ଲଙ୍କା ଚାଷ କରି ଲକ୍ଷପତି ହେଲେ ଚାଷୀ
ଗଛରେ ଫଳିଛି ପେନ୍ଥା ପେନ୍ଥା ଲଙ୍କା। ଯୁଆଡେ ଚାହିଁବେ କଞ୍ଚାଲଙ୍କାର ଭଣ୍ଡାର। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ, ଲଙ୍କା ଚାଷ କରି ଲାଭବାନ ହୋଇଛି ଚାଷୀ।
ଖଡ଼ିଆଳ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତର ବେଲ ଡୁଙ୍ଗରି ଗାଁରେ ପ୍ରାୟ ନଅ ଏକର ଜମିରେ ଫଳିଛି ଲଙ୍କା। ସମ୍ବଲପୁର ବୁର୍ଲାର ଯୁବଚାଷୀ ଗୋବିନ୍ଦ ସା ଏହି ଚାଷ କରିଛନ୍ତି। ପନ୍ଦର ଏକର ଜମିକୁ ବାର୍ଷିକ ତିନି ଲକ୍ଷ ଟଙ୍କାରେ ଲିଜ୍ ନେଇ ଛଅ ଏକରରେ ପନିପରିବା ସହ ନଅ ଏକରରେ ଲଙ୍କା ଚାଷ କରିଛନ୍ତି। ଚାଷ ସହ ପାଣି ବ୍ୟବସ୍ଥା ପାଇଁ ୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିବା ସେ କହନ୍ତି।
ରାୟପୁରର ଏକ କୃଷି କମ୍ପାନୀରୁ ମଞ୍ଜି ଓ ଆବଶ୍ୟକୀୟ ଜିନିଷ କିଣି ଲଙ୍କା ଚାଷ କରିଛନ୍ତି ଗୋବିନ୍ଦ। ଜମିରେ ଆର୍ମର୍ କିସମର ୭୨ ହଜାର ଲଙ୍କା ମରିଚ ଗଛ ଲାଗିଥିବା ବେଳେ ପ୍ରଚୁର ପରିମାଣରେ ଫଳୁଛି। ଗୋଟିଏ ଗଛରୁ ପ୍ରାୟ ପନ୍ଦରରୁ ଅଠର ଥର ଲଙ୍କା ତୋଳାଯାଏ ଓ ଏକର ପ୍ରତି ପନ୍ଦରରୁ କୋଡ଼ିଏ କ୍ଵିଣ୍ଟାଲ ଅମଳ ହୁଏ ବୋଲି ଗୋବିନ୍ଦ କହିଛନ୍ତି। ଏହି ଅର୍ଥକାରୀ ଫସଲ ଚାଷ କରି ସେ ନିଜେ ରୋଜଗାରକ୍ଷମ ହେବା ସହ ଅନେକ ପରିବାରକୁ ରୋଜଗାର ଦେଇପାରିଛନ୍ତି ।
ଗୋବିନ୍ଦଙ୍କୁ ସରକାରୀ ସହଯୋଗ ମିଳି ପାରୁନି। ସହାୟତା ମିଳିଲେ ସେ ଆହୁରି ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି। ଏନେଇ ଖଡ଼ିଆଳ ସହକାରୀ କୃଷି ଉଦ୍ୟାନବିତଙ୍କୁ ପଚାରିବାରୁ ଯେ କୌଣସି ଚାଷୀ ଯୋଗାଯୋଗ କଲେ ସରକାରୀ ନିୟମ ଅନୁସାରେ ସହଯୋଗ କରାଯିବ ବୋଲି କହିଛନ୍ତି ।
ଗୋବିନ୍ଦ ଲଙ୍କା ଚାଷ କରି ଯଦି ଲାଭବାନ ହେଉଛନ୍ତି ତେବେ ଅନ୍ୟ ଚାଷୀ କାହିଁକି ହେବେ ନାହିଁ ବୋଲି ସେ କହନ୍ତି। ଏହା ଏକ ଲାଭଦାୟକ ଚାଷ ଓ ସମସ୍ତେ ଚାଷ ପ୍ରତି ମନ ଦେବାକୁ ସେ ଆହ୍ବାନ କରନ୍ତି ।