ରାତି ଅଧରେ ଲାଲୁଙ୍କ ଘନିଷ୍ଠ ନେତାଙ୍କୁ ଉଠାଇ ନେଲା ଇଡି

ଲାଲୁଙ୍କ ପରିବାରର ନିକଟତମ କୁହାଯାଉଥିବା ଆର୍‌ଜେଡି ନେତା ସୁଭାଷ ଯାଦବଙ୍କୁ ବିଳମ୍ବିତ ରାତିରେ ଇଡି ଗିରଫ କରିଛି।

ରାତି ଅଧରେ ଲାଲୁଙ୍କ ଘନିଷ୍ଠ ନେତାଙ୍କୁ ଉଠାଇ ନେଲା ଇଡି

ବିହାରର ପୂବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ନେତାଙ୍କୁ ରାତି ଅଧରେ ଘରୁ ଉଠାଇନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲାଲୁଙ୍କ ପରିବାରର ନିକଟତମ କୁହାଯାଉଥିବା ଆର୍‌ଜେଡି ନେତା ସୁଭାଷ ଯାଦବଙ୍କୁ ବିଳମ୍ବିତ ରାତିରେ ଇଡି ଗିରଫ କରିଛି। ସୁଭାଷ ଯାଦବ ବେଆଇନ ବାଲି କାରବାର ସହ ଜଡିତ ଥିବା ଅଭିଯୋଗରେ ଇଡି ତାଙ୍କ ବିରୋଧରେ ଏହି ଆକ୍ସନ ନେଇଛି।

ଶନିବାର ସକାଳୁ ଇଡି ସୁଭାଷ ଯାଦବଙ୍କ ଘରେ ଚଢ଼ାଉ କରିଥିଲା। ତାଙ୍କର ୮ଟି ସ୍ଥାନରେ ୧୪ ଘଣ୍ଟା ଧରି ଇଡି ଚଢ଼ାଉ ଜାରି ରଖିଥିଲା। ଏହି ସମୟରେ ସୁଭାଷଙ୍କ ଦାନାପୁର ସ୍ଥିତ ଘରୁ ନଗଦ ୨ କୋଟି ଟଙ୍କା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିଲା ଇଡି। ଏହାପରେ ତାଙ୍କୁ ଗିରଫ କରାଯାଇ ଆଜି ସକାଳେ କୋର୍ଟରେ ହାଜର କରାଯାଇଛି। ସୁଭାଷଙ୍କୁ ବେଉର ଜେଲକୁ ପଠାଇବା ପାଇଁ ଇଡ଼ି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସୁଭାଷ ବ୍ରାଣ୍ଡସନ କଂଷ୍ଟ୍ରକସନ ପାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ। ତାଙ୍କ ବିରୋଧରେ ପାଟନାରେ ବେଆଇନ ବାଲି କାରବାରକୁ ନେଇ ମାମଲା ରୁଜୁ ହୋଇଛି। ଏହି ଅଭିଯୋଗରେ ଇଡି ପୂର୍ବରୁ ଆୟକର ବିଭାଗ ମଧ୍ୟ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିସାରିଛି। ତେବେ ତାଙ୍କ ଗିରଫକୁ ନେଇ ଆରଜେଡିରେ ଉତ୍ତେଜନା ପ୍ରକାଶ ପାଇଛି।

ଆରଜେଡି ପକ୍ଷରୁ ସୁଭାଷଙ୍କୁ ୨୦୧୯ରେ ଝାଡ଼ଖଣ୍ଡର ଚତରା ଲୋକସଭା ଆସନରୁ ଟିକେଟ ଦେଇଥିଲା। ତେବେ ସେ ନିର୍ବାଚନ‌ୋ ପରାଜିତ ହୋଇଥିଲେ। ୨୦୧୮ରେ ତାଙ୍କର ଦିଲ୍ଲୀ, ଧାନବାଦ ଏବଂ ପାଟନା ସମେତ ଅନ୍ୟ କେ‌ତେକ ଘରେ ଆୟକର ଚଢ଼ାଉ କରିଥିଲା।

୨୦୧୭ ମସିହାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ମଧ୍ୟ ସୁଭାଷ ଯାଦବଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। କଳା ଟଙ୍କାକୁ ଧଳାରେ ପରିଣତ କରିଥିବା ନେଇ ଲାଲୁଙ୍କ ପରିବାର ବିରୋଧରରେ ସୁଶୀଲ ମୋଦୀ ଅଭିଯୋଗ କରିଥିଲେ। ଏହି ସମୟ ମଧ୍ୟରେ ସେ ଅନେକ ତଥ୍ୟ ମଧ୍ୟ ଉପସ୍ଥାପନ କରିଥିଲେ। କେବଳ ସେତିକି ନୁହେଁ ସୁଭାଷ ଯାଦବ କୁଆଡେ ରାବ୍ରି ଦେବୀଙ୍କୁ କମ୍ ମୂଲ୍ୟରେ ଜମି ଦେଇଥିବା ମଧ୍ୟ ଅଭିଯୋଗ ରହିଛି।