାହ ତଳେ, ମୁଁ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ସହ ଭଦୋଦରାରେ ଥିଲି ଏବଂ ଆମେ ମିଳିତ ଭାବେ ଏକ ବିମାନ କମ୍ପ୍ଲେକ୍ସ ଉଦ୍ଘାଟନ କରିଥିଲୁ ।
ଏହି ସ୍ଥାନରେ ହିଁ ପ୍ରଥମ ଥର ପାଇଁ ଭାରତରେ ସି-୨୯୫ ବିମାନ ନିର୍ମିତ ହେବ । ରତନ ଟାଟା ହିଁ ଏହା ଉପରେ କାମ ଆରମ୍ଭ କରିଥିଲେ । କହିବା ବାହୁଲ୍ୟ ଯେ ରତନ ଟାଟାଙ୍କ ଅନୁପସ୍ଥିତି ଏଠାରେ ଖୁବ୍ ଗଭୀର ଭାବେ ଅନୁଭୂତ ହୋଇଥିଲା।
ନିୟମିତ ଭାବେ ଚିଠି ଲେଖୁଥିବା ଜଣେ ବ୍ୟକ୍ତି ଭାବେ ମୁଁ ରତନ ଟାଟାଙ୍କୁ ସ୍ମରଣ କରୁଛି। କେବେ ଶାସନ ପ୍ରସଙ୍ଗରେ ହେଉ କିମ୍ବା ସରକାରୀ ସହାୟତାକୁ ପ୍ରଶଂସା କରି ହେଉ ଅଥବା ନିର୍ବାଚନ ବିଜୟ ପରେ ଅଭିନନ୍ଦନ ଜଣାଇବା ହେଉ, ସେ ମୋତେ ବିଭିନ୍ନ ପ୍ରସଙ୍ଗରେ ନିୟମିତ ଚିଠି ଲେଖୁଥିଲେ।
ମୁଁ କେନ୍ଦ୍ରକୁ ଆସିବା ପରେ ଆମର ଘନିଷ୍ଠ ସମ୍ପର୍କ ଜାରି ରହିଲା ଏବଂ ସେ ଆମ ରାଷ୍ଟ୍ର ନିର୍ମାଣ ପ୍ରୟାସରେ ଜଣେ ପ୍ରତିଶ୍ରୁତିବଦ୍ଧ ଅଂଶୀଦାର ଥିଲେ। ବିଶେଷ କରି, ସ୍ବଚ୍ଛ ଭାରତ ମିଶନ ପାଇଁ ରତନଙ୍କ ସମର୍ଥନ ମୋ ହୃଦୟର ଅତି ନିକଟତର ଥିଲା।
ଭାରତର ପ୍ରଗତି ପାଇଁ ସ୍ବଚ୍ଛତା, ପରିଚ୍ଛନ୍ନତା ଏବଂ ପରିମଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରି ସେ ଏହି ଜନ ଆନ୍ଦୋଳନର ଜଣେ ଦୃଢ଼ ସମର୍ଥକ ଥିଲେ। ଅକ୍ଟୋବର ଆରମ୍ଭରେ ସ୍ବଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ଅବସରରେ ତାଙ୍କ ହୃଦୟସ୍ପର୍ଶୀ ଭିଡିଓ ବାର୍ତ୍ତା ମୋର ଆଜି ବି ମନେଅଛି। ଏଥିରେ ଶେଷଥର ପାଇଁ ସେ ସର୍ବସମ୍ମୁଖକୁ ଆସିଥିଲେ।
