ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା; ସିଂହଦ୍ବାର ସାମ୍ନାରେ ଶ୍ରୀଜିଉଙ୍କ ଅପେକ୍ଷାରେ ୩ ରଥ...
ଆବେଗ ଭରା ଭକ୍ତପ୍ରାଣ...ଲୁହ ଛଳ ଛଳ ଆଖି...ଭାବର ଠାକୁର ଯେତେବେଳେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ, ଭକ୍ତଟିଏ ତା’ର ଦୁଃଖ ଆଉ ସୁଖ ଜଣାଇବ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ..ତେଣୁ ଆଜିଠୁ ଉଛୁଳିଲାଣି ଶ୍ରୀକ୍ଷେତ୍ର...ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ।
ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ। ଯେଉଁ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ଚାଲିବ ରଥଟଣା। ଏଥିପାଇଁ ସଅଳ ନୀତିକାନ୍ତି ସହ ଶୃଙ୍ଖଳାର ସହ କେମିତି ରଥଯାତ୍ରା ସଂପନ୍ନ ହେବ ତା ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ।
ଆବେଗ ଭରା ଭକ୍ତପ୍ରାଣ...ଲୁହ ଛଳ ଛଳ ଆଖି...ଭାବର ଠାକୁର ଯେତେବେଳେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ, ଭକ୍ତଟିଏ ତା’ର ଦୁଃଖ ଆଉ ସୁଖ ଜଣାଇବ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ..ତେଣୁ ଆଜିଠୁ ଉଛୁଳିଲାଣି ଶ୍ରୀକ୍ଷେତ୍ର...ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ। .. ଏଣେ ରଥ ପ୍ରସ୍ତୁତ....ପଥ ପ୍ରସ୍ତୁତ...ଅପେକ୍ଷା ସେହି ଜଗତରନାଥ ଜଗନ୍ନାଥ। ଘଣ୍ଟଘଣ୍ଟା ସହ ସହ ମୃଦଙ୍ଗର ତାଳେ ତାଳେ ପଟିଦିଅଁଙ୍କ ଠାରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ପହଞ୍ଚିବା ପରେ ଗୋଟିଏ ପରେ ଗୋଟିଏ ରଥକୁ ଟାଣି ନିଆଯାଇଥିଲା ସିଂହଦ୍ବାର ସମ୍ମୁଖକୁ। ଡାହୁକ ବୋଲିରେ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଆଉ ତା’ପରେ ଶେଷରେ ତାଳଧ୍ବଜ ରଥକୁ ଟାଣିନେଇଥିଲେ ସ୍ବେଛାସେବୀ, ସେବାୟତଙ୍କ ସହ ସୁରକ୍ଷାବାହିନୀ।
ଏପଟେ କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ। କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ। ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଛି। ତେଣୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଛି। ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ ହୋଇ ୨ଟା ୩୦ରେ ସରିବ। ଏହାପରେ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନିର୍ଘଣ୍ଟ ହୋଇଛି ନୀତି।
ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା। କାରଣ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ।ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି।
ସେହିପରି ଆଜି ରାତିରୁ ଲାଗୁ ହେବ ଟ୍ରାଫିକ୍ କଟକଣା। ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ। AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଏବଂ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ। ବ୍ଲାକସ୍ପଟରେ ଡ୍ରୋନର ନିଆଯିବ ସହାୟତା। ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି। ରାତି ପାହିଲେ ରଥଯାତ୍ରା। ତା’ପୂର୍ବରୁ ଆଜି ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କନକ ବର୍ଦ୍ଧନ ସିଂଦେଓ।