ରାମ ମନ୍ଦିର ସିଧା ପ୍ରସାରଣ ଉପରେ ଲାଗିଲା ରୋକ୍‌, ରାଗିଗଲେ ନିର୍ମଳା

ହିନ୍ଦୁ ବିରୋଧୀ କହି ଅଭିଯୋଗ କରିବା ସହ ସୋଶାଲ ମିଡିଆ ଜରିଆରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ରାମ ମନ୍ଦିର ସିଧା ପ୍ରସାରଣ ଉପରେ ଲାଗିଲା ରୋକ୍‌, ରାଗିଗଲେ ନିର୍ମଳା

ଆସନ୍ତାକାଲି ଅଯୋଧ୍ୟାର ରାମ ମନ୍ଦିରରେ ବିରାଜମାନ କରିବେ ଭଗବାନ ରାମ। ରାମ ଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ପୂର ଉତ୍ସବ ମୁଖର ହୋଇପଡିଛି ପୂରା ଦେଶ। ଗୋଟିଏ ପଟେ ଏହି ଉଦ୍‌ଘାଟନ ସମାରୋହକୁ ନେଇ ସାରା ଦେଶରେ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଥିବା ବେଳେ ଅନ୍ୟପଟେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି।

ବିରୋଧୀ ଦଳ ଏହି ସମାରୋହକୁ ବୟକଟ୍‌ କରିଥିବା ବେଳେ ବିଜେପି ଲଗାତର ସେମାନଙ୍କୁ ଟାର୍ଗେଟ୍‌ କରୁଛି। ଏହାରି ଭିତରେ ରାମ ମନ୍ଦିର ଉଦ୍‌ଘାଟନ ସମାରୋହ ଉପରେ ରୋକ୍‌ ଲାଗିଛି। ତାମିଲନାଡୁ ସରକାର ଲାଇଭ୍‌ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ନେଇ ଏବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଗି ଯାଇଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁ ସରକାରଙ୍କୁ ହିନ୍ଦୁ ବିରୋଧୀ କହିବା ସହ ସୋଶାଲ ମିଡିଆ ଜରିଆରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସୋଶାଲ ମିଡିଆ ସାଇଟ୍‌ 'X'ରେ ପୋଷ୍ଟ କରି ଲେଖିଛନ୍ତି, 'ତାମିଲନାଡୁ ସରକାର ୨୨ଜାନୁଆରୀରେ ରାମ ମନ୍ଦିର ସହ ଜଡିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତାମିଲନାଡୁରେ ଶ୍ରୀ ରାମଙ୍କର ୨୦୦ରୁ ଅଧିକ ମନ୍ଦିର ଅଛି। ତାମିଲନାଡୁ ସରକାରଙ୍କ ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ୍ ଏଣ୍ଡୋମେଣ୍ଟସ୍ ବିଭାଗ (HR&CE) ଦ୍ୱାରା ପରିଚାଳିତ ମନ୍ଦିରଗୁଡ଼ିକରେ ଶ୍ରୀ ରାମଙ୍କ ନାମରେ କୌଣସି ପୂଜା / ଭଜନ / ପ୍ରସାଦ / ଅନ୍ନଦାନାମ୍ ଅନୁମତି ନାହିଁ। ବ୍ୟକ୍ତିଗତ ଭାବରେ ଚାଲୁଥିବା ମନ୍ଦିରଗୁଡିକରେ କାର୍ଯ୍ୟକ୍ରମ ଆୟୋଜନକୁ ମଧ୍ୟ ପୁଲିସ ଅଟକାଉଛି। ସେମାନେ ପଣ୍ଡେଳକୁ ଭାଙ୍ଗି ଦେବେ ବୋଲି ଆୟୋଜକଙ୍କୁ ଧମକ ଦେଉଛନ୍ତି। ଡିଏମ୍‌କେ ରାଜ୍ୟ ସରକାରଙ୍କ ଏଭଳି ହିନ୍ଦୁ ବିରୋଧୀ, ଘୃଣ୍ୟ କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି।'

ନିର୍ମଳା ସୀତାରମଣ ଆହୁରି କହିଛନ୍ତି, 'ତାମିଲନାଡୁର ଅନେକ ସ୍ଥାନରେ ହୃଦୟ ବିଦାରକ ଏବଂ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି। ଭଜନ ଆୟୋଜନ, ଗରିବ ଲୋକଙ୍କୁ ଖାଇବାକୁ ଦେବା, ମିଠା ବାଣ୍ଟିବା, ଉତ୍ସବ ପାଳନ କରିବା ପାଇଁ ଲୋକଙ୍କୁ ଅଟକାଇ ଦିଆଯାଉଛି ଏବଂ ଧମକ ଦିଆଯାଉଛି। ସେମାନେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା କରୁଥିବା ଦେଖିବାକୁ ଚାହୁଁଥିବା ବେଳେ ଲାଇଭ ଟେଲିକଷ୍ଟ ସମୟରେ ବିଦ୍ୟୁତ କାଟ ହେବାର ସମ୍ଭାବନା ଅଛି ବୋଲି କେବୁଲ ଟିଭି ଅପରେଟରମାନଙ୍କୁ କୁହାଯାଇଛି। I.N.D.I.A ମେଣ୍ଟର ପ୍ରମୁଖ ସାଥୀ ଡିଏମ୍‌କେ ଦ୍ୱାରା ଏହା ହିନ୍ଦୁ ବିରୋଧୀ ପଦକ୍ଷେପ ବୋଲି ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି।

ସେପଟେ ତାମିଲନାଡୁର HR&CE ମନ୍ତ୍ରୀ ଶେଖର ବାବୁ ଅର୍ଥମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, 'ଡିଏମକେ ୟୁଥ ୱିଙ୍ଗ କନଫରେନ୍ସରୁ ଧ୍ୟାନ ଆକର୍ଷଣ କରିବା ପାଇଁ ଗୁଜବ ପ୍ରସାରିତ ହେଉଛି - ⁠HR & CE ତାମିଲନାଡୁର କୌଣସି ମନ୍ଦିରରେ ରାମଙ୍କ ପୂଜା କିମ୍ବା ଅନ୍ନାଦାନମ୍ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି। ଦୁର୍ଭାଗ୍ୟଜନକ ଯେ, ନିର୍ମଳା ସୀତାରମଣଙ୍କ ଭଳି ଲୋକମାନେ ଗୁଜବ ପ୍ରଚାର କରୁଛନ୍ତି ଯାହା ସତ୍ୟର ବିପରୀତ ଅଟେ।'