ରାଜ୍ୟରେ ରାଜନୀତିକ ମାନ୍ଦାବସ୍ଥା!

ବିଜେପି ସଦସ୍ୟମାନଙ୍କର ଏକ ବଡ଼ ଅଭିଯୋଗ ଯେ, ସରକାର ଦଳ ହାତକୁ ଆସିଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ ବିଜେପିର ଲୋକମାନଙ୍କୁ ଥଇଥାନ କରାଯାଉନାହିଁ।

ରାଜ୍ୟରେ ରାଜନୀତିକ ମାନ୍ଦାବସ୍ଥା!

ରବି ଦାସ

ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଏକ ବର୍ଷ ପୂରଣ କରିବା ସମୟରେ ଏ ସମ୍ପର୍କିତ ମୁଖ୍ୟ ଉତ୍ସବରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ତାରିଖରେ ଯୋଗଦାନ କରିବା ପୂର୍ବରୁ ୭ ଦିନ କାଳ ରାଜ୍ୟବ୍ୟାପୀ ପୂର୍ତ୍ତି ଉତ୍ସବର ଏକ ମାହୋଲ ସୃଷ୍ଟି ହେବ ବୋଲି ଆଶା କରାଯାଉଥିଲା। ବାସ୍ତବରେ ଖୋଦ୍ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପଲବ୍ଧିର ସୂଚନା ଦେଲାବେଳେ ୭ ଦିନ ବ୍ୟାପୀ ବିଭିନ୍ନ ପ୍ରକାର ଉତ୍ସବ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କିନ୍ତୁ ଏହି ସମୟ ଭିତରେ ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ରୋଗ ହଇଜାରେ ପରିଣତ ହେବା ଓ ତାହା ଧୀରେ ଧୀରେ ରାଜ୍ୟର ଆଉ ୫ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବା ଘଟଣା ଏକ ଆତଙ୍କଜନିତ ପରିସ୍ଥିତି ସୃଷ୍ଟି କଲା। ପ୍ରଥମରୁ ଯାଜପୁର ପରି ଓଡ଼ିଶାର ଏକ ଉନ୍ନତ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଓ ପରିମଳ ଅବସ୍ଥା କେତେ ଦୁର୍ବଳ ଅବସ୍ଥାରେ ଅଛି ଯେଉଁଥିପାଇଁ ଝାଡ଼ାବାନ୍ତି ରୋଗ ବ୍ୟାପିଲା ତାହା ସରକାରଙ୍କର ଉପରେ ଅନେକ ପ୍ରଶ୍ନ ଉତ୍‌ଥାପନ କରିଛି।

