ଲାଇଭ୍‌ ରିପୋର୍ଟିଂ ବେଳେ ଅଶ୍ଳୀଳ ଭାଷା କହିଲେ ରିପୋର୍ଟର

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆ ୟୁଜର୍ସମାନେ ଉକ୍ତ ରିପୋର୍ଟର ଓ ଟିଭି ଚ୍ୟାନେଲକୁ ଜୋରଦାର ଟ୍ରୋଲ କରିଛନ୍ତି।

ଲାଇଭ୍‌ ରିପୋର୍ଟିଂ ବେଳେ ଅଶ୍ଳୀଳ ଭାଷା କହିଲେ ରିପୋର୍ଟର

ଲାଇଭ୍‌ ରିପୋର୍ଟିଂ ବେଳେ ହୋଇଗଲା ବଡ଼ ଭୁଲ୍‌। ଭାଷା ଉପରେ ରହିଲାନି ସଞ୍ଜମତା। ଅଶ୍ଳୀଳ ଭାଷା କହି ଟ୍ରୋଲ୍‌ ହେଲେ ରିପୋର୍ଟର। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ପ୍ରାର୍ଥନାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ଏହି ପ୍ରସଙ୍ଗକୁ ନେଇ କୋର୍ଟ ବାହାରେ ଲାଇଭ୍‌ ରିପୋର୍ଟିଂ କରୁଥିଲେ ଜଣେ ଜାତୀୟ ଗଣମାଧ୍ୟମର ରିପୋର୍ଟ। ଷ୍ଟୁଡିଓରେ ଥିବା ଟିଭି ଆଙ୍କର ରିପୋଟର୍‌ଙ୍କୁ ପତଞ୍ଜଳି ମାମଲା ବିଷୟରେ ପ୍ରଶ୍ନ କରୁଥିଲେ। ଏତିକି ବେଳେ ରିପୋଟର୍‌ ଜଣକ ନିଜ ଭାଷା ଉପରେ ସଞ୍ଜମତା ହରାଇଥିଲେ। ସେ କହୁ କହୁ ଅଶ୍ଳୀଳ ଭାଷା କହିଦେଇଥିଲେ। ଏହାପରେ ତୁରନ୍ତ ଆମେ ଆପଣଙ୍କ କଥା ଶୁଣିପାରୁନୁ କହି ଲାଇଭ୍‌ ରିପୋର୍ଟିଂକୁ ବନ୍ଦ କରାଯାଇଥିଲା। ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆ ୟୁଜର୍ସମାନେ ଉକ୍ତ ରିପୋର୍ଟର ଓ ଟିଭି ଚ୍ୟାନେଲକୁ ଜୋରଦାର ଟ୍ରୋଲ କରିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ରିପୋର୍ଟରଙ୍କ ସମର୍ଥନରେ ବାହାରିଛନ୍ତି। ଭୁଲ୍‌ରେ ସେ ଏଭଳି କହି ଦେଇଛନ୍ତି। କାମ ଚାପ ହେତୁ ତାଙ୍କ ପାଟିରୁ ଭୁଲ୍‌ରେ ଏଭଳି ଶବ୍ଦ ବାହାରି ଯାଇଥିବ। ତେଣୁ ଉକ୍ତ ସାମ୍ବାଦିକଙ୍କୁ ଦଣ୍ଡିତ ନ କରିବାକୁ ସେମାନେ ଚ୍ୟାନେଲକୁ ଅନୁରୋଧ କରିଛନ୍ତି।

ସେପଟେ ଲାଇଭ୍‌ ରିପୋର୍ଟିଂ ବେଳେ ଅଜାଣତରେ ଏଭଳି ଅଶ୍ଳୀଳ ଭାଷା ବ୍ୟବହାର ପାଇଁ ଚ୍ୟାନେଲ ତରଫରୁ କ୍ଷମା ପ୍ରାର୍ଥନା କରାଯାଇଛି।