ରାଜ୍ୟ କ୍ୟାବିନେଟର ଶେଷ ବୈଠକ ଅନୁଷ୍ଠିତ, ବିଧାନସଭା ଭଙ୍ଗ ପାଇଁ ସୁପାରିଶ

ରାଜ୍ୟ କ୍ୟାବିନେଟ ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରାଯାଇଛି। ଏଥିନିମନ୍ତେ ରାଜ୍ୟପାଳଙ୍କୁ ସୁପାରିଶ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ କ୍ୟାବିନେଟର ଶେଷ ବୈଠକ ଅନୁଷ୍ଠିତ, ବିଧାନସଭା ଭଙ୍ଗ ପାଇଁ ସୁପାରିଶ

ସରିଛି ନିର୍ବାଚନ। ଆସନ୍ତାକାଲି ପ୍ରକାଶ ପାଇବ ଫଳାଫଳ। ନେତାଙ୍କ ଭାଗ୍ୟ, ଭବିଷ୍ୟତ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଆଜି ବିଜେଡି ସରକାରର ପଞ୍ଚମ ପାଳିର ଶେଷ ବୈଠକ ଅନୁଷ୍ଠିତ ହୋଇଛି। ଏଥିସହ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଛି। 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟର ଶେଷ ବୈଠକ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ। ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି  କ୍ରମେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଛି। 

ପରମ୍ପରା ଅନୁସାରେ, ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗା ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢ଼ା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି। ଏଥିସହ ନୂଆ ସରକାର ଗଢ଼ିବା ପାଇଁ ପ୍ରକିୟା ଆରମ୍ଭ ହୋଇ ଯାଇଥାଏ।ଆସନ୍ତା କାଲି ଫଳାଫଳ ଆସିବା ପରେ ସର୍ବାଧିକ ଆସନ ପାଇଥିବା ଦଳକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବାର ବିଧି ରହିଛି।

ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳ ଘୋଷିତ ହେବ। ଭୋଟ ଗଣତି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହା ପଞ୍ଚମ ପାଳିର ଶେଷ ବୈଠକ ଥିଲା। କେଉଁ ନେତାଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଓ କାହାର ଆଶା ଆଶାରେ ରହିଯିବ ତାହା କାଲି ସ୍ପଷ୍ଟ ହୋଇଯିବ ।

ଭୋଟ ଗଣତି ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍। ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍। ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୁଲିସ । ଆସନ୍ତାକାଲି ସକାଳୁ ଗଣତି ଆରମ୍ଭ ହେବାକୁ ଥିବା ବେଳେ ଏବେଠୁ ନେତାଙ୍କ ଛାତିରେ ଛନକା ପଶିଲାଣି।