ରେସଲର ବଜରଙ୍ଗ ପୁନିଆଙ୍କୁ ଝଟକା, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସସପେଣ୍ଡ କଲା NADA
ଅଲମ୍ପିକ୍ସ ଚୟନ ସମୟରେ ସସପେଣ୍ଡ କରିଛି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA)।
ଟୋକିଓ ଅଲମ୍ପିକ୍ସ ମେଡାଲିଷ୍ଟ ରେସଲର ବଜରଙ୍ଗ ପୁନିଆଙ୍କୁ ଝଟକା। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA) ତାଙ୍କୁ ସସପେଣ୍ଡ କରିଛି। ଅଲମ୍ପିକ୍ସ ଚୟନ ସମୟରେ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି NADA।
ସୂଚନା ଅନୁସାରେ, ଡୋପ୍ ଟେଷ୍ଟ ପାଇଁ ସାମ୍ପଲ ଦେଇନଥିବାରୁ ପୁନିଆଙ୍କୁ ସସପେଣ୍ଡ କରାଯାଇଛି। ଏଜେନ୍ସି ପୁନିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସସପେଣ୍ଡ କରିଛି। ମାର୍ଚ୍ଚରେ ସୋନିପତରେ ହୋଇଥିବା ଡୋପ୍ ଟେଷ୍ଟରେ ପୁନିଆ ସାମ୍ପଲ(ନମୂନା) ଦେଇନଥିବାରୁ ତାଙ୍କୁ ସସପେଣ୍ଡ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ, ସୋନିପତରେ ଟେଷ୍ଟ ସମୟରେ ପୁନିଆ ପରିସ୍ରା ନମୂନା ଦେବାକୁ ମନା କରି ଦେଇଥିଲେ। ଏଜେନ୍ସି ତାଙ୍କ ନମୂନ ସଂଗ୍ରହ ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ପୁନିଆ ସହଯୋଗ କରିନାହାନ୍ତି।
ତେବେ ପ୍ରତିବନ୍ଧକ ହଟାନଯିବା ପର୍ଯ୍ୟନ୍ତ ପୁନିଆ କୌଣସି ଟୁର୍ଣ୍ଣାମେଣ୍ଟ କିମ୍ବା ଟ୍ରାଏଲ୍ସରେ ଭାଗ ନେଇପାରିବେ ନାହିଁ। ଏପରିକି ଅଲମ୍ପିକ୍ସ ଟ୍ରାଏଲ ପାଇଁ ମଧ୍ୟ ଯୋଗ୍ୟ ହୋଇନପାରନ୍ତି ବୋଲି କୁହାଯାଉଛି।
ତେବେ ଚଳିତ ବର୍ଷ ଜୁଲାଇ ୨୬ରୁ ଆରମ୍ଭ ହେବ ଅଲମ୍ପିକ୍ସ। ଏଥର ପ୍ୟାରିସରେ ଅଲମ୍ପିକ୍ସ ହେବାକୁ ଥିବାବେଳେ ଅଗଷ୍ଟ ୧୧ରେ ଶେଷ ହେବ। ଏହା ମଧ୍ୟରେ ଯଦି ବଜରଙ୍ଗ ପୁନିଆ ଡୋପ୍ ଟେଷ୍ଟରେ ସଫଳ ହୁଅନ୍ତି ତେବେ ସେ ନିଶ୍ଚିତ ରୂପେ ପ୍ୟାରିସ ଅଲମ୍ପିକ୍ସରେ ଭାଗ ନେଇପାରିବେ।