ରାଉରକେଲାର ତଳିଆ ଅଞ୍ଚଳରେ ପଶିଲା ପାଣି
ବାଲୁଘାଟ ଅଞ୍ଚଳର ପ୍ରାୟ ୧୫ଟି ଘରେ ପଶିଛି ପାଣି।
ରାଉରକେଲା ସହରର ତଳିଆ ଅଞ୍ଚଳରେ ପଶିଲା ବଢ଼ି ପାଣି। ସାତ ଦିନରୁ ଅଧିକ ହେବ ବର୍ଷା ଲାଗି ରହିଥିବାରୁ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବ୍ରାହ୍ମଣୀ ଫୁଲିବା ସହ ବାଲୁଘାଟ ଅଞ୍ଚଳରେ ପାଣି ପଶୁଛି।
ବାଲୁଘାଟ ଅଞ୍ଚଳର ପ୍ରାୟ ୧୫ଟି ଘରେ ପଶିଛି ପାଣି। ଏ ସମସ୍ୟା ପ୍ରତିବର୍ଷ ସାମ୍ନା କରୁଛନ୍ତି ବାଲୁଘାଟ ଅଞ୍ଚଳବାସୀ।
ମନ୍ଦିରା ଡ୍ୟାମର ସମସ୍ତ ୧୧ଟି ଗେଟ ଖୋଲାହୋଇଛି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ବର୍ଷା ଯୋଗୁଁ ଶଙ୍ଖ ଓ କୋଏଲ ନଦୀରେ ପାଣି ବଢ଼ିଛି। ଉଭୟ ନଦୀରେ ପାଣି ବଢ଼ିବା ଯୋଗୁ ବ୍ରାହ୍ମଣୀ ନଦୀରେ ଜଳ ସ୍ତର ମଧ୍ୟ ବଢ଼ୁଛି।
ଅନ୍ୟପକ୍ଷରେ ଆଜି ସମ୍ବଲପୁରର ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ ଖୋଲା ଯାଇଛି। ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍ ଖୋଲା ଯାଇଥିବା ବେଳେ ମୋଟ ୧୪ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସନ ଜାରି ରହିଛି।
ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି ଉପୁଜି ନାହିଁ। ନଦୀଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଛନ୍ତି। କୌଣସି ସ୍ଥାନରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ। କେବଳ ମାଲକାନଗିରିରେ ଅତ୍ୟଧିକ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି। ଆଜି ସକାଳ ସୁଦ୍ଧା ବୈତରଣୀ ଓ ବୁଢ଼ାବଳଙ୍ଗରେ ଅପ୍ ଟ୍ରେଣ୍ଡରେ ପାଣି ପ୍ରବାହିତ ହେଉଛି। କିନ୍ତୁ ବିପଦ ସଂକେତ ତଳେ ରହିଛି।