ଦେଶର ଓ ରାଜ୍ୟର ସବୁ ଘରକୁ ପାଇପ୍ ଦ୍ୱାରା ପାନୀୟ ଜଳ ପାଇଁ ଗତ କିଛି ବର୍ଷ ହେଲା ପ୍ରତିଶ୍ରୁତି ଦିଆହୋଇଛି। ସ୍ୱଚ୍ଛ ଭାରତ ଯୋଜନାରେ ପ୍ରତ୍ୟେକ ଘରେ ପାଇଖାନା କରାଯାଇଥିବା ଏବଂ ସାଧାରଣ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ହଇଜାରେ ପରିଣତ ହେବା ଓ ଏହା ଠିକ୍ ସମୟରେ ନିୟନ୍ତ୍ରିତ ନହେବାରୁ ପାଖ ପାଖ ଜିଲ୍ଲାଗୁଡ଼ିକୁ ଏହା ସମ୍ପ୍ରସାରିତ ହୋଇ ପ୍ରାୟ ୬ଟି ଜିଲ୍ଲାରେ ଏହା ପ୍ରସାର ଲାଭ କରିବା ସରକାରଙ୍କର ବର୍ଷପୂର୍ତ୍ତି ଉତ୍ସବକୁ ଫିକା କରିଦେଲା। ଏହା ମହାମାରୀରେ ପରିଣତ ହୋଇନଥିବା କେନ୍ଦ୍ରୀୟ ଟିମ୍ ଗସ୍ତକରି ମତ ଦେଇଥିଲେ ମଧ୍ୟ ଏଥିରେ ୭ ଲୋକଙ୍କର ମୃତ୍ୟୁ ହେବା ଏବଂ ବିଭିନ୍ନ ହସ୍ପିଟାଲ୍‌ରେ ଏ ସଂକ୍ରାନ୍ତୀୟ ରୋଗୀ ସଂଖ୍ୟା ବଢ଼ି ପ୍ରାୟ ୪୦୦ରେ ପହଂଚିବା ନିଶ୍ଚିତ ଭାବରେ ବହୁ ପ୍ରଶ୍ନ ଉତ୍‌ଥାପନ କରୁଛି। ଏଭଳି ଏକ ଘଟଣାରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଭୃତି ପ୍ରାୟ ୬ଦିନ କାଳ ଏହାକୁ ହାଲ୍‌କା ଭାବରେ ନେବା ଓ କେହି ହେଲେ ଘଟଣାସ୍ଥଳ ପରିଦର୍ଶନ ନ କରିବା ରାଜ୍ୟ ଶାସନର ଏକ ବଡ଼ ତ୍ରୁଟିକୁ ପଦାକୁ ଆଣିଛି। ବାସ୍ତବିକ କେନ୍ଦ୍ରୀୟ ଟିମ୍ ଆସିବା ପରେ ହିଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସକ୍ରିୟ ହେଲାପରି ଜଣାପଡୁଛି।

ଏହି ଝାଡ଼ାବାନ୍ତି ରୋଗ ନେଇ ରାଜ୍ୟ ଚିନ୍ତାରେ ଥିବା ସମୟରେ ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀ ତାଙ୍କ ବନ୍ଧୁଙ୍କ ସହିତ ଯାଇଥିବା ସମୟରେ ସେଠାରେ ପ୍ରାୟ ୧୦ ଜଣ ଦୁର୍ବୃତ୍ତ ପୁରୁଷ ବନ୍ଧୁଙ୍କୁ ବାନ୍ଧିରଖି ଯୁବତୀଙ୍କ ଉପରେ ଗଣଧର୍ଷଣ କରିବା ଘଟଣା ସାରା ରାଜ୍ୟ ପାଇଁ ଏକ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟ ସରକାର ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ଗୁରୁତ୍ୱ ଦେଉଥିବା କଥା ବାରମ୍ବାର କହୁଥିବା ସମୟରେ ଗୋପାଳପୁର ବେଳାଭୂମି ପରି ଏକ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ପାର୍କଗୁଡ଼ିକରେ ଆଲୋକୀକରଣ ଠିକ୍ ଭାବରେ ନହେବା ଓ ସେଠାରେ ସନ୍ଧ୍ୟା ସମୟରେ ପୋଲିସ୍ ସୁରକ୍ଷା ପାଇଁ ଉପସ୍ଥିତ ନରହିବା ଯୋଗୁ ଦୁର୍ବୃତ୍ତମାନେ ୧୫ ତାରିଖ ସନ୍ଧ୍ୟାବେଳେ ଏପରି ଜଘନ୍ୟକାଣ୍ଡ ଗୋପାଳପୁର ବେଳାଭୂମିରେ ଘଟାଇ ପାରିଲେ। ଏହି ଘଟଣାରେ ଅଭିଯୁକ୍ତ ସମସ୍ତଙ୍କୁ ୨୪ ଘଂଟା ଭିତରେ ଗିରଫ କରାଯାଇଥିଲେ ମଧ୍ୟ ଏହି ଲଜ୍ୟାଜନକ ଘଟଣା ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ ପ୍ରତି ଏକ ବଡ଼ ଆଘାତ ଭାବରେ କାମ କରିବ।

ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ ଏକ ବର୍ଷ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲେ ମଧ୍ୟ ତାଙ୍କୁ ଶାସନ କ୍ଷମତାକୁ ଆଣିଥିବା ବିଜେପି ରାଜ୍ୟରେ ସରକାରଙ୍କୁ ଯେପରି ଭାବରେ ରାଜନୈତିକ ସ୍ତରରେ ସହଯୋଗ କରିବା କଥା ତାହା ଲକ୍ଷ୍ୟ କରାଯାଉନାହିଁ। ଏ ସଂକ୍ରାନ୍ତରେ ଗୋଟିଏ ଉଦାହରଣ ବି ଦିଆଯାଇପାରେ। ନିକଟରେ ମୁଖ୍ୟମନ୍ତ୍ରୀ ଗୋଟିଏ ଜିଲ୍ଲା ଗସ୍ତରେ ଯାଇଥିଲେ। ସେଠାରେ ସବୁ ବିଧାୟକଙ୍କ ସମେତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଆଶାଜନକ ଲୋକ ହୋଇନଥିଲେ। ଯଦିଓ ସେଠାରୁ ଜଣେ ବିଜେପି ବିଧାୟକ ଗତ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। ସେ ସହଯୋଗ କରିଥିଲେ ଓ ବିଜେପିର ସମସ୍ତ କର୍ମକର୍ତ୍ତାମାନେ ଉଦ୍ୟମ କରିଥିଲେ ସଭାରେ ଅତିକମ୍‌ରେ ୧୦ ହଜାର ଲୋକ ଉପସ୍ଥିତ ହୋଇଥାନ୍ତେ। କିନ୍ତୁ ତାହା ହେଲାନାହିଁ।

ବିଜେପି ସଦସ୍ୟମାନଙ୍କର ଏକ ବଡ଼ ଅଭିଯୋଗ ଯେ, ସରକାର ଦଳ ହାତକୁ ଆସିଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ ବିଜେପିର ଲୋକମାନଙ୍କୁ ଥଇଥାନ କରାଯାଉନାହିଁ। ଏପରିକି ବିଭିନ୍ନ ସ୍ତରରେ ଥିବା ନ୍ୟାୟପାଳିକାଗୁଡ଼ିକରେ ଯେଉଁ ସରକାରୀ ଓକିଲ ରହିବା କଥା ତାହାର ବି ପରିବର୍ତ୍ତନ କରାଯାଇନାହିଁ। ବିଜେଡ଼ି ସରକାର ସମୟରେ ଯେଉଁ ଓକିଲମାନେ ଥିଲେ ସେମାନେ ଏବେ ବି ଦାୟିତ୍ୱରେ ଅଛନ୍ତି। ରାଜ୍ୟର ବିଭିନ୍ନ ନିଗମଗୁଡ଼ିକରେ ଏପରିକି ମହିଳା ନିଗମ ଉପରେ ମଧ୍ୟ କର୍ମକର୍ତ୍ତା ନିଯୁକ୍ତ କରାଯାଉନାହିଁ। ସର୍ବୋପରି ମନ୍ତ୍ରୀମଣ୍ଡଳରେ ଆହୁରି ୬ଟି ସ୍ଥାନ ପୂରଣ ହେବାକୁ ଥିଲେ ମଧ୍ୟ ତାହା ସପୂର୍ଣ୍ଣ କରାଯାଉନାହିଁ। ମୁଖ୍ୟମନ୍ତ୍ରୀ ଏହି ସମ୍ପର୍କରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ବିଚାର ବିମର୍ଶ ପରେ ଏ ସଂକ୍ରାନ୍ତରେ ନିଷ୍ପତି ନିଆଯିବ।

