ରାସ୍ତାରେ ବସିଥିଲେ ୨ ଜଣ, ହଠାତ୍‌ ଆଟାକ କଲା ବିଲୁଆ: ଦେଖନ୍ତୁ ଭିଡିଓ

୨ ଜଣ ବ୍ୟକ୍ତି ରାସ୍ତା କଡ଼ରେ ବସି କଥା ହେଉଥିବା ବେଳେ କେମିତି ଗୋଟିଏ ବିଲୁଆ ଲମ୍ଫ ମାରି ସେମାନଙ୍କୁ ଆକ୍ରମଣ କରୁଛି, ତା’ର ଦୃଶ୍ୟ ସିସିଟିଭି କଏଦ ହୋଇଛି। 

ରାସ୍ତାରେ ବସିଥିଲେ ୨ ଜଣ, ହଠାତ୍‌ ଆଟାକ କଲା ବିଲୁଆ: ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶରେ ଏବେ ବିଲୁଆ ଆତଙ୍କ। ବିଲୁଆ ଆକ୍ରମଣର ତାଜା ଚିତ୍ର ସୋଶାଲ ମିଡିଆରେ ହେଉଛି ଭାଇରାଲ। ଶେହୋରେ ଜିଲ୍ଲାରେ ୨ ଜଣଙ୍କୁ ଗୋଟିଏ ବିଲୁଆ କେମିତି ଆକ୍ରମଣ କରି ଲହୁଲୁହାଣ କରୁଛି, ତା’ର ଦୃଶ୍ୟ ସାମ୍ନାକୁ ଆସିଛି। ୨ ଜଣ ଯାକ ରାସ୍ତା କଡ଼ରେ ବସି କଥା ହେଉଥିବା ବେଳେ କେମିତି ଗୋଟିଏ ବିଲୁଆ ଲମ୍ଫ ମାରି ସେମାନଙ୍କୁ ଆକ୍ରମଣ କରୁଛି, ତା’ର ଦୃଶ୍ୟ ସିସିଟିଭି କଏଦ ହୋଇଛି। 

ପୂରା ଘଟଣା ରେହତି ତହସିଲ ଅଧୀନରେ ଥିବା ସାଗୋନିଆ ପଞ୍ଚାୟତର ଗୋଟିଏ ଆବାସିକ ଅଞ୍ଚଳରେ ଘଟିଛି। ସୋମବାର ସନ୍ଧ୍ୟା ୫ଟା ବେଳେ ଏଠାରେ ୨ ଜଣ ବ୍ୟକ୍ତି ରାସ୍ତା କଡ଼ରେ ବସି କଥା ହେଉଥିଲେ। ଏହି ସମୟରେ ଗୋଟିଏ ବିଲୁଆ ସେମାନଙ୍କୁ ଆକ୍ରମଣ କରିଥିଲା।।

ସେମାନେ ଆକ୍ରମଣରୁ ବଞ୍ଚିବା ପାଇଁ ବିଲୁଆକୁ ଟେକା ମାଡ଼ କରିଥିଲେ ହେଁ ଜନ୍ତୁଟି ସିଧା ଜଣଙ୍କ ଉପରକୁ ଡିଆଁ ମାରିଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ତଥାପି ବିଲୁଆଟି ତାଙ୍କୁ ଆକ୍ରମଣ କରିବା ଜାରି ରଖିଥିଲା। ସୌଭାଗ୍ୟ ବଶତଃ ସେ ବିଲୁଟିକୁ ଧରିବାକୁ ସକ୍ଷମ ହୋଇଥିଲେ। ସେ ପ୍ରାଣ ବିକଳରେ ବିଲୁଆଟି ସିଧା ଫିଙ୍ଗି ଦେଇଥିଲେ। ବିଲୁଆଟି ୧୫ ଫୁଟ ଦୂରକୁ ଛିଟିକି ପଡ଼ିଥିଲା। ୨ ଜଣ ଯାକ ପଥର ମାଡ଼ ଜାରି ରଖିବାରୁ ବିଲୁଆଟି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା।

ବିଲୁଆ ଆକ୍ରମଣରେ ଆହତ ହୋଇଥିବା ଶ୍ୟାମ ଯାଦବ ଓ ନର୍ମଦା ପ୍ରସାଦ ଆହତ ହୋଇଛନ୍ତି। ଉଭୟ ଏବେ ନର୍ମଦାପୁରମ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ପରେ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଓ ଘରୁ ଏକାକୀ ନ ବାହାରିବାକୁ କହିଛି।

ଜଣେ ଅଧିକାରୀ କହିଛନ୍ତି, “ଆମେ ଗାଁ ଲୋକଙ୍କୁ ବିଲୁଆ ଠାରୁ ଦୂରେଇ ରହିବାକୁ କହିଛୁ ଓ ଏକାଠୀ ହୋଇ ଘରକୁ ବାହାରିବାକୁ କହିଛୁ। ଜଙ୍ଗଲ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ରେଞ୍ଜର ହରିଶ ମାହେଶ୍ୱରୀ ଆହତଙ୍କୁ ଭେଟିଛନ୍ତି ଓ କ୍ଷତିପୂରଣ ନିଶ୍ଚିତ କରିଛନ୍ତି।”

ଆକ୍ରମଣ ପରେ ଗାଁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଘରୁ ବାହାରିବା ବେଳେ ଲୋକମାନେ ନିଜର ସୁରକ୍ଷା ପାଇଁ ହାତରେ ଠେଙ୍ଗା ଧରୁଛନ୍ତି। ଗାଁ ଚାରିପାଖରେ ଜଙ୍ଗଲ ରହିଛି। ସେଠାରେ ରହୁଥିବା ବିଲୁଆ ଏବେ ଆବାସିକ ଅଞ୍ଚଳକୁ ଆସି ଲୋକଙ୍କୁ ଆକ୍ରମଣ କରୁଛନ୍ତି।