ରାହା ଦେଖାଇଛି ରଙ୍ଗିନ ଫୁଲକୋବି
ମାଲକାନଗିରି (ଅଶୋକ ମିଶ୍ର ): ବର୍ତ୍ତମାନର ଚାଷୀ ପେସାଦାର ଢଙ୍ଗରେ କୃଷି କର୍ମ କରି ଖାଦ୍ୟ ସହିତ ଆୟ ହେଉଥିବା ଫସଲ ଚାଷକୁ ଗୁରୁତ୍ୱ ଦେଇଥିବା ବେଳେ ଏଠିକାର ଜଳବାୟୁ ମଧ୍ୟ ପରିବା ଚାଷ ପାଇଁ ବେଶ ଅନୁକୂଳ ହୋଇଥିବାରୁ ଅଧିକାଂଶ ଲୋକ ଏବେ ଚାଷ ଉପରେ ମନନିବେଶ କରିଛନ୍ତି। ଫଳରେ ଏକର ଏକର ଜମିରେ ସଜେଇ ହୋଇଛି ସବୁଜିମାର ବାଦଲ। ବିଶେଷ କରି ଏଠିକାର ଲୋକେ ବର୍ତ୍ତମାନ ରଙ୍ଗିନ ଫୁଲ କୋବି ଚାଷ କରିଥିବା ବେଳେ […]

ମାଲକାନଗିରି (ଅଶୋକ ମିଶ୍ର ): ବର୍ତ୍ତମାନର ଚାଷୀ ପେସାଦାର ଢଙ୍ଗରେ କୃଷି କର୍ମ କରି ଖାଦ୍ୟ ସହିତ ଆୟ ହେଉଥିବା ଫସଲ ଚାଷକୁ ଗୁରୁତ୍ୱ ଦେଇଥିବା ବେଳେ ଏଠିକାର ଜଳବାୟୁ ମଧ୍ୟ ପରିବା ଚାଷ ପାଇଁ ବେଶ ଅନୁକୂଳ ହୋଇଥିବାରୁ ଅଧିକାଂଶ ଲୋକ ଏବେ ଚାଷ ଉପରେ ମନନିବେଶ କରିଛନ୍ତି। ଫଳରେ ଏକର ଏକର ଜମିରେ ସଜେଇ ହୋଇଛି ସବୁଜିମାର ବାଦଲ। ବିଶେଷ କରି ଏଠିକାର ଲୋକେ ବର୍ତ୍ତମାନ ରଙ୍ଗିନ ଫୁଲ କୋବି ଚାଷ କରିଥିବା ବେଳେ ଏହାର ବଜାରରେ ଅଧିକ ଚାହିଦା ରହିଥିବାରୁ ଚାଷୀ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିପାରୁଛି।
ମାଲକାନଗିରି ଜିଲ୍ଲାର ଆଦିମ ଜନଜାତିଙ୍କୁ ବର୍ତ୍ତମାନ ରୋଜଗାରର ନୂଆ ରାହା ଦେଖାଇଛି ରଙ୍ଗିନ ଫୁଲ କୋବି ଚାଷ ସହ ଅନେକ ପନିପରିବା ଚାଷ। ଯେଉଁଠି ଲୋକେ ରୋଜଗାର ପାଇଁ ବାହାରକୁ ଦାଦନ ଯାଉଥିଲେ, ବର୍ତ୍ତମାନ ସେହି ଅଞ୍ଚଳରେ ସରକାରୀ ସହାୟତାରେ ଆରମ୍ଭ ହୋଇଥିବା ଏହି ପରିବା ଚାଷ ଲୋକଙ୍କୁ ଦେଇଛି ନୂଆ ରାହା ଏବଂ ଭଲ ରୋଜଗାର। ସମୁଦ୍ର ପତନ ଠାରୁ ପ୍ରାୟ ୫୦୦୦ ଫୁଟ ଉଚ୍ଚରେ ରହିଥିବା ମାଲକାନଗିରି ଜିଲ୍ଲାର ଏହି ବଡଡୁରାଲ ପଞ୍ଚାୟତର ମାଳୀଗୁଡା ଗ୍ରାମରେ ବର୍ତ୍ତମାନ ପାହାଡ଼ ଛାତିରେ ସବୁଜ କ୍ଷେତ ସଜେଇ ହୋଇଛି। କ୍ଷେତରେ ଫଳିଛି ଜାତିଜାତିକା ଫସଲ।
