ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ?
ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।
ଆସନ୍ତା ରଥଯାତ୍ରା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଆହୁରି ଦୃଢ଼ ହେଲା ଆଶା। ଆଜି ଅନୁଷ୍ଠିତ ହୋଇଛି ଅଳଙ୍କାର ଗଣତି-ମଣତି ତଦାରଖ ପାଇଁ ସରକାରଙ୍କ ଦ୍ୱାରା ଗଠିତ ୧୨ ଜଣିଆ କମିଟିର ପ୍ରଥମ ବୈଠକ। ଏଥିରେ ରତ୍ନଭଣ୍ଡାର ଅଳଙ୍କାର ସ୍ଥିତି ଏବଂ ରତ୍ନଭଣ୍ଡାର ଭିତରକୁ ଯିବାର ପ୍ରକୃଷ୍ଟ ସମୟ ବାବଦରେ ଆଲୋଚନା ସହିତ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଏଣ୍ଡୋସ୍କୋପି କ୍ୟାମେରା ବ୍ୟବହାର ନେଇ ମତ ପ୍ରକାଶ ପାଇଛି। ତେବେ ଏଯାଏଁ ୧୯୭୮ର ଅଳଙ୍କାର ତାଲିକା ପାଇନଥିବା ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ପଶାୟତ। ସେପଟେ ରଥଯାତ୍ରା ବେଳେ ଏତେ କମ୍ ଦିନରେ କିପରି ଏହି କାର୍ଯ୍ୟ ସରିବ, ତାକୁ ନେଇ ଆଶଙ୍କା ଉପୁଜିଛି।