ଲର୍ଡସ ଟେଷ୍ଟ: ରୁଟ୍‌ଙ୍କ ୯୯; ଇଂଲଣ୍ଡ ୪/୨୫୧

ଲର୍ଡସ: ଗୁରୁବାରଠାରୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଉଭୟ ଦଳ ସମ୍ମାନ ଭାଗ କରିଛନ୍ତି। ଭାରତ ୨ ଥର ଅଳ୍ପ ବ୍ୟବଧାନରେ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ହେଁ ପ୍ରଥମ ଦିନର ହିରୋ ଥିଲେ ଜୋ ରୁଟ୍‌। ପାଖାପାଖି ୭୦ ଓଭର ବ୍ୟାଟିଂ କରିଥିବା ରୁଟ୍‌ ଦିନର ଶେଷ ସୁଦ୍ଧା ୯୯ ରନ୍‌ କରି ଅପରାଜିତ ରହିଛନ୍ତି। ୩୭ତମ ଟେଷ୍ଟ ଶତକଠାରୁ ରୁଟ୍‌ ମାତ୍ର ୧ ରନ୍‌ ଦୂରରେ ଅଛନ୍ତି। ଓଲି ପୋପ୍ […]

ଲର୍ଡସ ଟେଷ୍ଟ: ରୁଟ୍‌ଙ୍କ ୯୯; ଇଂଲଣ୍ଡ ୪/୨୫୧

ଲର୍ଡସ: ଗୁରୁବାରଠାରୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଉଭୟ ଦଳ ସମ୍ମାନ ଭାଗ କରିଛନ୍ତି। ଭାରତ ୨ ଥର ଅଳ୍ପ ବ୍ୟବଧାନରେ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ହେଁ ପ୍ରଥମ ଦିନର ହିରୋ ଥିଲେ ଜୋ ରୁଟ୍‌। ପାଖାପାଖି ୭୦ ଓଭର ବ୍ୟାଟିଂ କରିଥିବା ରୁଟ୍‌ ଦିନର ଶେଷ ସୁଦ୍ଧା ୯୯ ରନ୍‌ କରି ଅପରାଜିତ ରହିଛନ୍ତି। ୩୭ତମ ଟେଷ୍ଟ ଶତକଠାରୁ ରୁଟ୍‌ ମାତ୍ର ୧ ରନ୍‌ ଦୂରରେ ଅଛନ୍ତି। ଓଲି ପୋପ୍ ଓ ଜୋ ରୁଟ୍‌ ମଧ୍ୟ ଉପଯୋଗୀ ଇନିଂସ ଖେଳିଛନ୍ତି। ଫଳରେ ପ୍ରଥମ ଦିନ ଶେଷରେ ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ୪ ୱିକେଟ୍‌ ହରାଇ ୨୫୧ ରନ୍‌ କରିପାରିଛି। ଶୃଙ୍ଖଳା ୧-୧ ସ୍ଥିତିରେ ଥିବା ବେଳେ ପ୍ରଥମ ଦିନରେ ଉଭୟ ଦଳ ଇଞ୍ଚେ ଛାଡ଼ିବାକୁ ପ୍ରସ୍ତୁତ ନ ଥିବା ଭଳି ଲାଗିଥିଲା।

ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା। ଯଶପ୍ରୀତ ବୁମ୍‌ରା ନୂଆ ବଲ୍‌ରେ ମାରାତ୍ମକ ବୋଲିଂ କରିଥିଲେ। ଏକାଧିକ ଥର  ଇଂଲଣ୍ଡର ଦୁଇ ଓପ୍‌ନର ବେନ୍ ଡକେଟ୍‌ ଓ ଜ୍ୟାକ୍‌ କ୍ରଲି ବିଟ୍‌ ହୋଇଥିଲେ। ଅନ୍ୟପକ୍ଷରେ ଆକାଶ ଦୀପ ଓ ମହମ୍ମଦ ସିରାଜ୍‌ ନୈରାଶ୍ୟଜନକ ବୋଲିଂ କରିଥିଲେ। ବେନ୍ ଡକେଟ୍‌ ଓ ଜ୍ୟାକ୍‌ କ୍ରଲି ୧୩ ଓଭରରେ ୪୩ ରନ୍‌ କରିଥିଲେ। ୧୪ଶ ଓଭରରେ ନୀତୀଶ କୁମାର ରେଡ୍‌ଡୀଙ୍କୁ ବଲ୍‌ ଦେଇଥିଲେ ଅଧିନାୟକ ଶୁଭମନ ଗିଲ୍‌। ନୀତୀଶ ତାଙ୍କ ପ୍ରଥମ ଓଭରରେ ଇଂଲଣ୍ଡର ଦୁଇ ଓପ୍‌ନରଙ୍କୁ ଆଉଟ୍‌ କରି ଦେଇଥିଲେ। ଲେଗ୍‌ ଷ୍ଟମ୍ପ୍‌ ବାହାର ବଲ୍‌କୁ ପୁଲ୍‌ ମାରିବା ପ୍ରୟାସରେ ୱିକେଟ୍‌ ରକ୍ଷକଙ୍କୁ ବେନ୍ ଡକେଟ୍‌ କ୍ୟାଚ୍‌ ଦେଇଥିଲେ। ବାମହାତି ଡକେଟ୍‌ ୩ଟି ଚୌକା ସହ ୨୩ ରନ୍‌ କରିଥିଲେ। ୩ଟି ବଲ୍‌ ପରେ ନୀତୀଶଙ୍କ ଏକ ଚମତ୍କାର ଆଉଟ୍‌ ସ୍ବିଙ୍ଗରରେ ପରାସ୍ତ ହୋଇ ୱିକେଟ ପଛରେ କ୍ୟାଚ୍‌ ଦେଇଥିଲେ ଜ୍ୟାକ୍‌ କ୍ରଲି। ୪ଟି ଚୌକା ସହ କ୍ରଲି ୧୮ ରନ୍‌ କରିଥିଲେ। ପରେ ଓଲି ପୋପ୍‌ ଓ ଜୋ ରୁଟ୍‌ ସତର୍କତାର ସହ ବ୍ୟାଟିଂ କରିଥିଲେ। ବାଜ୍‌ବଲ୍‌ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଇଂଲଣ୍ଡ ୨ୟ ଅଧିବେଶନରେ ୨୪ ଓଭରରୁ ମାତ୍ର ୭୦ ରନ୍‌ କରିଥିଲା। ଚା’ପାନ ବିରତି ପରେ ଏହି ଯୋଡ଼ିକୁ ଭାରତ ଭାଙ୍ଗି ପାରିଥିଲା।

ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ଓଲି ପୋପ୍ କାମଚଳା ୱିକେଟ୍‌ ରକ୍ଷକ ଧ୍ରୁବ ଜୁରେଲଙ୍କୁ କ୍ୟାଚ୍‌ ଦେଇଥିଲେ। ପୋପ୍‌ ୧୦୪ ବଲ୍‌ରୁ ୪ଟି ଚୌକା ସହ ୪୪ ରନ୍‌ କରିଥିଲେ। ଜୋ ରୁଟ୍‌ ଓ ପୋପ୍‌ ୩ୟ ୱିକେଟ୍‌ ପାଇଁ ୧୦୯ ରନ୍‌ ଯୋଡ଼ିଥିଲେ। ଦିନକ ତଳେ ବିଶ୍ବର ନୂଆ ୧ନଂ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍‌ ମାନ୍ୟତା ପାଇଥିବା ହ୍ୟାରୀ ବ୍ରୁକ୍‌ ବେଶି ସମୟ ରହି ପାରିଥିଲେ। ବ୍ରୁକ୍‌ ୨ଟି ଚୌକା ସହ ୧୧ ରନ୍‌ କରି ବିଦାୟ ନେଇଥିଲେ। ୧୯ ରନ୍‌ ମଧ୍ୟରେ ୨ଟି ୱିକେଟ୍‌ ହରାଇ ଇଂଲଣ୍ଡ ଚିନ୍ତାରେ ଥିଲା। ଜୋ ରୁଟ୍‌ ଚମତ୍କାର ବ୍ୟାଟିଂ ଜାରି ରଖିଥିବା ବେଳେ ଅଧିନାୟକ ବେନ୍ ଷ୍ଟୋକ୍‌ସ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଦୁହେଁ ଦିନର ଶେ​‌ଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଜୋ ରୁଟ୍‌ ଓ ବେନ୍ ଷ୍ଟୋକ୍‌ସ ଅବିଭାଜିତ ୫ମ ୱିକେଟ୍‌ ପାଇଁ ୭୯ ରନ୍‌ ଯୋଡ଼ିଛନ୍ତି। ଜୋ ରୁଟ୍‌ ୧୯୧ ବଲ୍‌ରୁ ୯ଟି ଚୌକା ସହ ୯୯ ରନ୍‌କରି ଅପରାଜିତ ଅଛନ୍ତି। ଷ୍ଟୋକ୍‌ସ ୧୦୨ ବଲ୍‌ରୁ ୩ଟି ଚୌକା ସହ ୩୯ ରନ୍‌କରି ଅପରାଜିତ ଅଛନ୍ତି। ଶେଷ ଅଧିବେଶନରେ ଇଂଲଣ୍ଡ ସବୁଠାରୁ ଧିମା ବ୍ୟାଟିଂ କରିଥିଲେ ହେଁ ୩୪ ଓଭରରେ ସର୍ବାଧିକ ୯୮ ରନ୍‌ କରିଥିଲା।