ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍‌ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା

ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।

ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍‌ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା

ଆମେରିକାରେ ଲାଞ୍ଚ ଦେଇଥିବା ଅଭିଯୋଗ ନେଇ ବଡ଼ ବୟାନ ଦେଲା ଅଦାନୀ ଗ୍ରୁପ୍‌। ଭାରତର ସବୁଠୁ ଧନୀ ତଥା ବ୍ୟବାସୟୀ ଗୌତମ ଆଦାନୀ ଓ ତାଙ୍କ କମ୍ପାନୀ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୀନ ଏନର୍ଜୀ ଖଣ୍ଡନ କରିଛି। ଲାଞ୍ଚ ଅଭିଯୋଗ ସହ ଜଡିତ ସମସ୍ତ ଖବର ଭିତ୍ତିହୀନ ଏବଂ ଭୁଲ ବୋଲି କୁହାଯାଇଛି।

ବୁଧବାର ଦିନ ଆଦାନୀ ଗ୍ରୀନ୍ ଏନର୍ଜି ଏକ ବିବୃତ୍ତି ଜାରି କରି କହିଛି ଯେ ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବରିଷ୍ଠ ନିର୍ଦ୍ଦେଶକ ବିନୀତ ଜୈନ ଆମେରିକାର ନ୍ୟାୟ ବିଭାଗ (DoJ) ଦ୍ୱାରା ଲାଞ୍ଚ ଅଭିଯୋଗରୁ ମୁକ୍ତ। ଆମେରିକାର ଦୁର୍ନୀତି ଅଭ୍ୟାସ ଆକ୍ଟ (ଏଫସିପିଏ) ଅନୁଯାୟୀ ଲଗାଯାଇଥିବା ସମସ୍ତ ଅଭିଯୋଗ ଖବରର କୌଣସି ସତ୍ୟତା ନାହିଁ।

ଆଦାନୀ ଗ୍ରୀନ୍ ଏନର୍ଜି କହିଛି ଯେ, ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ - ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବରିଷ୍ଠ ନିର୍ଦ୍ଦେଶକ ବିନୀତ ଜୈନ୍‌ଙ୍କ ବିରୋଧରେ ଆମେରିକାର ବୈଦେଶିକ ଦୁର୍ନୀତି ଅଭ୍ୟାସ ଅଧିନିୟମ (ଏଫ୍‌ସିପିଏ) ଅନୁଯାୟୀ ଲାଞ୍ଚ ଏବଂ ଦୁର୍ନୀତି ଅଭିଯୋଗ ଆସିଥିଲା। ତେବେ ଏହା ସମ୍ପର୍ଣ୍ଣ ଭୁଲ୍‌।

ଏଫସିପିଏରେ ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବିନୀତ ଜୈନଙ୍କ ବିରୋଧରେ କୌଣସି ଲାଞ୍ଚ ଅଭିଯୋଗ କରାଯାଇ ନାହିଁ ବୋଲି ଆଦାନୀ ଗ୍ରୀନ ଏନର୍ଜି ସ୍ପଷ୍ଟ କରିଛି। କମ୍ପାନୀ ଜୋର ଦେଇ କହିଛି ଯେ କେବଳ Azure Power କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜଣେ କାନାଡ଼ୀୟ ନିବେଶକଙ୍କ ଉପରେ ହିଁ ଲାଞ୍ଚ ଅଭିଯୋଗ ରହିଛି। ଏଥିରେ ଆଦାନୀ ଗ୍ରୁପର କୌଣସି ବି ଅଧିକାରୀଙ୍କ ନାମ ନାହିଁ।

କହିରଖୁ ଯେ, ନ୍ୟୁୟର୍କର ଏକ ଫେଡ଼େରାଲ କୋର୍ଟରେ ଶୁଣାଣି ବେଳେ ଗୌତମ ଆଦାନୀଙ୍କ କମ୍ପାନୀ ଆମେରିକାର ନିବେଶକଙ୍କ ସହ ଠକେଇ କରିଥିବା ଓ ସୋଲାର ଏନର୍ଜିର କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଭାରତୀୟ ଅଧିକାରୀଙ୍କୁ ମୋଟା ଅଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା।

୨୦୨୦ରୁ ୨୦୨୪ ମଧ୍ୟରେ ଆଦାନୀ ଗ୍ରୀନ୍‌ ଓ Azure Power ଗ୍ଲୋବାଲକୁ ଏହି ପ୍ରୋଜେକ୍ଟ ଦେବା ପାଇଁ ଭାରତୀୟ ଅଧିକାରୀଙ୍କୁ ୨୬୫ ନିୟୁତ ଡଲାରର ଲାଞ୍ଚ (ପ୍ରାୟ ୨୨୩୬ କୋଟି ଟଙ୍କା) ଦିଆଯାଇଥିବା କୁହାଯାଇଥିଲା।