ଗୋଟିଏ ଦୁଇଟି ଫସଲ ନୁହେଁ, ଏକାଧିକ ଫସଲର ସମ୍ଭାର ଦେଖିବାକୁ ମିଳୁଛି ଏହି ଗ୍ରାମରେ। ଗାଁରେ ଏବେ ରଙ୍ଗୀନ କୋବି, ଗାଜର, ଟମାଟ, ଧନିଆ, ଲଙ୍କା ଭଳି ଅନେକ ପ୍ରକାର ଚାଷ ହେଉଥିବା ବେଳେ ଏହା ଗ୍ରାମବାସୀଙ୍କୁ ଦେଇଛି ନୂଆ ପରିଚୟ ସହ ଉତ୍ତମ ରୋଜଗାର ବାଟ। ଏହି ଗାଁରେ ଅତୀତର ମଣିଷ ପାରମ୍ପରିକ ଚାଷ କରି ନିଜ ଜୀବିକା ନିର୍ବାହ କରୁଥିଲେ। ତେବେ ପୂର୍ବରୁ ଚାଷ କାମରେ ସ୍ଥାନୀୟ ଲୋକେ କେବଳ ନିଜ ଖାଦ୍ୟ ଓ ବିକ୍ରୟ ପାଇଁ ଧାନ, ମାଣ୍ଡିଆ, ବିରି ଭଳି ଚାଷ କରୁଥିବା ବେଳେ ଏଥିରେ ବିଶେଷ ଲାଭ ହେଉ ନ ଥିବାରୁ ଧୀରେ ଧୀରେ ଯୁବପିଢୀ ଏଥିରୁ ମୁହଁ ଫେରେଇ ନେଇଥିଲେ।
କିନ୍ତୁ ବର୍ତ୍ତମାନ ଗ୍ରାମରେ ଲୋକେ ନିଜେ ପନିପରିବା ଚାଷ ବିଷୟରେ ଅଧିକ ଆଗ୍ରହ ପ୍ରକାଶ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ଜ୍ଞାନ ନେଇ ଆରମ୍ଭ କରିଛନ୍ତି ବିଭିନ୍ନ ପନିପରିବା ଚାଷ। ଧଳା କୋବିର ଏତେଟା ଚାହିଦା ନ ଥିବାରୁ ଭଲ ଦରରେ ବିକ୍ରି ହେଉଛି ହଳଦିଆ ଓ ବାଇଗଣୀ ରଙ୍ଗର ଏହି ଫୁଲକୋବି। ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦିଆଯାଉଥିବା ବେଳେ କୃଷି ବିଭାଗର ବିହନ ସହାୟତାରେ ରଙ୍ଗିନ କୋବି ଚାଷ କରିଛନ୍ତି ଚାଷୀ।
କୋବି ସହିତ ଆହୁରି ଅନେକ ପନିପରିବା ଚାଷ ବର୍ତ୍ତମାନ ଏଠିକାର ଲୋକଙ୍କୁ ସ୍ୱାବଲମ୍ବୀ କରିଛି। ଯେଉଁଠି ଯୁବପିଢୀ ଦାଦନ ମୁହାଁ ହେଉଥିଲେ ଶେଠୀ ବର୍ତ୍ତମାନ ଲୋକେ ରାତି ପାହିଲେ ଗାଁର ମହିଳା ଓ ପୁରୁଷ ଚାଷ ଜମିରେ ଖଟିବାର ଦେଖିବାକୁ ମିଳୁଛି। ଏପରି ଚାଷ ହେଉଥିବା ବେଳେ ଚାଷ ଦେଖିବାକୁ ଆଖ ପାଖ ଅନେକ ଅଞ୍ଚଳର ଲୋକେ ଆସୁଛନ୍ତି। ଏହି ଗାଁଟି ପରିବା ଚାଷ ପାଇଁ ବର୍ତ୍ତମାନ ଅଞ୍ଚଳରେ ନୂଆ ପରିଚୟ ପାଇଥିବା ବେଳେ ଅନ୍ୟ ଗ୍ରାମ ପାଇଁ ଏମାନେ ପାଲଟିଛନ୍ତି ଉଦାହରଣ।