ଅବଶ୍ୟ କେହି କେହି ରାଜନୈତିକ ପର୍ଯ୍ୟବେକ୍ଷକ ସମାଲୋଚନା କରୁଛନ୍ତି ଯେ, ମନ୍ତ୍ରୀମଣ୍ଡଳ ପୁର୍ନଗଠନ ମୁଖ୍ୟମନ୍ତ୍ରୀଙ୍କ ଉପରେ ସମ୍ବିଧାନ ପ୍ରଦାନ କରୁଥିବାରୁ ସେ କେନ୍ଦ୍ରୀୟ ନେତୃତ୍ୱ କଥା କହି ଏହାକୁ ଏଡ଼ାଇଦେବା ଦ୍ୱାରା ନିଜର ଅସହାୟତା ପ୍ରକାଶ କରିଛନ୍ତି। କିନ୍ତୁ ବାସ୍ତବରେ ଦେଖିଲେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍। ଏକ ଜାତୀୟ ଦଳରେ କେନ୍ଦ୍ରୀୟ ନେତୃତ୍ୱର ବିନା ପରାମର୍ଶରେ ମୁଖ୍ୟମନ୍ତ୍ରୀ ଚାହିଁଲେ ମଧ୍ୟ ଏହା କରିବା ସହଜ ନୁହେଁ। ତା’ଛଡ଼ା ଏହା ସମସ୍ତଙ୍କୁ ଜଣା ଯେ, ଗତ ନିର୍ବାଚନରେ ଜନସାଧାରଣ ଯେଉଁ ରାୟ ବିଜେପି ସପକ୍ଷରେ ଦେଇଛନ୍ତି, ସେଥିରେ କେନ୍ଦ୍ରୀୟ ନେତୃତ୍ୱ ଓ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେତୃତ୍ୱ ପ୍ରତି ଭରସା ମୁଖ୍ୟ ଭୂମିକା ଗ୍ରହଣ କରିଛି। ଜନାଦେଶ ଯେଉଁ ଅନୁସାରେ ଆସିଛି ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ଯଥାର୍ଥରେ କେନ୍ଦ୍ରୀୟ ନେତୃତ୍ୱ ସହିତ ପରାମର୍ଶ କରି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବେ ବୋଲି କହିବାରେ କିଛି ବି ଭୁଲ୍ ନାହିଁ।

ଅସଲକଥା ହେଉଛି, ରାଜ୍ୟରେ ବିଜେପି ଦଳ କୌଣସି କାରଣରୁ ଏବେ ସକ୍ରିୟ ନାହିଁ। ଏହାର ରାଜ୍ୟ ସଭାପତି ମନୋନୟନ ପ୍ରାୟ ଗତ ୪ ମାସ ହେଲା ଝୁଲା ଅବସ୍ଥାରେ ରହିଛି। ଏଥିପାଇଁ ତ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରାଯାଇପାରିବ ନାହିଁ। ଅବଶ୍ୟ ଏହି କାରଣରୁ ଦଳ ଭିତରେ ପଦାରେ ଆଲୋଚିତ ନହେଉଥିଲେ ମଧ୍ୟ ବିଭିନ୍ନ ପ୍ରକାର ଗୋଷ୍ଠୀ କାମ କରୁଛନ୍ତି। ଏଥିରେ ମଧ୍ୟ ଦୁଇଟି ଦିଗ ରହିଛି। ଯେଉଁମାନେ ବିଜେପିର ପୁରୁଣା ସଦସ୍ୟ ସେମାନେ ଯେତେ ଅସନ୍ତୁଷ୍ଟ ହେଲେ ମଧ୍ୟ ଦଳ ସହିତ ରହିବେ। କିନ୍ତୁ ଯେଉଁମାନେ ବିଜେଡ଼ି ବା କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଛନ୍ତି ଓ ସେମାନଙ୍କ ଭିତରୁ କେତେକ ବିଧାୟକ ମଧ୍ୟ ହୋଇଛନ୍ତି ସେମାନଙ୍କ ଭିତରେ ରାଜନୈତିକ ଭବିଷ୍ୟତ ନେଇ ଭିନ୍ନ ପ୍ରକାର ଆଲୋଚନା ଚାଲିଛି।

