ରାଜସ୍ଥାନରୁ ଆଣି ଓଡ଼ିଶା ଓ ଝାରଖଣ୍ଡରେ ବିକ୍ରି କରୁଥିଲେ, ବାନ୍ଧିଲା ଏସ୍‌ଟିଏଫ୍‌

ଏସ୍‌ଟିଏଫ୍‌ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ଦ୍ୱୟ ଝାରଖଣ୍ଡର।

ରାଜସ୍ଥାନରୁ ଆଣି ଓଡ଼ିଶା ଓ ଝାରଖଣ୍ଡରେ ବିକ୍ରି କରୁଥିଲେ, ବାନ୍ଧିଲା ଏସ୍‌ଟିଏଫ୍‌

ରାଉରକେଲା ପୁଲିସ୍‌ ସହାୟତାରେ ପାନପୋଷରେ ଚଢ଼ାଉ କରି ଏସ୍‌ଟିଏଫ୍ ୧୦ କେଜି ୫୦୮ ଗ୍ରାମ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି। ଏସ୍‌ଟିଏଫ୍‌ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏକା ଥରକେ ଏତେ ପରିମାଣରେ ଅଫିମ ପୂର୍ବରୁ କେବେ ଜବତ ହୋଇ ନଥିଲା।

ଗିରଫ ଅଭଯୁକ୍ତ ଦ୍ୱୟ ହେଉଛନ୍ତି- ବିଟୁ ସିଂହ ମୁଣ୍ଡା (୪୬) ଓ ରୋହିତ ମୁଣ୍ଡା (୪୯)। ଉଭୟଙ୍କ ଘର ଝାରଖଣ୍ଡର ଖୁଣ୍ଟି ଜିଲ୍ଲାର ସିଗିଡ଼ରେ।

ତଦନ୍ତ ବେଳେ ଜଣାପଡ଼ିଛି ଯେ ଏହି ଦୁଇ ଜଣ ଓ ସେମାନଙ୍କର ଅନ୍ୟ କିଛି ସାଥୀ ରାଜସ୍ଥାନରୁ ଅଫିମ ସଂଗ୍ରହ କରି ଝାରଖଣ୍ଡ ସହିତ ଓଡ଼ିଶାର ସୁନ୍ଦରଗଡ଼ ଓ ରାଉରକେଲାରେ ବିକ୍ରି କରୁଥିଲେ। ସେମାନଙ୍କ ଅନ୍ୟ ସାଥୀମାନେ ଗିରଫ ହୋଇନାହାନ୍ତି।

ଔଷଧ ପ୍ରସ୍ତୁତ କରିବା ପାଇଁ ଦେଶର ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଅଫିମକୁ ଆଇନତଃ ଚାଷ କରାଯାଉଛି। ଏସ୍‌ଟିଏଫ୍ ସନ୍ଦେହ କରୁଛି ଯେ ମଧ୍ୟ ପ୍ରଦେଶର ଯେଉଁ ଫାର୍ମ ଗୁଡ଼ିକରେ ଆଇନତଃ ଅଫିମ ଚାଷ କରାଯାଉଛି, ସେଠାରୁ କୌଣସି ସ୍ଥାନରୁ ଏହି ଜବତ ଅଫିମକୁ ବେଆଇନ ଭାବେ ଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ କରିବାକୁ ଏସ୍‌ଟିଏଫ ମଧ୍ୟ ପ୍ରଦେଶ ପୁଲିସ୍ ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ନାରକୋଟିକ୍‌ସ ସହିତ ଯୋଗାଯୋଗ କରିବ ବୋଲି କହିଛି।

ନିଶା ଦ୍ରବ୍ୟ ବିରୋଧରେ ୨୦୨୦ରୁ ଏସ୍‌ଟିଏଫ୍ ତା’ର ଅଭିଯାନ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୫ କେଜି ବ୍ରାଉନ ସୁଗର/ହେରୋଇନ, ୨୦୨ ଗ୍ରାମ କୋକେନ୍‌, ୧୨୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୧୪ କେଜିରୁ ଅଧିକ ଅଫିମ ଜବତ କରିଛି। ଏହି ସବୁ ମାମଲରେ ୧୯୩ ଜଣଙ୍କୁ ଗିରଫ କରାଯାଇଛି।