ରେଡ୍‌ ବେଳେ ପୁଲିସ୍‌ ଉପରେ ଭୟଙ୍କର ଆକ୍ରମଣ, ଗୁଳିମାଡ଼ରେ କନଷ୍ଟେବଲ ମୃତ

କାଦିର ନାଁରେ ମୋଟ ୨୪ଟି ମାମଲା ବିଭିନ୍ନ ସ୍ଥାନରେ ରହିଛି। ରେଡ ବେଳେ ସେ ଖସି ଯାଇଛି। ତାକୁ ଧରିବା ପାଇଁ ଏକାଧିକ ଟିମ ଗଠନ କରାଯାଇଛି।

ରେଡ୍‌ ବେଳେ ପୁଲିସ୍‌ ଉପରେ ଭୟଙ୍କର ଆକ୍ରମଣ, ଗୁଳିମାଡ଼ରେ କନଷ୍ଟେବଲ ମୃତ

ଜଣେ ମୋଷ୍ଟୱାଣ୍ଟେଡ ଅପରାଧୀକୁ ଧରିବା ପାଇଁ ପୁଲିସ୍‌ କରିଥିବା ରେଡ୍‌ ବେଳେ ଭୟଙ୍କର ଘଟଣା ଘଟିଛି। ରେଡ୍‌ ବେଳେ ପୁଲିସ୍‌ ଉପରେ ଗାଁ ଲୋକ କରିଛନ୍ତି ସଂଘବଦ୍ଧ ଆକ୍ରମଣ। ସେମାନେ ଗୁଳି ମାଡ଼ କରିବାରୁ ଜଣେ ପୁଲିସ୍‌ କନଷ୍ଟେବଲଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ୨ ଜଣ ପୁଲିସ୍‌ କର୍ମଚାରୀ ଆକ୍ରମଣରେ ଆହତ ହୋଇଛନ୍ତି। ଗାଜିଆବାଦର ନାହାଲ ଗାଁରେ ରବିବାର ରାତିରେ ଏପରି ଘଟଣା ଘଟିଛି।

ନୋଏଡା ଫେଜ-୩ ପୁଲିସ ଷ୍ଟେସନର ଗୋଟିଏ ଟିମ ନାହାଲ ଗାଁରେ ଅତର୍କିତ ରେଡ କରିଥିଲା। କୁଖ୍ୟାତ ଅପରାଧୀ କାଦିର ଗାଁରେ ଥିବାରୁ ପୁଲିସ୍‌ ତା’କୁ ଧରିବା ପାଇଁ ପହଞ୍ଚିଥିଲା। ପୁଲିସ୍‌ ଟିମ ପକ୍ଷରୁ କାଦିରକୁ ଗିରଫ କରାଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ଆରମ୍ଭ କରିଦେଇଥିଲେ ଆକ୍ରମଣ। ସେମାନେ ପୁଲିସ୍‌ ଉପରକୁ ପଥର ମାଡ଼ କରିବା ସହ ଗୁଳି ମଧ୍ୟ ଚଳାଇଥିଲେ।

ସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଭିଡ଼ରୁ ଭିତରୁ ଆସିଥିବା ଗୁଳିରେ କନଷ୍ଟେବଲ ସୌରଭ ସିଂହଙ୍କ ମୃତ୍ୟୁ ହୋଇଛି। ଗୁଳିମାଡ଼ ପରେ ତାଙ୍କୁ ସ୍ଥାନୀୟ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣରେ ଆଉ ଦୁଇ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଏବେ ସେମାନଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି। ପୁଲିସ୍‌ ଉପରେ ଗାଁ ଲୋକମାନେ ଆକ୍ରମଣ କରୁଥିବା ବେଳେ ଏହାର ସୁଯୋଗ ନେଇ କାଦିର ମଧ୍ୟ ସେଠାରୁ ଫେରାର ହୋଇଯାଇଛି।

ଘଟଣାକୁ ନିଶ୍ଚିତ କରି ଡିପିସି ସୁରେନ୍ଦ୍ର ନାଥ ତିୱାରୀ କହିଛନ୍ତି, “ମେ’ ୨୫ ତାରିଖରେ ମସୁରୀ ଥାନାକୁ ଖବର ମିଳିଥିଲା ଯେ ଗୌତମ ବୁଦ୍ଧ ନଗରର କନଷ୍ଟେବଲ ସୌରଭ ନାହାଲ ଗାଁରେ ଗୁଳିମାଡ଼ର ଶିକାର ହୋଇଛନ୍ତି। ତାଙ୍କୁ ତୁରନ୍ତ ଅନ୍ୟ ପୁଲିସ୍‌ କର୍ମଚାରୀମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୋଟିଏ ମାମଲାର ଅଭିଯୁକ୍ତ କାଦିରକୁ ଧରିବା ପାଇଁ ପୁଲିସ୍‌ ଯାଇଥିବା ବେଳେ ଏପରି ଘଟଣା ଘଟିଛି। ବିଭିନ୍ନ ଦଫାରେ ଗୋଟିଏ ମାମଲା ରୁଜୁ ହୋଇଛି। ଅନ୍ୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି।”

କାଦିର ନାଁରେ ମୋଟ ୨୪ଟି ମାମଲା ବିଭିନ୍ନ ସ୍ଥାନରେ ରହିଛି। ରେଡ ବେଳେ ସେ ଖସି ଯାଇଛି। ତାକୁ ଧରିବା ପାଇଁ ଏକାଧିକ ଟିମ ଗଠନ କରାଯାଇଛି। ସେହିପରି ତା’କୁ ଖସାଇବାରେ ସହାୟତା କରିଥିବା ଲୋକଙ୍କୁ ମଧ୍ୟ ଧରିବାକୁ ଉଦ୍ୟମ ଚାଲିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।