ରେଙ୍ଗାଲିରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି ଆହତ

ପୁଲିସ ରମ୍ପେଲାରେ ପହଞ୍ଚି ସଞ୍ଜୀବ କରାଳିକୁ କାବୁ କରିବାକୁ ପ୍ରୟାସ କରିଥିଲା। ସେହି ସମୟରେ ସେ ଖସି ଯିବାକୁ ପ୍ରୟାସ କରି ପୁଲିସ ଉପରକୁ ଗୁଳି କରିଥିଲା।

ରେଙ୍ଗାଲିରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି ଆହତ

ସମ୍ବଲପୁର ପୁଲିସର ଏନକାଉଣ୍ଟର। ରେଙ୍ଗାଲି ଥାନା ରମ୍ପେଲାରେ ପୁଲିସ୍ ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ମାସ ୨୨ ତାରିଖରେ ଚାରମାଳ ଥାନା ଅନ୍ତର୍ଗତ ଏକ ଗ୍ରୀଡ୍ କନ୍‌ଷ୍ଟ୍ରକ୍ସନ ସାଇଟ୍‌ରେ ଡକାୟତି ଘଟଣାରେ ପୁଲିସ ସଞ୍ଜୀବ କରାଳିକୁ ଖୋଜୁଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସଞ୍ଜୀବ କରାଳି ଫେରାର ଥିଲା। ସେ ଏହି ଡକାୟତି ମାମଲାର ମାଷ୍ଟରମାଇଣ୍ଡ ଥିଲା। ଆଜି ସେ ରମ୍ପେଲା ଅଞ୍ଚଳରେ ବନ୍ଧୁକ ଧରି ବୁଲୁ ଥିବା ନେଇ ପୁଲିସ୍ ଖବର ପାଇଥିଲା।

ସୂଚନା ଅନୁଯାୟୀ, ପୁଲିସ ରମ୍ପେଲାରେ ପହଞ୍ଚି ସଞ୍ଜୀବ କରାଳିକୁ କାବୁ କରିବାକୁ ପ୍ରୟାସ କରିଥିଲା। ସେହି ସମୟରେ ସେ ଖସି ଯିବାକୁ ପ୍ରୟାସ କରି ପୁଲିସ ଉପରକୁ ଗୁଳି କରିଥିଲା। ଜବାବରେ ପୁଲିସ ପାଲଟା ଗୁଳି କରିଥିଲା। ଗୋଟିଏ ଗୁଳି ସଞ୍ଜୀବ କରାଳିର ଗୋଡ଼ରେ ବାଜିଥିଲା।

ଆହତ ସଞ୍ଜୀବ କରାଳିକୁ ପ୍ରଥମେ ରେଙ୍ଗାଲି ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାକୁ ସେଠାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସଞ୍ଜୀବ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଓ ଠକେଇ ଭଳି ପ୍ରାୟ ୨୩ଟି ମାମଲା ରହିଛି।