ରାଜ୍ୟରେ ବିଜେପିର ଅବସ୍ଥା ସହ ଯଦି ତୁଳନା କରାଯାଏ ତେବେ ମୁଖ୍ୟ ବିରୋଧୀ ଦଳ ବିଜେଡ଼ିରେ ଅବସ୍ଥା ତାହା ଠାରୁ ସାଂଘାତିକ। ବିଜେଡ଼ିରେ ଯେଉଁ ଗୋଷ୍ଠୀ ଭି. କେ. ପାଣ୍ଡିଆନ୍‌ଙ୍କ ସହିତ ଜଡ଼ିତ ହୋଇ ଗତ ୫ ବର୍ଷ ଧରି ଦଳକୁ ଓ ସରକାରକୁ ପରିଚାଳିତ କରୁଥିଲେ ସେମାନେ ଏବେ ବି ଭାବୁଛନ୍ତି ଯେ, ବିଜେପି ସରକାର ଯେତିକି ବିଫଳ ହେବ ସେହି ଅନୁସାରେ ପୁଣି ସେମାନଙ୍କୁ ଶାସନ କରିବା ପାଇଁ ଜନସାଧାରଣ ସମର୍ଥନ କରିବେ। ବିଜେପିର କ୍ଷମତା କମିଗଲେ ପରବର୍ତ୍ତୀ ନିର୍ବାଚନରେ ହୁଏତ ବିଜେପି ବାଧ୍ୟ ହୋଇ ନିର୍ବାଚନ ପୂର୍ବରୁ ବା ପରେ ପୁଣି ବିଜେଡି ସହିତ ମେଂଟ କରିବ। ଏହି ଗୋଷ୍ଠୀ ଖୁସି ଯେ, ସେମାନଙ୍କର ଯେଉଁ ସରକାରୀ ଅଧିକାରୀମାନେ ନିଜ ଲୋକ ଭଳି କାମ କରୁଥିଲେ ସେମାନଙ୍କ ବିରୋଧରେ ରାଜ୍ୟ ବିଜେପି ସରକାର କୌଣସି ଦଣ୍ଡ ବିଧାନ କରିପାରିଲେ ନାହିଁ। ଏମାନେ ଗୋଟି ଗୋଟି କରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଖୁସିରେ ଚାଲିଯାଇଛନ୍ତି। ଏଣୁ ସର୍ବୋଚ୍ଚ ସ୍ତରରେ ବିଜେଡ଼ି ଓ ବିଜେପି ଭିତରେ ଏକ ବୁଝାମଣା ରହିଥିବା ଅନୁଭବ କରାଯାଉଛି।

କିନ୍ତୁ ବିଜେଡ଼ିର ଯେଉଁମାନେ ବିଜୁ ପଟ୍ଟନାୟକଙ୍କ ବିରୋଧୀ ରାଜନୀତି ଦେଖିଛନ୍ତି ସେମାନେ ବର୍ତ୍ତମାନ ବିଜେଡ଼ିର କାର୍ଯ୍ୟକଳାପରେ ଆଦୌ ସନ୍ତୁଷ୍ଟ ନୁହଁନ୍ତି। ନବୀନ ପଟ୍ଟନାୟକଙ୍କର କୌଣସି ବିକଳ୍ପ ବିଜେଡ଼ିରେ ନଥିଲେ ମଧ୍ୟ ସେ ଜଣେ ବିରୋଧୀ ରାଜନେତା ଭାବରେ ୫ ବର୍ଷ ବିଜୁ ପଟ୍ଟନାୟକଙ୍କ ଢଙ୍ଗରେ ରାଜନୀତି କରି ଦଳକୁ ଶକ୍ତିଶାଳୀ କରିପାରିବେ ବୋଲି ଏମାନେ ବିଶ୍ୱାସ କରୁନାହାନ୍ତି। ବିଜେଡ଼ିର ତଥାକଥିତ ନିର୍ବାଚନ ଯେପରି କରାଗଲା ସେଥିରେ କେବଳ ପାଣ୍ଡିଆନଙ୍କୁ ସମର୍ଥନ କରୁଥିବା ନେତାମାନେ ପ୍ରମୁଖ ଭୂମିକାରେ ରହିଲେ। କିନ୍ତୁ ଯେଉଁମାନେ ବିଜେଡ଼ି ପ୍ରକୃତରେ ଏକ ବିରୋଧୀ ଦଳ ଭୂମିକା ନେବାକୁ ଚାହୁଁଛନ୍ତି, ଅର୍ଥାତ୍ ଯେଉଁମାନେ ବିଜୁ ପଟ୍ଟନାୟକଙ୍କ ବିରୋଧୀ ରାଜନୀତି ଦେଖିଛନ୍ତି ସେମାନେ ରାଜ୍ୟରେ ଆଉ ଏକ ଆଂଚଳିକ ଦଳ ପାଇଁ ଚିନ୍ତା କରୁଛନ୍ତି।

