ରାଜ୍ୟବ୍ୟାପୀ ‘ସୁଭଦ୍ରା’ ମାନିଆ, ଏଯାଏଁ ଆବେଦନ କଲେଣି ୫୦ ଲକ୍ଷରୁ ଅଧିକ ମହିଳା

ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ୧୩ ତାରିଖ ସୁଦ୍ଧା ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଅଧିକ ମହିଳା। ଏହାକୁ ଆଧାର କରି ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ପାଇଁ ବିଜେପି ସରକାରଙ୍କ ବଡ଼ ଆୟୋଜନ।

ରାଜ୍ୟବ୍ୟାପୀ ‘ସୁଭଦ୍ରା’ ମାନିଆ, ଏଯାଏଁ ଆବେଦନ କଲେଣି ୫୦ ଲକ୍ଷରୁ ଅଧିକ ମହିଳା

ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ଏଯାଏଁ ୫୦ ଲକ୍ଷ ମହିଳା ସୁଭଦ୍ରା ପାଇଁ କଲେଣି ଆବଦେନ । ୧୫ ଯାଏଁ ଅର୍ଥାତ କାଲି ସୁଦ୍ଧା ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ୧୭ରେ ମିଳିବ ପ୍ରଥମ କିସ୍ତି । ଏଣେ ଆସନ୍ତାକାଲି ବାହାରିବ ୧୦ ହଜାର ସୁଭଦ୍ରା ପଦଯାତ୍ରା । ବହୁ ପ୍ରତୀକ୍ଷିତ ସୁଭଦ୍ରା ପାଇଁ ବଡ଼ ପ୍ରସ୍ତୁତି । ଉଭୟ ସରକାରୀ ଏବଂ ଦଳ ସ୍ତରରେ ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ଲାଗି ବ୍ୟାପକ କାର୍ଯ୍ୟକ୍ରମ । ଆସନ୍ତାକାଲି ରାଜଧାନୀରୁ ଆରମ୍ଭ କରି ପ୍ରତି ପଞ୍ଚାୟତରେ ହେବ ସୁଭଦ୍ରା ସ୍ୱାଗତ ପଦଯାତ୍ରା । ଯେଉଁଥିରେ SHG ସଦସ୍ୟାମାନେ ସାମିଲ ହେବେ । ସେହିପରି ୧୭ରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଲଞ୍ଚ୍ କରିବା ଦିନ ବି ପଞ୍ଚାୟତସ୍ତରରୁ ରାଜ୍ୟସ୍ତର ଯାଏଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ଲକ୍ଷେ ମହିଳାଙ୍କୁ ସାମିଲ କରିବାକୁ ଯୋଜନା ହୋଇଥିବା ବେଳେ ପ୍ରତି ବ୍ଲକରେ ୫ ହଜାର ଲେଖାଏଁ ମହିଳାଙ୍କୁ ଏକାଠି କରି LED ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ସେହିପରି ପଞ୍ଚାୟତ ସ୍ତରରେ ସୁଭଦ୍ରା ସ୍ୱାଗତ ସପ୍ତାହ ପାଳନ ହେବ । ପ୍ରତି ଅଞ୍ଚଳରେ ଜଣେ ଜଣେ ସଫଳ ମହିଳାଙ୍କୁ ବାଛି ସୁଭଦ୍ରା ଅପାର ଆଖ୍ୟା ଦିଆଯିବ ।

ଅନ୍ୟପଟେ ଆଜିଠୁ ୧୬ ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର । ସେହିପରି ସମସ୍ତ ବିଭାଗର ଚିଠି ଏବଂ ଇ-ମେଲରେ ସୁଭଦ୍ରା ଲୋଗୋ ବ୍ୟବହାର ପାଇଁ ବି ନିର୍ଦ୍ଦେଶ ରହିଛି । ଏହାସହିତ ସବୁ ବିଭାଗର ୱେବସାଇଟ ଓ ପୋର୍ଟାଲ ଏବଂ ଆପରେ ସୁଭଦ୍ରାର ଲିଙ୍କ୍ ପ୍ରଦର୍ଶନ ପାଇଁ କୁହାଯାଇଛି।

ସେପଟେ ଗ୍ରାଉଣ୍ଡରେ ସୁଭଦ୍ରାକୁ ନେଇ ସୁପର୍ କ୍ରେଜ୍ । ଆବେଦନକାରୀଙ୍କ ମଧ୍ୟରେ ଭରପୂର ଉତ୍ସାହ । ଯଦିଓ ୧୫ ସୁଦ୍ଧା ଆବଦେନକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ, କିନ୍ତୁ ତା ପରେ ବି ଜାରି ରହିବ ଆବେଦନ ପ୍ରକ୍ରିୟା । ପରବର୍ତ୍ତୀ ସମୟରେ ଯୋଗ୍ୟ ହିତାଧିକାରୀଙ୍କୁ ପୁଣି ପ୍ରଥମ କିସ୍ତି ଟଙ୍କା ଦିଆଯିବ । ଦଳ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଏବଂ ଯୋଜନାକୁ ସଫଳ କରିବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ବ୍ଲକ ସ୍ତରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଧାୟକ ଏବଂ ଦଳୀୟ ନେତା ଉପସ୍ଥିତ ରହିବେ ।

ବିଜେଡିର ଲମ୍ବା ସମୟ ଧରି ଭୋଟ ବ୍ୟାଙ୍କ୍ ଥିବା SHG ଭାଙ୍ଗିବାକୁ ବ୍ରାଣ୍ଡ ସୁଭଦ୍ରା ଏବେ ବିଜେପିର ପ୍ରମୁଖ ଅସ୍ତ୍ର । ତେଣୁ ଏହାର ଜୋରସୋର ପ୍ରଚାର ପ୍ରସାର କରି ମହିଳାଙ୍କୁ ନିଜ ଆଡକୁ ଟାଣିବାକୁ ବ୍ଲୁ ପ୍ରିଣ୍ଟ ସହ ପୂରା ପ୍ରସ୍ତୁତ ବିଜେପି ସରକାର ।