ଆଉ ଏକ ମହତ୍ କାର୍ଯ୍ୟ ତାଙ୍କ ହୃଦୟର ନିକଟତର ଥିଲା, ତାହା ହେଉଛି ସ୍ବାସ୍ଥ୍ୟସେବା। ବିଶେଷକରି କର୍କଟ ବିରୋଧୀ ସଂଗ୍ରାମରେ ଯୋଗଦାନ ପାଇଁ ସେ ସବୁଦିନ ସ୍ମରଣୀୟ ହୋଇରହିବେ। ମୋର ମନେଅଛି, ଦୁଇବର୍ଷ ପୂର୍ବେ ଆସାମରେ ହୋଇଥିବା କାର୍ଯ୍ୟକ୍ରମ, ଯେଉଁଠାରେ ଆମେ ମିଳିତ ଭାବେ ରାଜ୍ୟର ଏକାଧିକ କର୍କଟ ଚିକିତ୍ସାଳୟକୁ ଉଦ୍ଘାଟନ କରିଥିଲୁ । ସେହି ସମୟରେ ସେ ତାଙ୍କ ବକ୍ତବ୍ୟରେ ସ୍ପଷ୍ଟ ଭାବେ କହିଥିଲେ, ସେ ତାଙ୍କର ଶେଷ ବର୍ଷଗୁଡ଼ିକୁ ସ୍ବାସ୍ଥ୍ୟସେବା ପାଇଁ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି। ସ୍ବାସ୍ଥ୍ୟସେବା ଓ କର୍କଟ ଚିକିତ୍ସାକୁ ଶସ୍ତା ଓ ସୁଲଭ କରିବା ପାଇଁ ତାଙ୍କର ପ୍ରୟାସ ପଛରେ ମୂଳ ଉଦ୍ଦେଶ୍ୟ ଥିଲା- ରୋଗ ସହ ଲଢୁଥିବା ଲୋକଙ୍କ ପ୍ରତି ଗଭୀର ସହାନୁଭୂତି ପ୍ରଦର୍ଶନ କରିବା। ସବୁଠାରୁ ଅସୁରକ୍ଷିତ ଲୋକଙ୍କ ସହ ଛିଡ଼ା ହୋଇଥିବା ସମାଜ ହିଁ ପ୍ରକୃତରେ ନ୍ୟାୟପୂର୍ଣ୍ଣ ସମାଜ ବୋଲି ସେ ବିଶ୍ୱାସ କରୁଥିଲେ।
ଆଜି ଆମେ ଯେତେବେଳେ ତାଙ୍କୁ ସ୍ମରଣ କରୁଛୁ, ତାଙ୍କ ପରିକଳ୍ପିତ ସମାଜ କଥା ଆମ ମନକୁ ଆସୁଛି, ଯେଉଁଠି ବ୍ୟବସାୟକୁ କଲ୍ୟାଣର ଶକ୍ତି ରୂପେ ବିନିଯୋଗ କରିହେବ, ପ୍ରତ୍ୟେକ ବ୍ୟକ୍ତିର ସମ୍ଭାବନାକୁ ଗୁରୁତ୍ୱ ମିଳୁଥିବ ଏବଂ ସମସ୍ତଙ୍କ କଲ୍ୟାଣ ଓ ଖୁସିର ମାପଦଣ୍ଡ ଆଧାରରେ ପ୍ରଗତିକୁ ମାପିବା ସମ୍ଭବ ହୋଇପାରିବ। ତାଙ୍କ ସଂସ୍ପର୍ଶରେ ଆସିଥିବା ଅଗଣିତ ଲୋକଙ୍କ ଜୀବନରେ ଏବଂ ତାଙ୍କ ଦ୍ୱାରା ପ୍ରୋତ୍ସାହିତ ଅନେକ ସ୍ବପ୍ନରେ ସେ ସବୁବେଳେ ଜୀବନ୍ତ ରହିବେ। ଭାରତକୁ ଅଧିକ ଉନ୍ନତ, ଦୟାପୂର୍ଣ୍ଣ ଏବଂ ଆଶାବାଦୀ ସ୍ଥାନରେ ପରିଣତ କରିଥିବାରୁ ଅନେକ ପିଢ଼ି ତାଙ୍କ ନିକଟରେ କୃତଜ୍ଞ ହୋଇ ରହିବେ।
ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ
The post ରତନ ଟାଟାଙ୍କ ବ୍ୟକ୍ତିତ୍ୱ ଅନେକ ପିଢ଼ି ପାଇଁ ପ୍ରେରଣା appeared first on Dharitri Odia News.