ରାତି ଅଧରେ କମିଶରେଟ୍‌ ପୁଲିସ୍‌ର ଯାଞ୍ଚ; ଧାରାପଡ଼ିଲେ ୨୧ ମଦୁଆ

ରାତିରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇ ଡ୍ରାଇଭରଙ୍କ ପାଟିରେ ମେଶିନ୍‌ ପାଇପ୍‌ ପୂରାଇ ଫୁଙ୍କିବା ପାଇଁ କହିଥିଲା ପୁଲିସ୍‌। ହେଲେ ମଦୁଆ ଗାଡ଼ି ଚାଳକ ନଫୁଙ୍କିବା ପାଇଁ ନାନା ବାହାନା କରିଥିଲେ।

ରାତି ଅଧରେ କମିଶରେଟ୍‌ ପୁଲିସ୍‌ର ଯାଞ୍ଚ; ଧାରାପଡ଼ିଲେ ୨୧ ମଦୁଆ

ରାତି ଅଧରେ ହରଡ଼ଘଣାରେ ପଡ଼ିଲେ ମଦୁଆ! ଅଚାନକ ରାତି ଅଧରେ ଭୁବନେଶ୍ୱର କମିଶନରେଟ୍‌ ଥାନା ଅଞ୍ଚଳରେ ପୁଲିସ୍‌ କରିଲା ଯାଞ୍ଚ। ମଦୁଆଙ୍କୁ ଧରିବାପାଇଁ ସେମାନଙ୍କ ପାଟିରେ ମେଶିନ୍‌ ପୂରାଇବାକୁ ଚେଷ୍ଟା କଲା। ହେଲେ ବାହାନା କରିଥିଲେ ମଦୁଆ। କେତେ ବାହାନା ପରେ ପାଟିରେ ପାଇପ୍‌ ପୂରାଇ ଫୁଙ୍କିଥିଲେ। ଆଉ ତା’ପରେ ଜଣେ ପରେ ଜଣେ ମଦୁଆ ଧରାପଡ଼ିଲେ। ପୁଲିସ୍‌ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ଉ କରି ୨୧ ଜଣ ମଦୁଆଙ୍କ ବିରୋଧରେ ମାମଲା ରୁଜୁ କରି ୨୧ଟି ଗାଡ଼ି ଜବତ କରିଛି।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ କମିଶନରେଟ୍‌ ପୁଲିସ ଶନିବାର ରାତିରେ ଯାଞ୍ଚ କରିଥିଲା। ରାଜଧାନୀର କଟକ ରୋଡ୍‌, ନନ୍ଦନକାନନ ରୋଡ୍‌, ଜନପଥ ରୋଡ୍‌, ଲୁଇସ୍‌ ରୋଡ୍‌, ଖଣ୍ଡଗିରି ରୋଡ୍‌ରେ ଯାଞ୍ଚ କରିଥିଲା ପୁଲିସ୍‌। ରାତିରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇ ଡ୍ରାଇଭରଙ୍କ ପାଟିରେ ମେଶିନ୍‌ ପାଇପ୍‌ ପୂରାଇ ଫୁଙ୍କିବା ପାଇଁ କହିଥିଲା ପୁଲିସ୍‌। ହେଲେ ମଦୁଆ ଗାଡ଼ି ଚାଳକ ନଫୁଙ୍କିବା ପାଇଁ ନାନା ବାହାନା କରିଥିଲେ। ତା’ପରେ ଫୁଙ୍କି ପୁଲିସ୍‌ ହାତରେ ଧରା ପଡ଼ିଥିଲେ।

ମିଳିଥିବା ସୂଚନା ଅନୁସାରେ ଭରତପୁର ଥାନାରେ ୨ଟି, ବଡ଼ଗଡ଼ ଥାନାରେ ୨ଟି, ଲକ୍ଷ୍ମୀସାଗର ଥାନାରେ ୭ଟି, ଜଟଣୀ ଥାନାରେ ୫ଟି, ଖଣ୍ଡଗିରି ଥାନାରେ ୨ଟି, ଖାରବେଳନଗର ଥାନାରେ ଗୋଟିଏ ଓ ସହିଦନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପୁଲିସ୍‌ ୨୧ଟି ଗାଡି ଜବତ କରିଛି।