ଅର୍ଥାତ୍ ସବୁ ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ଏକ କୃତ୍ରିମ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଛି। ଠିକ୍ ଏହିପରି ଶୂନ୍ୟତା ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ୧୯୯୭ରେ ସୃଷ୍ଟି ହୋଇଥିଲା। ସେଥିପାଇଁ ସେତେବେଳେ ବିଜୁ ଜନତା ଦଳ ପରି ଏକ ଆଂଚଳିକ ଦଳ ରାଜ୍ୟରେ ଜନ୍ମଲାଭ କଲା। ଅବଶ୍ୟ ବର୍ତ୍ତମାନର ପରିସ୍ଥିତି ଓ ସେତେବେଳର ପରିସ୍ଥିତି ଭିତରେ ଭିନ୍ନତା ହେଉଛି ଯେ, ରାଜନୀତି ପାଇଁ ସମ୍ବଳର ଆବଶ୍ୟକତା ବହୁତ ବଢ଼ିଯାଇଛି। ନବୀନଙ୍କ ନେତୃତ୍ୱରେ ଥିବା ବିଜୁ ଜନତା ଦଳ ହାତରେ ସମ୍ବଳ ରହିଛି। ଅପରପକ୍ଷରେ ବିରୋଧୀ ପକ୍ଷରେ ଥିବା କଂଗ୍ରେସ ଦଳ ଯାହାର ଅବସ୍ଥାକୁ ୧୯୯୭ରେ ଥିବା ବିଜେପି ସହିତ ତୁଳନା କରାଯାଇପାରେ ସେହି ଦଳ ନିକଟରେ ସମ୍ବଳ ନାହିଁ ବୋଲି ଏକ ଧାରଣା ସୃଷ୍ଟି ହୋଇଛି।

ତେଣୁ ବିଜେପିରେ ଅସନ୍ତୁଷ୍ଟ ଥିବା ନେତାମାନେ କି ଧରଣର ନୂଆ ଚିନ୍ତା କରୁଛନ୍ତି ଓ ବିଜେଡିର ଅସନ୍ତୁଷ୍ଟ ନେତାମାନଙ୍କ ସହିତ ସେମାନଙ୍କର କି ସମ୍ପର୍କ ରହିଛି ତାହା ଉପରେ ରାଜ୍ୟର ଭବିଷ୍ୟତ ରାଜନୀତି ନିର୍ଦ୍ଧାରିତ ହେବ। ଏହିପରି ଅବସ୍ଥାରେ ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଖୁବ୍ କମ୍ ସମୟ ପାଇଁ ଆସୁଥିଲେ ମଧ୍ୟ ତାଙ୍କର ରୋଡ୍ ଶୋ ଓ ସଭା ଲୋକମାନଙ୍କ ଭିତରେ କି ପ୍ରଭାବ ପକାଉଛି ତାହାକୁ ସମସ୍ତେ ଲକ୍ଷ୍ୟ କରୁଛନ୍ତି। ଅବଶ୍ୟ ଆଗାମୀ ୩ ଦିନରେ ବର୍ଷା ରାଜ୍ୟରେ ସବୁ ପ୍ରକାର ଗଣିତକୁ ଏପଟ ସେପଟ କରିଦେଇପାରେ।

ମୋ- ୮୦୧୮୦୯୪୪୫୫