ରାହୁଲଙ୍କୁ ଚାରିଆଡୁ ଟାର୍ଗେଟ୍‌: ବିଜେପି ନେତା କହିଲେ, ସଂସଦ ଇତିହାସରେ ଏହା କଳା ଦିନ

ଆମ୍ବେଦକର ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି। ଅଭିଯୋଗ ହେଉଛି ଯେ, କୁଆଡେ ରାହୁଲ ଗାନ୍ଧି ସେମାନଙ୍କୁ ଧକ୍କା ଦେଇଛନ୍ତି। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି।

ରାହୁଲଙ୍କୁ ଚାରିଆଡୁ ଟାର୍ଗେଟ୍‌: ବିଜେପି ନେତା କହିଲେ, ସଂସଦ ଇତିହାସରେ ଏହା କଳା ଦିନ

ଆଜି ସଂସଦ ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା। ଆମ୍ବେଦକର ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି। ଅଭିଯୋଗ ହେଉଛି ଯେ, କୁଆଡେ ରାହୁଲ ଗାନ୍ଧି ସେମାନଙ୍କୁ ଧକ୍କା ଦେଇଛନ୍ତି। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଚାରିଆଡୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ କରାଯାଉଛି ଟାର୍ଗେଟ୍‌। ଏପରିକି ତାଙ୍କ ବିରୋଧରେ ଲିଗାଲ ଆକ୍ସନ ନେବାକୁ ଅଣ୍ଟା ଭିଡିଲାଣି ବିଜେପି।

ଆଜି ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଜେପିର ବରିଷ୍ଠ ନେତାମାନେ ହସ୍ପିଟାଲ ଯାଇ ଉଭୟଙ୍କ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ପ୍ରତାନ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଛିଝନ୍ତି।

ସେପଟେ ଏହି ଘଟଣା ପରେ ବିଜେପି ନେତାମାନେ ଗଣମାଧ୍ୟମ ଆଗରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ସଂସଦ ଇତିହାସରେ ଏହା କଳା ଦିନ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ। ସମସ୍ତ ମର୍ଯ୍ୟାଦା ଉଲ୍ଲଙ୍ଘନ କରାଯାଇଛି। ରାହୁଲ ଗାନ୍ଧି ଓ କଂଗ୍ରେସ ଯେଉଁ ଦାଦାଗିରି କରିଛନ୍ତି ତାହାର ଦ୍ୱିତୀୟ କୌଣସି ଉଦାହାରଣ ମିଳିବ ନାହିଁ। ସେମାନେ ଏବେ ଏଭଳି ଦାଦାଗିରି କରିବେ। ଭାରତର ସାଂସ୍କୃତିକ ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ଆଚରଣ ଦେଖିବାକୁ ମିଳି ନାହିଁ। ସେମାନଙ୍କୁ ଏକ ସ୍କୁଲରେ ତାଲିମ ଦିଆଯିବା ଉଚିତ୍। ଗଣତନ୍ତ୍ରରେ କିପରି କାମ କରିବେ ତାହା ସେମାନେ ଶିଖିବେ। ଏହି ପ୍ରକାରର ଆଚରଣକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଲିଗାଲ ଆକ୍ସନ ନେବାକୁ ଦାବି କରିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ରକ୍ତସ୍ରାବ ବନ୍ଦ ହେଉନାହିଁ। ମୁକେଶ ରାଜପୁତ ଚେତାଶୂନ୍ୟ ଅଛନ୍ତି। ରାହୁଲ ଗାନ୍ଧିଙ୍କ ଗୁଣ୍ଡାଗର୍ଦ୍ଦି ତାଙ୍କ ନିରାଶାକୁ ପ୍ରତିଫଳିତ କରୁଛି। ଯାହା ବି ଆଇନଗତ ପ୍ରକ୍ରିୟା ଆବଶ୍ୟକ, ତାହା କରାଯିବା ଉଚିତ ବୋଲି ସେ କହିଛନ୍ତି।

ଏହି ଘଟଣାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ନିନ୍ଦା କରିଛନ୍ତି। ସଂସଦ କାହାର ବ୍ୟକ୍ତିଗତ ସ୍ଥାନ ନୁହେଁ, କି ଏହା କୁସ୍ତି ଆଖଡ଼ା ନୁହେଁ। ବରିଷ୍ଠ ସାଂସଦଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟ ଓ ନିନ୍ଦାଜନକ। ନିଜ ନିଜ ମୁଦ୍ଦା ନେଇ ସାଂସଦ ଆସନ୍ତି, ବିପକ୍ଷଙ୍କୁ ବିରୋଧ ମଧ୍ୟ କରନ୍ତି। କାହାକୁ ଶାରୀରିକ ଆଘାତ ଦେବା ଠିକ୍‌ ନୁହେଁ। କଥାରେ କହିପାରିଥାନ୍ତେ, କେଉଁ ଆଇନ ରାହୁଲଙ୍କୁ ଧକ୍କା ମାରିବାକୁ କ୍ଷମତା ଦେଲା ରିଜିଜୁ ପ୍ରଶ୍ନ କରିଛନ୍ତି।

ସେହିପରି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ସଂସଦ ପରିସରରେ ଠେଲାପେଲା ଘଟଣାକୁ ନିନ୍ଦା କରିଛନ୍ତି। ସେ ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ଏହାକୁ ଦାୟିତ୍ୱହୀନତା ଓ ଅହଂକାର କାର୍ଯ୍ୟ ବୋଲି କହିଛନ୍ତି। ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଏପରି କାର୍ଯ୍ୟ ଚିନ୍ତାଜନକ। ଗଣତନ୍ତ୍ରରେ ଏପରି କାର୍ଯ୍ୟ ଗ୍ରହଣଯୋଗ୍ୟ ନୁହେଁ ବୋଲି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି।