ରେଳ ବିଭାଗର ଦାୟିତ୍ୱହୀନତା: ଫାଟକ ଖୋଲା ଥିବା ସମୟରେ ଚାଲିଲା ଯାତ୍ରୀବାହୀ ରେଳଗାଡି
ସମ୍ବଲପୁର : ବିଗତ ଏକ ବର୍ଷ ହେବ ରାଜ୍ୟର ବାହାନଗା ସମେତ ଦେଶର ବିଭିନ୍ନ ସ୍ଥାନରେ ମର୍ମଦୁନ୍ତ ରେଳ ଦୁର୍ଘଟଣାରେ ଶତାଧିକ ରେଳଯାତ୍ରୀଙ୍କ ଅମୂଲ୍ୟ ଜୀବନ ଚାଲି ଯାଇଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହୋଇଥିବା ବେଳେ କିନ୍ତୁ ରେଳବାଇର ଦାୟିତ୍ୱହୀନତା ସୁଧାରିବାର ନାମ ନେଉ ନାହିଁ । ଏଭଳି ଏକ ଘଟଣାରେ ସୋମବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସମ୍ବଲପୁର ଠାରେ ଏକ ବଡ ରେଳ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି […]

ସମ୍ବଲପୁର : ବିଗତ ଏକ ବର୍ଷ ହେବ ରାଜ୍ୟର ବାହାନଗା ସମେତ ଦେଶର ବିଭିନ୍ନ ସ୍ଥାନରେ ମର୍ମଦୁନ୍ତ ରେଳ ଦୁର୍ଘଟଣାରେ ଶତାଧିକ ରେଳଯାତ୍ରୀଙ୍କ ଅମୂଲ୍ୟ ଜୀବନ ଚାଲି ଯାଇଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହୋଇଥିବା ବେଳେ କିନ୍ତୁ ରେଳବାଇର ଦାୟିତ୍ୱହୀନତା ସୁଧାରିବାର ନାମ ନେଉ ନାହିଁ । ଏଭଳି ଏକ ଘଟଣାରେ ସୋମବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସମ୍ବଲପୁର ଠାରେ ଏକ ବଡ ରେଳ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ରେଳ ଫାଟକ ଠାରେ ସାଧାରତଣଃ ରେଳଗାଡି ଯିବା ସମୟରେ ଫାଟକ ବନ୍ଦ ରହିବାର ନିୟମ ରହିଥିବା ବେଳେ ଆଜି ସନ୍ଧ୍ୟାରେ କିନ୍ତୁ ଦୁର୍ଗାପାଲି ରେଳ ଫାଟକ ଠାରେ ଏକ ସଙ୍ଗରେ ୨ଟି ରେଳଗାଡି ସମ୍ବଲପୁର ପଟରୁ ହାଟିଆ-ବାଙ୍ଗାଲୁରୁ ଏବଂ ହୀରାକୁଦ ପଟରୁ ଜଗଦଲପୁର-ହାୱାଡା ସମଲେଶ୍ୱରୀ ଏକ୍ସପ୍ରେସ ଅତିକ୍ରମ କରିବାର ଦେଖାଯାଇଥିଲା । ସେହି ସମୟରେ ରେଳ ଫାଟକ ବନ୍ଦ ନ ହୋଇ ଖୋଲା ରହିଥିଲା ।
ଦୁର୍ଗାପାଲି ରେଳ ଫାଟକରେ ରେଳଗାଡି ଗୁଡିକୁ ଠିକ ଭାବରେ ସିଗନାଲ ନ ମିଳିବାରୁ ଫାଟକର ଉଭୟ ପାଶ୍ୱର୍ରେ ରେଳଗାଡି ଆସୁଥିବାରୁ ଏଭଳି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି । କିନ୍ତୁ ରେଳଗାଡି ଗୁଡିକ ଅତିକ୍ରମ କରିବା ସମୟରେ ଲୋକେ ଜାଣି ନ ପାରି ଉକ୍ତ ଲେଭଲ କ୍ରସିଂ ଦେଇ ଯାତାୟାତ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ ମଧ୍ୟ ସେଠାରେ ଅଟକି ଯାଇଥିଲା । ତେବେ ଉଭୟ ପାଶ୍ୱର୍ରୁ ୨ଟି ରେଳଗାଡି ଆସିବାର ଦେଖି ଲୋକେ ଭୟଭୀତ ହୋଇ ତୁରନ୍ତ ଉକ୍ତ ବସରୁ ଓହ୍ଲାଇ ଯାଇ ଜୀବନ ବିକଳରେ ଦୌଡି ଥିଲେ । ଅପରପକ୍ଷରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖି ରେଳ ଫାଟକରେ ଥିବା କର୍ମଚାରୀ ଏହା ଦେଖି ତୁରନ୍ତ ରେଳ ଧାରଣା ଉପରକୁ ଯାଇ ଲାଲ ଝଣ୍ଡା ଦେଖାଇବା ଫଳରେ ରେଳଗାଡି ଗୁଡିକ ଅଟକି ଯାଇଥିଲା ।
ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ଏକ ରେଳ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା । ତେବେ ରେଳବାଇର ଏଭଳି ତ୍ରୁଟି ବିଚ୍ୟୁତି ପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ କଣ ପାଇଁ ରେଳଗାଡି ଗୁଡିକ ଆସିବା ସମୟରେ ରେଳ ଫାଟକ ବନ୍ଦ ହୋଇ ନ ଥିଲା ବୋଲି ଏବେ ସବୁ ଠାରୁ ବଡ ପ୍ରଶ୍ନ ହୋଇଛି । ଏହି ଘଟଣା ସିଗନାଲ ଜନିତ ତ୍ରୁଟି କିମ୍ବା ରେଳ ଫାଟକ ବନ୍ଦ ନ ହେବା ପାଇଁ ଅନ୍ୟ କିଛି କାରଣ ରହିଛି, ତାହାକୁ ନେଇ ରେଳବାଇ ଏବେ ନିରବତା ଅବଲମ୍ବନ କରିଛି । ଏଭଳି ଅବ୍ୟବସ୍ଥା ପ୍ରାୟ ୧ ଘଣ୍ଟା ଧରି ଦୁର୍ଗାପାଲି ଲେଭଲ କ୍ରସିଂରେ ଲାଗି ରହିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହୁଛନ୍ତି ।
ଏ ସମ୍ପର୍କରେ ମଣ୍ଡଳର ବରିଷ୍ଠ ସଙ୍କେତ ଦୂରସଞ୍ଚାର ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ତାଙ୍କ ନିକଟରେ କୌଣସି ଅଭିଯୋଗ ଆସି ନ ଥିବାର କହିଥିଲେ । ଏଥି ସହ ସେ କହିଥିଲେ ଯେ, ସାଧାରଣତଃ ରେଳବାଇ ଫାଟକ ବନ୍ଦ ହେବାର ସଙ୍କେତ ନ ମିଳିବା ପର୍ଯ୍ୟନ୍ତ ଇନ୍ଟର ଲକିଂ ସିଷ୍ଟମ ଯୋଗୁଁ ରେଳଗାଡି ଆଗକୁ ଯାଇ ନ ଥାଏ । ତେବେ କଣ ପାଇଁ ଏଭଳି ହୋଇଛି, ତାହା ବୁଝିବା ପରେ ଯାଇ ହିଁ କହି ପାରିବେ ବୋଲି ଅଧିକାରୀ କହିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ଦୁର୍ଗାପାଲି ରେଳବାଇ ଫାଟକ ନିକଟରେ ଏକ ମାଲବାହୀ ରେଳଗାଡିର ଇଞ୍ଜିନରୁ ୱାଗନ ଗୁଡିକ ଅଲଗା ହେବା ଓ ଇଞ୍ଜିନ ଆଗକୁ ଚାଲିଯିବା ସମେତ ଅନ୍ୟାନ୍ୟ ଘଟଣା ଘଟିବାର ନଜୀର ରହିଛି । ସମ୍ବଲପୁରରେ ମଣ୍ଡଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ରହିଥିବା ବେଳେ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିମି ଦୂରରେ ଥିବା ଲେଭଲ କ୍ରିସିଂରେ ଏଭଳି ଅବ୍ୟବସ୍ଥା ବାରମ୍ବାର ଘଟିବା ଦ୍ୱାରା ରେଳବାଇର ସୁରକ୍ଷିତ ଯାତ୍ରାର ଡିମଡିମର ପ୍ରହସନର ପୋଲ ଖୋଲି ଦେଉଛି ।