ଲକ୍ଷେ ଦୀପରେ ଝଲସିଲା ବଡ଼ଦାଣ୍ଡ; ପାରମ୍ପରିକ ଭଜନରେ କମ୍ପିଲା ଶରଧାବାଲି
ପୁରୀ: ଶ୍ରୀମନ୍ଦିରରେ ଚାଲିଛି ଦେବ ଦୀପାବଳି ଉତ୍ସବ। ଏହି ଦେବ ଦୀପାବଳିକୁ ସ୍ମରଣୀୟ କରିବା ଏବଂ ଜଗତର କଲ୍ୟାଣ ପାଇଁ ବଡ଼ଦାଣ୍ଡରେ ଜଳିଛି ଲକ୍ଷେ ଦୀପ। ରବିବାର ସନ୍ଧ୍ୟାରେ ଲକ୍ଷେ ଦୀପ ଶିଖାରେ ଝଲସିଥିଲା ସିଂହଦ୍ୱାରରୁ ଶରଧାବାଲି। ବିଶେଷକରି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଏବଂ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ହଜାର ହଜାର ଦୀପ ଜଳିବାର ଦୃଶ୍ୟ ଥିଲା ବେଶ୍ ନିଆରା। ବିଭିନ୍ନ ଅନୁଷ୍ଠାନ ସହଯୋଗରେ ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ସିଂହଦ୍ୱାର […]

ପୁରୀ: ଶ୍ରୀମନ୍ଦିରରେ ଚାଲିଛି ଦେବ ଦୀପାବଳି ଉତ୍ସବ। ଏହି ଦେବ ଦୀପାବଳିକୁ ସ୍ମରଣୀୟ କରିବା ଏବଂ ଜଗତର କଲ୍ୟାଣ ପାଇଁ ବଡ଼ଦାଣ୍ଡରେ ଜଳିଛି ଲକ୍ଷେ ଦୀପ। ରବିବାର ସନ୍ଧ୍ୟାରେ ଲକ୍ଷେ ଦୀପ ଶିଖାରେ ଝଲସିଥିଲା ସିଂହଦ୍ୱାରରୁ ଶରଧାବାଲି। ବିଶେଷକରି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଏବଂ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ହଜାର ହଜାର ଦୀପ ଜଳିବାର ଦୃଶ୍ୟ ଥିଲା ବେଶ୍ ନିଆରା। ବିଭିନ୍ନ ଅନୁଷ୍ଠାନ ସହଯୋଗରେ ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର ପକ୍ଷରୁ ଏହା ଆୟୋଜନ କରାଯାଇଥିଲା।
ସିଂହଦ୍ୱାର ଏବଂ ଶରଧାବାଲିଠାରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଏବଂ ଅନ୍ୟମାନେ ଉପସ୍ଥିତ ରହି ଦୀପଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟରର ସାଧାରଣ ସମ୍ପାଦକ ଉଦୟ କୁମାର ଶାନ୍ତି, ଟ୍ରଷ୍ଟି କୁମୁଦିନୀ ପଣ୍ଡା, ଟ୍ରଷ୍ଟି ଭାବଗ୍ରାହୀ ଶାନ୍ତି, ଉପସଭାପତି ଇନ୍ଦିରା ମିଶ୍ର, ସୁମିତ୍ରା ପଣ୍ଡା, ଧନେଶ୍ୱର ସାହୁ ପ୍ରମୁଖ ସଦସ୍ୟ ଏହାକୁ ପରିଚାଳନା କରିଥିଲେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜଳିଥିଲା। ବିଭିନ୍ନ ଥିମ୍ ଉପରେ ଜଳୁଥିବା ଦୀପ ବେଶ୍ ଆକର୍ଷଣୀୟ ହୋଇଥିଲା।
ଦୀପଦାନ ପୂର୍ବରୁ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ହାତୀ ଆଖଡା ମଠରେ ବିଶ୍ୱଶାନ୍ତି ଯର୍ଜୁବେଦ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ତାମିଲନାଡୁ ତିରୁଭନାମଲାର ଯୋଗ ବିଶ୍ୱବିଦ୍ୟାଳୟର ମୁଖ୍ୟ ଆତ୍ମରାଜ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା। ଏଥିରେ ମହୀପ୍ରକାଶ ମଠ ମହନ୍ତ ଶୁଭାନନ୍ଦ ପୁରୀ ମହାରାଜଙ୍କ ସମେତ ବିଭିନ୍ନ ମଠର ମହନ୍ତ ଯୋଗଦେଇଥିଲେ। ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ହରିହର କାନୁନଗୋ, ଗବେଷକ ଡ. ଅସୀତ ମହାନ୍ତି, ଇଂ. ନଳିନୀକାନ୍ତ ପଟ୍ଟନାୟକ, ସାଂସ୍କୃତିକ ସଙ୍ଗଠକ ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ଯୋଗଦେଇଥିଲେ। ଦେବ ଦୀପାବଳି ମହୋତ୍ସବ ଅବସରରେ ଶ୍ରୀମନ୍ଦିର ସେବାୟତ ଶଙ୍ଖମିତ୍ର ସିଂହାରୀଙ୍କ ତତ୍ତ୍ୱାବଧାନରେ ପାରମ୍ପରିକ ଭଜନ ସମାରୋହ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚଠାରେ ଅନୁଷ୍ଠିତ ହୋଇଥିଲା।